ସଙ୍କଟ ଭିତରେ ଆଶାର ଝଲକ…ସେପ୍ଟେମ୍ବର ସୁଦ୍ଧା ଭାରତରେ ମିଳିପାରେ କରୋନା ଭ୍ୟାକ୍ସିନ…ହଜାରେ ଟଙ୍କା ରହିପାରେ ଟିକାର ଦାମ୍: ସେରମ ଇଷ୍ଟିଚ୍ୟୁଟ୍ ସିଇଓଙ୍କ ଦାବି

1,380

କରୋନା ଟିକା କରୁଛି ପୁଣେ କମ୍ପାନୀ

ସେପ୍ଟେମ୍ବର ସୁଦ୍ଧା ୪ କୋଟି ଟାର୍ଗେଟ୍

ହଜାରେ ଟଙ୍କାରେ କରୋନା ଟିକା!

ବ୍ରିଟେନଠାରୁ ୧୦ଗୁଣା କମ୍ ଦାମ

କନକ ବ୍ୟୁରୋ: ଆମେରିକା ଓ ବ୍ରିଟେନ୍ ପରେ କରୋନା ଟିକା ପାଇଁ ଅଂଟା ଭିଡିଛି ଭାରତ । ଅକ୍ସଫୋର୍ଡ ୟୁନିଭରସିଟି ବିଶେଷଜ୍ଞଙ୍କ ମିଳିତ ସହଯୋଗରେ ଟିକା ପ୍ରସ୍ତୁତି ଆରମ୍ଭ କରିସାରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଆସନ୍ତା ମାସରେ ହିଁ ମଣିଷ ଉପରେ ଏହି ଟିକା ପରୀକ୍ଷା କରାଯିବ ଏବଂ ପରୀକ୍ଷା ସଫଳ ହେଲେ ସେପ୍ଟେମ୍ବରରୁ ଅକ୍ଟୋବର ସୁଦ୍ଧା ଦେଶରେ ଉପଲବ୍ଧ ହେବ । ତେବେ ବଡ କଥା ହେଉଛି ବଜାରରେ ଉପଲବ୍ଧ ହେବା ସମୟରେ ଏହି ଟିକାର ମୂଲ୍ୟ ପାଖାପାଖି ହଜାରେ ଟଙ୍କା ରହିବ ବୋଲି ସୂଚନା ମିଳିଛି ।

ଡେଙ୍ଗୁ ଏବଂ ନିମୋନିଆ ଭଳି ରୋଗର ଟିକା ପ୍ରସ୍ତୁତ କରିିଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ତିଆରି କରୁଛି ଏବେ କରୋନା ଟିକା । ଆସନ୍ତା ମାସରେ ହିଁ ଏହି ଟିକାର ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରୀକ୍ଷଣ ସଫଳ ହେଲେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଦେଶରେ ଏହାର ୨ରୁ ୪ କୋଟି ଡୋଜ୍ ତିଆରି ହୋଇଯିବା ନେଇ ପୁଣେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି । ତେବେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ସହଯୋଗରେ ଟିକା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟରେ ହିଁ ଟିକାର ପରୀକ୍ଷା କରାଯିବ ।

ପୁନାୱାଲାଙ୍କ ସୂଚନା ଅନୁସାରେ, ମେ ମାସରେ ହିଁ ଭାରତରେ କରୋନା ଟିକାର ପରୀକ୍ଷା ଆରମ୍ଭ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତରେ ସୁଲଭ ଦରରେ ରୋଗୀଙ୍କୁ ଟିକା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ହଜାରେ ଟଙ୍କା ଭିତରେ ଟିକା ପ୍ରସ୍ତୁତ କରିବା ଉପରେ ବିଶେଷଜ୍ଞ ଟିମ୍ କାମ କରୁଛନ୍ତି । ସେହିଭଳି କରୋନା ଟିକା ପାଇଁ ନୂଆ ପ୍ଲାଂଟ୍ ତିଆରି କରିବାକୁ ୨ ବର୍ଷ ସମୟ ଲାଗିବ ଏବଂ ଏଥିପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ବାକି ସମସ୍ତ ପରୀକ୍ଷା ବନ୍ଦ କରାଯାଇ କେବଳ କରୋନା ଟିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୁଣେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି ।