ରେଳବାଇ ଜାରିକଲା ନୂଆ ନିୟମ । ନମାନିଲେ ଜରିମାନା ସହ ଭୋଗିବେ ୩ ବର୍ଷର ଜେଲ ଦଣ୍ଡ, ଜାଣନ୍ତୁ କ’ଣ ଏହି ନିୟମ ।

640

କନକ ବ୍ୟୁରୋ: ଟ୍ରେନରେ ଯାତ୍ରା କରୁଥିଲେ ରେଳବାଇର ପକ୍ଷରୁ ଜାରି ହୋଇଥିବା ନୂଆ ନିୟମକୁ ଭଲଭାବେ ଜାଣିନିଅନ୍ତୁ… ନଚେତ୍ ୧ହଜାର ଟଙ୍କା ସହିତ ୩ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣ ଜାଣିଥିବେ, ଟ୍ରେନରେ ଯାତ୍ରା କରିବା ପାଇଁ କିଛିଟା ନିୟମ ରହିଛି, ଯାହା କି ଯାତ୍ରୀମାନେ ପାଳନ ମଧ୍ୟ କରୁଛନ୍ତି । କିନ୍ତୁ ଏବେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିଛି । ଏହି ନିୟମ ଅନୁସାରେ ଯାତ୍ରୀ ନିଜ ସାଙ୍ଗରେ ଏପରି କୌଣସି ଜିନିଷ ନେଇପାରିବେନି… ଯେଉଁଥି ପାଇଁ ଟ୍ରେନରେ ନିଆଁ ଲାଗିବାର ସମ୍ଭାବନା ରହିଥିବ ।

ରେଳବାଇ ଏହି ନିୟମ ଆଣିବା ପଛରେ କାରଣ ରହିଛି । ଅନେକ ସମୟରେ ଏପରି ଦେଖାଯାଇଥାଏ, ଛିଡା ହୋଇଥିବା ସମୟରେ କିମ୍ବା ଚାଲୁଥିବା ସମୟରେ ଟ୍ରେନରେ ହଠାତ୍ ନିଆଁ ଲାଗିଯାଏ । ଯେଉଁଥି ପାଇଁ ଅନେକ ଧନ-ଜିବନ କ୍ଷତି ହୋଇଥାଏ । ଗତ କିଛି ଦିନ ତଳେ ନୂଆଦିଲ୍ଲୀ ଡେରାଡୁନ୍ ଶତାବ୍ଦି ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଯାଇଥିଲା । ସେହିଭଳି ଗାଜିଆବାଦରେ ଟ୍ରେନରେ ନିଆଁ ଲାଗିବା ଘଟଣା ଅନେକଥର ଦେଖିବାକୁ ମିଳିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଏପରି ନିୟମ କରାଯାଇଛି ।

ତେବେ ଆସନ୍ତୁ ଜାଣିବା ଟ୍ରେନରେ କେଉଁ କେଉଁ ଜିନିଷ ନେଇ ଯାତ୍ରା କରିପାରିବେନି ଯାତ୍ରୀ । ନୂଆ ଆଇନ୍ ଅନୁଯାୟୀ, ଟ୍ରେନରେ କିରୋସିନ୍, ସୁଖିଲା ଘାସ, ଷ୍ଟୋଭ୍, ପେଟ୍ରୋଲ, ଗ୍ୟାସ ସିଲିଣ୍ଡର, ମାଚିସ୍, ବାଣ କିମ୍ବା ନିଆଁ ଲଗାଇଲା ଭଳି କୌଣସି ଜ୍ୱଳଣଶୀଳ ଜିନିଷ ନନେବା ପାଇଁ ଚେତାବନି ଦେଇଛି ଭାରତୀୟ ରେଳବାଇ । କେବଳ ଏତିକି ନୁହେଁ ଟ୍ରୋନରେ ଧୂମପାନ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଯଦି କୌଣସି ବ୍ୟକ୍ତି ଧୂମପାନ କରିବା ସମୟରେ ଧରାପଡେ ତେବେ ତାଙ୍କୁ ଜେଲ ହୋଇପାରେ ଏହା ସହିତ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

ଟ୍ୱିଟ୍ କରି ରେଳବାଇ ପକ୍ଷରୁ କୁହାଯାଇଛି କି, ଟ୍ରେନରେ ଯାତ୍ରା ସମୟରେ ଜ୍ୱଳନଶୀଳ ସାମଗ୍ରୀ ନେବା, ଧାରା ୧୬୪ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଏପରି କରିବା ଦ୍ୱାରା ୩ବର୍ଷ ଜେଲ ସମେତ ୧ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ ।