କନକ ବ୍ୟୁରୋ: ଜାରି ହୋଇସାରିଛି ଦିନିକିଆ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ । ୫ ଅକ୍କୋବରରୁ ୧୯ ନଭେମ୍ବର ଯାଏଁ ବିଶ୍ୱକପର ସମସ୍ତ ମ୍ୟାଚ ଭାରତରେ ଖେଳାଯିବେ । ଏହି ବିଶ୍ୱକପରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବି ଭାଗ ନେବ । ହେଲେ ପାକିସ୍ତାନ ଆରମ୍ଭରୁ କହିଆସୁଛି ସେ ବିଶ୍ୱକପ ଖେଳିବାକୁ ଭାରତ ଆସିବନାହିଁ । ଏହାରି ଭିତରେ ପାକିସ୍ତାନର କ୍ରିଡାମନ୍ତ୍ରୀ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଆସୁନାହିଁ । ତେଣୁ ଆମେ ବି ବିଶ୍ୱକପ ଖେଳିବାକୁ ଭାରତ ଯିବୁନାହିଁ । କିନ୍ତୁ ବିଶ୍ୱକପ ପାଇଁ ଭାରତ ଆସିବା ଛଡା ପାକିସ୍ତାନ ପାଖରେ ଆଉ କୌଣସି ବି ବାଟ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।

Advertisment

ଆଇସିସିରୁ ଆସିବନି ଫଣ୍ଡିଂ
ଯଦି ପାକିସ୍ତାନ ବିଶ୍ୱକପକୁ ବୟକଟ କରିବ, ତେବେ ଇଣ୍ଟର ନ୍ୟାସନାଲ ର୍ପିକେଟ କାଉନସିଲରୁ ପିସିବିକୁ ଫଣ୍ଡିଂ ବନ୍ଦ ହୋଇପାରେ । ପାକିସ୍ତାନ କ୍ରିକେଟ ବୋର୍ଡ ଆୟର ୫୦ ପ୍ରତିଶତ ଆଇସିସିରୁ ଆସିଥାଏ । ଆଇସିସିର ଡଷ୍ଟ୍ରିବ୍ୟୁସନ ପ୍ଲାନ ଅନୁସାରେ ଆଗାମୀ ୪ ବର୍ଷରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ୨୮୫ କୋଟି ଟଙ୍କା ମିଳିବାର ଅଛି । ଆଉ ଯଦି ଫଣ୍ଡିଂ ନମିଳେ ତେବେ ପାକିସ୍ତାନ କାଙ୍ଗାଳ ସ୍ଥିତିରେ ପହଞ୍ଚିବ । ଆଇସିସି ୪ ବର୍ଷରେ ପ୍ରାୟ ୬୦ କୋଟି ଡଲାର ବିତରଣ କରିବ । ଏଥିରେ ଭାରତରୁ ସବୁଠାରୁ ଅଧିକ ଭାଗିଦାରୀ ରହିବ । ଆଇସିସିର ରାଜସ୍ୱରୁ ଭାରତକୁ ପାଖାପାଖି ୧୯୦୮ କୋଟିର ରାଜସ୍ୱ ମିଳିବାର ଅଛି । ପାକିସ୍ତାନ ଯଦି ବିଶ୍ୱକପରେ ଭାଗ ନନେବ ତେବେ କ୍ରିକେଟିଂ ନେସନ ଆଧାରରେ ସେ ପୂରା ଦୁନିଆରୁ ଅଲଗା ହୋଇଯିବ ।

କରିପାରିବନି ଚାମ୍ପିୟନ୍ସ ଟ୍ରଫିର ଆୟୋଜନ
୨୦୦୯ ମସିହାରେ ଶ୍ରୀଲଙ୍କା ଟିମ ଉପରେ ଆତଙ୍କୀ ଆକ୍ରମଣ ପରେ କିଛି ବର୍ଷ ଧରି ପାକିସ୍ତାନକୁ କୌଣସି ଦଳ ଖେଳିବାକୁ ଆସିନଥିଲେ । ଗତ ୨ ବର୍ଷ ହେବ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରାଲଙ୍କା ଓ ଇଂଲଣ୍ଡ ଭଳି ଦେଶ ପାକିସ୍କାନ ଯାଇଛନ୍ତି । ଆଉ ଏମିତି ସ୍ଥିତିରେ ପାକିସ୍ତାନ ନିଜ ଛବି ଖରାପ କରିବାକୁ ଚାହିଁବନି । ୨୦୨୫ ଚାମ୍ପିୟନ୍ସ ଟ୍ର୍ଫିର ଆୟୋଜନ ପାକିସ୍ତାନ କରିବ । ଆଉ ଯଦି ପାକିସ୍ତନ ଭାରତ ନଆସିବ ତେବେ ଆଇସିସି ତାର ଆୟୋଜନ କ୍ଷମତା ଛଡାଇ ନେବ କାରଣ ଭାରତ ବିନା ଚାମ୍ପିୟନ୍ସ ଟ୍ରଫି ଅସମ୍ଭବ ।

ପାକିସ୍ତାନ ଉପରେ ଲାଗିପାରେ ବ୍ୟାନ
ଆଇସିସି ଇଭେଣ୍ଟର ବଡ ଆୟ ଭାରତର ମ୍ୟାଚରୁ ହିଁ ଆସିଥାଏ । ୨୯ ବର୍ଷ ପରେ ପାକିସ୍ତାନକୁ କୌଣସି ଆଇସିସି ଇଭେଣ୍ଟର ଆୟୋଜନର ସୁଯୋଗ ମିଳିଛି ଯାହାକୁ ହରାଇବାକୁ ସେ ଚାହିଁବ ନାହିଁ । ଦିନିକିଆ ବିଶ୍ୱକପ ବୟକଟ କଲେ ଆଇସିସି ପାକିସ୍ତାନ ଉପରେ ବ୍ୟାନ ଲଗାଇପାରେ । ଆଇସିସି ଇଭେଣ୍ଟରେ ଚୟନ ହୋଇଥିବା ଟିମ ଗୁଡିକ ଭାଗ ନେବା ବାଧ୍ୟତାମୂଳକ ହୋଇଥାଏ ।

୨୦୨୩ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ହେଲେ ଏହି ଷ୍ଟାଡିୟମରେ ପାକିସ୍ତାନ ଖେଳିବାକୁ ଚାହୁଁନାହିଁ । ସେହିପରି ପାକିସ୍ତାନ ଚେନ୍ନାଇରେ ଆଫଗାନିସ୍ତାନ ଓ ବାଙ୍ଗାଲୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବାକୁ ଅନିଚ୍ଛୁକ ଥିଲା । ଏହି ମ୍ୟାଚ ବଦଳାଇବାକୁ ମଧ୍ୟ ଆଇସିସି ପାଖରେ ଆବେଦନ କରିଥିଲା । ହେଲେ ଆଇସିସି ପାକିସ୍ତାନର କୌଣସି କଥା ଶୁଣିନଥିଲା ।