ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍ ବାତ୍ୟାର ରୂପ ନେଲେ ନାଁ ରହିବ ‘ବୁଲବୁଲ’ । ପାଣିପାଗ ସଂସ୍ଥା ସ୍କାଇମେଟ ୱେଦରର ଆକଳନ, ଓଡ଼ିଶା ଓ ଆନ୍ଧ୍ର ମୁହାଁ ହୋଇଥାନ୍ତି ନଭେମ୍ବର ମାସର ବାତ୍ୟା ।

1,740

କନକ ବ୍ୟୁରୋ : ବଙ୍ଗୋପସାଗରରୁ ଆସିବ କି ‘ବୁଲବୁଲ’? ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଆଉ ଏହି ସମୟରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହାପରେ ଏହା ଆହୁରି ଶକ୍ତିଶାଳୀ ହେବା ସହ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ତେବେ ବଙ୍ଗୋପସାଗରରେ ଏହି ଅବପାତ ଯଦି ଡିପ୍ ଡିପ୍ରେସନ ସହ ବାତ୍ୟାର ରୂପ ନିଏ ତେବେ ଏହାର ନାଁ ବୁଲବୁଲ ରହିବ ବୋଲି କହିଛି ପାଣିପାଗ ସଂସ୍ଥା ସ୍କାଇମେଟ ୱେଦର । ତେବେ ଏହି ଅବପାତ ବାତ୍ୟାର ରୂପ ନେବ ନା ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଯିବ ସେନେଇ ଆସନ୍ତା ୬ କିମ୍ବା ୭ରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଯଦି ଏହା ବାତ୍ୟାର ରୂପ ନିଏ ତେବେ ସ୍ଥଳଭାଗ ଛୁଇଁବାକୁ ୫ରୁ ୬ ଦିନ ସମୟ ଲାଗିବ ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେବା ପାଇଁ ପାରିପାଶ୍ୱିକ ସ୍ଥିତି ସୁହାଇଲା ଭଳି ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦୁର୍ବଳ ହେଲେ ବଙ୍ଗୋପ ସାଗରରେ ଅବପାତ ଘନିଭୂତ ହୋଇପାରେ । ବଙ୍ଗୋପ ସାଗରର ତାପମାତ୍ରା ଓ ପବନର ବେଗ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି କରିଛି । ତେବେ ଏହା ବାତ୍ୟାର ରୂପ ନେଲେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ହେଲେ ଏହା ଓଡିଶାକୁ କେତେ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନାହିଁ ।

ସେହିଭଳି ନଭେମ୍ବର ମାସରେ ବିକଶିତ ହେଉଥିବା ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏହାଛଡା ନଭେମ୍ବର ପରେ ବିକଶିତ ହେଉଥିବା ବାତ୍ୟା ତାମିଲନାଡୁ ମୁହାଁ ହୋଇଥାନ୍ତି । ତେଣୁ ଏହା ଯଦି ବାତ୍ୟାର ରୂପ ନିଏ ତେବେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶର ଉପକୂଳ ଛୁଇଁପାରେ ।

ଓଡିଶା ପ୍ରତି ବାତ୍ୟାର ଆଶଙ୍କା ଥିଲେ ବି ଏହା ସ୍ପଷ୍ଟ ହୋଇନାହିଁ ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏପରିକି ବାତ୍ୟା ହେବ କି ନାହିଁ ସେନେଇ ୫୦-୫୦ ପ୍ରତିଶତ ସମ୍ଭାବନା ରହିଛି । କିନ୍ତୁ ଆଗକୁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ।