ହରିୟାଣାରେ ଏସଡିଏମଙ୍କ ନିଷ୍ଠୁରତା, କର୍ଡନ ପାରିହେଲେ କୃଷକଙ୍କ ମୁଣ୍ଡ ଫଟାଇବାକୁ ଦେଲେ ନିର୍ଦ୍ଦେଶ, ଜୋର ଧରିଲା ଆଇଏଏସଙ୍କ ଇସ୍ତଫା ଦାବି

43

କନକ ବ୍ୟୁରୋ: ହରିୟାଣା କରନାଲ ଜିଲ୍ଲାରେ କୃଷକଙ୍କ ସମାବେଶ ସମୟରେ ପୋଲିସ ମାଡରେ ଆହତ ହେଲେ ୧୦ରୁ ଅଧିକ କୃଷକ । ଏହି ମାଡ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କୃଷକଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେବାକୁ ଆଇଏଏସ୍ ଙ୍କ ନିର୍ଦ୍ଦେଶକୁ ନେଇ ଏବେ ହରିଆଣା ରାଜନୀତି ସରଗରମ । ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ସମ୍ପୃକ୍ତ ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।ସୂଚନା ମୁତାବକ, ସରକାରଙ୍କ ବିରୋଧ କରୁଥିବା କୃଷକ ବିରୋଧ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ଉପରେ ବଳ କଷିଥିଲେ ପୋଲିଷ କର୍ମୀ । କୌଣସି ବି ପରିସ୍ଥିତିରେ କୃଷକ କର୍ଡନ ନଟପନ୍ତି ସେନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି କୌଣସି କୃଷକ କର୍ଡନ ପାରିହୁଏ ତାଙ୍କ ମୁଣ୍ଡ ଫଟାଇଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ କରନାଲର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଆୟୁଷ ସିହ୍ନା । ଏପରି ନିର୍ଦ୍ଦେଶ ଦେବା ସମୟର ଭିଡିଓ ଭାଇରାଲ ହେବା ପରେ ଏବେ ଆଇଏଏସଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ଓ ମିଳିତ କୃଷକ ମୋର୍ଚ୍ଚା । କୃଷକଙ୍କ ବିରୋଧରେ ସିହ୍ନାଙ୍କ ଏପରି ନିର୍ଦ୍ଦେଶକୁ ଅନେକ ସରକାରୀ ଅଧିକାରୀ ସମର୍ଥନ ଜଣାଉଥିବାରୁ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି ।