ଥମୁନି ଚାଷୀ ଆନ୍ଦୋଳନ । ଚାଷୀଙ୍କ ଚେତାବନୀ, ଆସନ୍ତା ୪ ତାରିଖ ବୈଠକରେ ଚାଷୀଙ୍କ ସପକ୍ଷରେ ନିଷ୍ପତି ନହେଲେ ସ୍ଥିତି ହେବ ଭୟଙ୍କର ।

112

କନକ ବ୍ୟୁରୋ : ୩୮ଦିନରେ ପହଂଚିଲା ଚାଷୀଙ୍କ ଆନ୍ଦୋଳନ । ହେଲେ ସମାଧାନର କୌଣସି ବାଟ ବାହାରି ପାରୁ ନଥିବାରୁ କଡା ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । କେନ୍ଦ୍ର ସରକାର ସହ ହେବାକୁ ଥିବା ଅ୩ାଲୋଚନାରେ ସେମାନଙ୍କ ସପକ୍ଷରେ ନିଷ୍ପତି ନନେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ଏବଂ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ହରିଆଣାର ସମସ୍ତ ପେଟ୍ରୋଲ ପମ୍ପ ଓ ସପିଂ ମଲ ବନ୍ଦ କରିବାକୁ ଚାଷୀମାନେ ଧମକ ଦେଇଛନ୍ତି । ଏହା ସହ ଜାନୁଆରୀ ୬ ତାରିଖରେ ସରକାରଙ୍କ ବିରୋଧରେ ଟ୍ରାକ୍ଟର ରାଲି କରାଯିବ । କେବଳ ସେତିକି ନୁହେଁ ବିଜେପି ବିରୋଧରେ ଦଳଛାଡ ଆନ୍ଦୋଳନ ମଧ୍ୟ ଆରମ୍ଭ ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସିଂଘୁସୀମାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଷୀ ନେତା କହିଛନ୍ତି, ସେମାନଙ୍କ ମୁଖ୍ୟ ଦାବୀ ପୂରଣ ନହେଲେ, ସେମାନେ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରିବେ ଏବଂ ଏଥିପାଇଁ ସରକାର ଦାୟୀ ରହିବେ । ଆସନ୍ତା ୪ ତାରିଖରେ ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ହେବ । ପୂର୍ବରୁ ୬ଥର ବୈଠକ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ । ତିନିଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି ଚାଷୀ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଭରସା ଦେଇଛନ୍ତି ୪ ଜାନୁଆରୀରେ ଥିବା ବୈଠକରେ ନିଷ୍ପତି ସକରାତ୍ମକ ହେବ ।

ସେପଟେ ଗାଜିଆବାଦ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ଥିବା ଚାଷୀଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଛନ୍ତି । ଧାରଣା ସ୍ଥାନରେ ଥିବା ଶୌଚାଳୟରେ ଫାସୀ ଦେଇ ଆତ୍ମହତ୍ୟା କରିଛନ୍ତି । ସେପଟେ ଧାରଣାରେ ଥିବା ଚାଷୀଙ୍କ ପାଇଁ ବର୍ଷା ସମସ୍ୟା ବଢ଼ାଇଛି । ବର୍ଷା ଯୋଗୁ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ି ଯାଇଛି । କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଚାଷୀଙ୍କ ଆବଶ୍ୟକତା ଏବଂ ତାଙ୍କ ଇଛା ଉପରେ ମଧ୍ୟ ସରକାର ଧ୍ୟାନ ରଖିବା ଉଚିତ । ଆଜି ଚାଷୀଙ୍କ ଆନ୍ଦୋଳନରେ କିଛି ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।