ଯଦି ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହୁଏ…? ଜାଣନ୍ତୁ କେଉଁ ଦେଶ କରିପାରେ କାହାକୁ ସମର୍ଥନ, ଭାରତର ଆଭିମୁଖ୍ୟ ରହିଛି କଣ?

5,997

ଇରାନର ସେନା କମାଣ୍ଡର ମେଜର ଜେନେରାଲ କାଶିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଏବେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି ।ଆମେରିକା ଉପରେ ପ୍ରତିଶୋଧ ନେବାକୁ ଆଗେଇ ଆସିଛି ଇରାନ । ଏପରିକି ଇରାକରେ ଥିବା ଆମେରିକାର ଦୂତାବାସ ଉପରେ ରକେଟ ମାଡ କରି ଇରାନ ଯୁଦ୍ଧ ପାଇଁ ଏକପ୍ରକାର ଆହ୍ୱାନ ଦେଉଛି । ଏଭଳିସ୍ଥଳେ ଆମେରିକା ମଧ୍ୟ ଆଉ ଚୁପ୍ ବସିନାହିଁ । ଇରାନ ତରଫରୁ ଆଉ ଯଦି ଆକ୍ରମଣ ହୁଏ ତେବେ ଚିହ୍ନଟ ହୋଇଥିବା ଇରାନର ୫୨ଟି ସ୍ଥାନକୁ କ୍ଷଣିକରେ ଧ୍ୱଂସ କରି ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ଏଭଳି ସ୍ଥିତିରେ ଯୁଦ୍ଧ ହୁଏ ତେବେ ଏହା କେବଳ ଇରାନ-ଆମେରିକା ମଧ୍ୟରେ ସୀମିତ ରହିବ ନାହିଁ । ଏହା ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ଭୟଙ୍କର ସ୍ଥିତି ଉପୁଜାଇବ । ଇରାନ-ଆମେରିକାର ଏଭଳି ତିକ୍ତତାକୁ ନେଇ ଏବେ ବିଶ୍ୱର ଅଧିକାଂଶ ଦେଶ ନିଜର ସୁରକ୍ଷା ପାଇଁ ସକ୍ରିୟ ହୋଇ ଉଠିଲେଣି । ତେବେ ସବୁଠୁ ବଡ କଥା ହେଉଛି ଯଦି ଯୁଦ୍ଧ ହୁଏ ତେବେ କେଉଁ ଦେଶ କାହା ସପକ୍ଷରେ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଇରାନ ସହ ତିକ୍ତତା ଭିତରେ ଆମେରିକା ଭାରତକୁ ନିଜ ସପକ୍ଷକୁ ନେବାକୁ ଚାହୁଁଛି । ଆମେରିକାର ଏୟାର ଷ୍ଟ୍ରାଇକ୍ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତେଜନା ପରିସ୍ଥିତି ନେଇ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଉଭୟ ଇରାନ ଓ ଆମେରିକାକୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେବା ସହ ଉଜେତନାକୁ ଆଗକୁ ନବଢ଼ାଇବାକୁ କହିଛି । ଭାରତ ବୈଦଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ଦୁଇ ଦେଶକୁ ସଞ୍ଜମତା ରକ୍ଷା କରିବାକୁ କୁହାଯାଇଛି ।ସେହିଭଳି ୟୁରୋପୀୟ ସଂଘ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛି । ଏସବୁ ଭିତରେ ଇସ୍ରାଏଲ କିନ୍ତୁ ଆମେରିକା ସପକ୍ଷରେ ଯିବା ଏକପ୍ରକାର ନିଶ୍ଚିତ । କାରଣ ସୁଲେମାନିକୁ ଇସ୍ରାଏଲ ସବୁବେଳେ ନିଜର ଶତ୍ରୁ ବୋଲି ଭାବି ଆସିଛି । ଯେଉଁଥିପାଇଁ ସୁଲେମାନିର ହତ୍ୟା ପରେ ଆମେରିକାକୁ ଖୋଲା ସମର୍ଥନ କରିଥିଲା ଇସ୍ରାଏଲ । ସେହିଭଳି ଇରାନ କୁର୍ଦ୍ଦଶ ସେନାର ମୁଖ୍ୟ ସୁଲେମାନିର ହତ୍ୟା ପରେ ଇଂଲଣ୍ଡ, ଫ୍ରାନ୍ସ, ସାଉଦି ଆରବ, ଜୋର୍ଡାନ ଓ ୟୁଏଇ ମଧ୍ୟ ଆମେରିକା ସପକ୍ଷରେ ଆସିପାରନ୍ତି ।

ସେହିଭଳି ଚୀନ୍ ଓ ଋଷ, ଆମେରିକା ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି । ଯାହା ଦର୍ଶାଉଛି ଯେ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଇରାନ ସପକ୍ଷରେ ଯାଇପାରନ୍ତି । ଏପରିକି ଗତ ସପ୍ତାହରେ ଚୀନ୍, ଇରାନ ଓ ଋଷର ନୌସେନା ମିଳିତ ଭାବେ ସାମରିକ ଅଭ୍ୟାସ କରିଥିଲେ । ଏହାଛଡା ୟେମନ, ଲେବାନନ, ସିରିଆ ଓ ଫିଲିସ୍ତାନ ମଧ୍ୟ ଇରାନକୁ ସମର୍ଥନ କରୁଛନ୍ତି । ତେଣୁ ଯୁଦ୍ଧ ହେଲେ ଏହାର ଭୟାବହତା ପୂରା ବିଶ୍ୱକୁ ବ୍ୟାପିପାରେ ।