କନକ ବ୍ୟୁରୋ: “ଯେଉଁ ଚାବି ଥାଉ...କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ ...”, ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଦ୍ୱିତୀୟ ବୈଠକ ପରେ ଏପରି କହିଛନ୍ତି କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ । ତାଙ୍କ କହିବା ମୁତାବକ, ଆସନ୍ତା ୧୪ ତାରିଖରେ ଯେକୌଣସି ଉପାୟରେ ହେଉନା କାହିଁକି ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହେଇଛି ।

Advertisment

ତେବେ ରତ୍ନଭଣ୍ଡାର ତଦାରଖ କମିଟି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁରୋଧ କରିବ । ସରକାର ଏନେଇ ନିଷ୍ପତ୍ତି ନେବା ପରେ ହିଁ, ରତ୍ନଭଣ୍ଡାର ଖୋଲିପାରିବ ବୋଲି ସେ କହିଛନ୍ତି । ତେବେ ରତ୍ନଭଣ୍ଡାରର ସୁରକ୍ଷା ସଂକ୍ରାନ୍ତରେ ଆଜି ମିଟିଂରେ ବିସ୍ତୃତ ଭାବେ ଆଲୋଚନା ହେଇଛି । ରତ୍ନଭଣ୍ଡାର ଖୋଲିଲେ ସୁନା ଅଳଙ୍କାରର ଯାଞ୍ଚ ହେଇପାରେ ବୋଲି କମିଟିର ଅଧ୍ୟକ୍ଷ ଇସାରା ଦେଇଛନ୍ତି ।

ଅନ୍ୟପଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରତ୍ନଭଣ୍ଡାର ଖୋଲି ଏହାର କାମ ହେଲେ, ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଯେପରି ସୃଷ୍ଟି ହେବନି, ସେନେଇ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ଭକ୍ତମାନେ ସାମାନ୍ୟ ଦୂରରୁ ରହି ଦର୍ଶନ କରିପାରିବେ । ଏଥିସହ ରତ୍ନଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ସହଯୋଗ ଲୋଡିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ।