କନକ ବ୍ୟୁରୋ: କଥାରେ ଅଛି ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ । ଚଳିତ ପଂଚାୟତ ନିର୍ବାଚନରେ ରାଜ୍ୟର ଅନେକ ଅଂଚଳରେ ଭୋଟର ହୁଡିବା ଭଳି ଖବର ଆସୁଛି । ନିଜ ଅଂଚଳର ସମସ୍ୟାକୁ ନେଇ ତାତି ଉଠିଥିବା ଭୋଟର ଭୋଟ୍ ବର୍ଜନ କରିବାକୁ ପ୍ରାର୍ଥୀ ଓ ନେତାଙ୍କୁ ଚେତାବନୀ ଦେଇଛନ୍ତି । ଯାଜପୁର ଦାନଗଦି ବ୍ଲକ ବିଣାପାଟିଆ ଗାଁର ଲୋକେ ଦୀର୍ଘ ବର୍ଷ ଧରି ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତି ନେଇଥିବା ବେଳେ ଅନୁଧ୍ୟାନ କରାଯିବ ବୋଲି ଦାନଗଦି ବିଡିଓ କହିଛନ୍ତି ।
ଗାଁକୁ ରାସ୍ତା ଦିଅ, ପାଣି ଦିଅ, ଭୋଟ ନିଅ । ଅନେକ ଦାବି ପରେ ବି ସ୍ଥାନୀୟ ଜନ ପ୍ରତିନିଧି କି ପ୍ରଶାସନ ଏମାନଙ୍କ ସମସ୍ୟା ବୁଝି ନାହିଁ । ତେଣୁ ଗ୍ରାମାଂଚଳରେ ରାସ୍ତା ଓ ପିଇବା ପାଣିର ସମସ୍ୟା ରହିଛି । ପଂଚାୟତ ଅଫିସ ପାଖରୁ ଗାଁକୁ ପକ୍କା ରାସ୍ତା ଓ ପାଣି ଦେଇ ଭୋଟ୍ ନିଅ ବୋଲି କହିଛନ୍ତି ଦାନଗଦୀ ବ୍ଲକ ଶାଳିଜଙ୍ଗା ପଂଚାୟତର ବୀଣାପାଟିଆ ଗ୍ରାମବାସୀ । ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ନିଜର ହକ୍ ଦାବି କରି ସମୂହ ଭୋଟ ବର୍ଜ୍ଜନ ନିଷ୍ପତି ନେଇଛନ୍ତି । ଏହାସହ ଗ୍ରାମର ୱାର୍ଡ ସଭ୍ୟ ପାଇଁ କେହି ଜଣେ ବି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।
ରାସ୍ତା ନଥିବାରୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ଗାଁକୁ ଆସିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ପକ୍କା ରାସ୍ତା ପାଇଁ ୬ ମାସ ତଳୁ ଶୁଭ ଦେଇଛନ୍ତି ସୁକିନ୍ଦା ବିଧାୟକ । କିନ୍ତୁ ଏ ପର୍ଯ୍ୟନ୍ତ କାମ ହୋଇପାରିନି । ସେହିଭଳି ଗାଁରେ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ନାହିଁ । ଏକ ପୁରୁଣା କୂଅରୁ ପାଣି ଆଣି ପିଉଛନ୍ତି ଗ୍ରାମବାସୀ । ତେଣୁ ଏହାର ପ୍ରତିବାଦ ଗ୍ରାମବାସୀ ଏକାଠି ହୋଇ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି । ସେପଟେ ଗାଁ ରାସ୍ତା ପାଇଁ ଡିଏମଏଫ ଅନୁଦାନ ଯୋଗାଇ ଦିଆଯାଇଛି । ନିର୍ବାଚନ ପରେ ରାସ୍ତା କାମ ସହ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ଦାନଗଦି ବିଡିଓ କହିଛନ୍ତି ।
ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଶିଳ୍ପ ରାଜଧାନୀ କଳିଙ୍ଗନଗର ଓ ଖଣି ଖାଦାନ ଭରା ଦାନଗଦି ଅଂଚଳରେ ମୌଳିକ ସୁବିଧା ନ ମିଳିବା ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ ।