ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ କରୋନା ଟିକାକରଣ : ସରକାର ଦେଇଛନ୍ତି ନିର୍ଦ୍ଦେଶ ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜୁଲାଇ ସୁଦ୍ଧା ସଂକ୍ରମଣ ହାର କମିବା ସମ୍ଭାବନା

144

କନକ ବ୍ୟୁରୋ : ରାଜ୍ୟରେ କୋଭିଡ କଟକଣା ଆଂଶିକ କୋହଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ବି କାଟାଗୋରୀରେ ରଖାଯାଇଥିବା  ଜିଲ୍ଲା ଗୁଡ଼ିକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ସେଠି କ୍ରମାଗତ ଭାବେ ଲକଡାଉନକୁ ବୃଦ୍ଧି କରାଯାଇଛି । ତଥାପି ଭଲ ଖବର ହେଉଛି ପୂର୍ବ ବି କାଟାଗୋରୀରେ ଥିବା ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା ଏ କାଟାଗୋରୀକୁ ଯାଇଛି । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ କଟକଣା ମାନିଲେ ସଂକ୍ରମଣ କମିିବ । ଆଶା କରାଯାଉଛି ଜୁଲାଇ ମାସରେ ସଂକ୍ରମଣ କମିବ, ଗର୍ଭବତୀମାନଙ୍କୁ ଟିକା କରଣ ପାଇଁ ନିର୍ଦେଶ ଆସିଛି ତାହା ଆରମ୍ଭ କରାଯିବ ।

ସେପଟେ, ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକାର ଅଭାବ ପରିଲକ୍ଷିତ ହୋଇଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ । ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । କୋଭିସିଲ୍ଡ ଟିକା ୧୯ ହଜାର ରହିଛି  କୋଭାକ୍ସିନ ଟିକା ୩ଲକ୍ଷ ଉପରେ ରହିଛି । ତେଣୁ ଆଜି ୧୧୪ ଟି ସ୍ଥାନରେ ଟିକା ଦିଆଯାଉଛି । ଏହା ଭିତରୁ ୭୨ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି କିନ୍ତୁ ଟିକା ମିଳିବା ଉପରେ ନିର୍ଭର କରୁଥିବା କହିଛନ୍ତି ବିଜୟ ପାଣିଗ୍ରାହୀ ।