‘ଯେବେ ଖେଳାଳୀ ଦେଶ ପାଇଁ ଖେଳିବା ଅପେକ୍ଷା ଆଇପିଏଲକୁ ଅଧିକ ପ୍ରାଥମିକତା ଦେବେ ସେତେବେଳେ କଣ ବା କରିପାରିବା’? ବିଶ୍ୱବିଜୟୀ ଅଧିନାୟକ ଦେଲେ ବଡ ବୟାନ ।

247

କନକ ବ୍ୟୁରୋ : ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି । ନାମ୍ବିଆ ବିପକ୍ଷ ମ୍ୟାଚ୍ କେବଳ ଔପଚାରିକତା ହୋଇ ରହିଛି । ଟି-୨୦ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇବାରେ ଟିମ୍ ଇଣ୍ଡିଆ ବିଫଳ ହେବା ପରେ ବଡ ବୟାନ ରଖିଛନ୍ତି ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ କପିଲ ଦେବ । କପିଲ କହିଛନ୍ତି, ଏବେ ଆଗାମୀ ବିଶ୍ୱକପ ପାଇଁ ଏବେଠୁ ଯୋଜନା ପ୍ରସ୍ତୁତ କରୁ ଉଭୟ ବିସିସିଆଇ ଓ ଟିମ୍ ଇଣ୍ଡିଆ । କାରଣ ୨୦୨୨ରେ ଟି-୨୦ ବିଶ୍ୱକପ ଓ ୨୦୨୩ରେ ଦିନିକିଆ ବିଶ୍ୱକପ ଖେଳାଯିବ । ତେବେ ଭାରତ ସେମିଫାଇନାଲ ରେସରୁ ଆଉଟ ହେବା ପଛରେ ଥିବା ବଡ କାରଣ ବାବଦରେ ଇସାରା କରିଛନ୍ତି କପିଲ ଦେବ ।

କପିଲ ଦେବ କହିଛନ୍ତି,. ଭବିଷ୍ୟତ ବାବଦରେ ଚିନ୍ତା କରିବାର ସମୟ ଆସିଛି । ବୋର୍ଡକୁ ତୁରନ୍ତ ନୂଆ ଯୋଜନା ପ୍ରସ୍ତୁତ କରିବା ଉଚିତ୍ । ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଯେ ଟିମ୍ ଇଣ୍ଡିଆ ପାଇଁ କ୍ରିକେଟ ଶେଷ ହୋଇଯାଇଥିବା ଭାବିବା ଭୁଲ । ଏବେ ସମୟ ଅଛି ଯୋଜନା ପ୍ରସ୍ତୁତ କର । ତେବେ ଆଇପିଏଲ ଓ ବିଶ୍ୱକପ ମଧ୍ୟରେ କିଛି ସମୟ ବ୍ୟବଧାନ ରହିଥିଲେ ଭଲ ହୋଇଥାନ୍ତା । ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଖରେ ଭରପୂର ପ୍ରତିଭା ରହିଛି, କିନ୍ତୁ ଏହାର ଲାଭ ଉଠାଇପାରୁନି ଟିମ୍ ।

ଏହାସହ ଆଇପିଏଲ ବାବଦରେ କପିଲ କହିଛନ୍ତି, କିଛି କ୍ରିକେଟର ଆଇପିଏଲ ଖେଳିବାକୁ ପସନ୍ଦ କରୁଛନ୍ତି ଏବଂ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଏତେଟା ଗୁରୁତ୍ୱ ଦେଉନାହାନ୍ତି । ତେଣୁ ବିସିସିଆଇକୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯେତେବେଳେ ଖେଳାଳୀ ଦେଶ ପାଇଁ ଖେଳିବା ବଦଳରେ ଆଇପିଏଲକୁ ଅଧିକ ପ୍ରାଥମିକତା ଦେଉଛନ୍ତି ସେତେବେଳେ ଆମେ କଣ ବା କହିପାରିବା । ଦେଶ ପାଇଁ ଖେଳୁଥିବାରୁ ଖେଳାଳୀଙ୍କୁ ଗର୍ବ ଅନୁଭବ କରିବା ଉଚିତ୍ । ପ୍ରଥମେ ଦେଶ ଓ ପରେ ଫ୍ରାଞ୍ଚାଇଜ କ୍ରିକେଟ ଖେଳାଳୀଙ୍କ ପ୍ରାଥମିକତା ରହିବା ଆବଶ୍ୟକ । ଯେଉଁଥିପାଇଁ ବିସିସିଆଇକୁ ଏ ବାବଦରେ ଏକ ଉନ୍ନତ ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ଏହି ବିଶ୍ୱକପରେ ଯେଉଁ ଭୁଲ ହୋଇଛି ତାହା ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ଶିକ୍ଷା ହେବା ଆବଶ୍ୟକ ।