କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ପରମାଣୁ ଆକ୍ରମଣ ପାଇଁ ଋଷ ରାଷ୍ଟ୍ରପତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଏପରିକି ପରମାଣୁ ଆକ୍ରମଣ ପାଇଁ ନିୟୋଜିତ ଥିବା ସେନାକୁ ହାଇଆଲର୍ଟରେ ରଖାଯାଇଥିବା କୁହାଯାଉଛି । ଅଥାର୍ତ କେଉଁ ମୁହୂର୍ତ୍ତରେ କିଛି ବି ହୋଇପାରେ । ଠିକ୍ ଯେମିତି ୧୯୪୫ରେ ହିରୋସୀମା ଓ ନାଗାସାକିରେ ହୋଇଥିଲା ।

Advertisment

ଯୁଦ୍ଧ ଭିତରେ ଏକ ଭୟଙ୍କର ବିସ୍ଫୋରଣ ହେବ ଆଉ କିଛି ସେକେଣ୍ଡ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯିବ । ସାଧାରଣ ଲୋକ କିଛି ବୁଝିବା ପୂର୍ବରୁ ଦେହରୁ ଚମଡା ଜଳି ଯାଇଥିବ ଏବଂ ଚାରିଆଡେ ଧୂଆଁର ଏକ କଳାବାଦଲ ଘେରି ରହିଥିବ । ଆଉ ଏହାର କିଛି ସେକେଣ୍ଡ ମଧ୍ୟରେ ଚାରିଆଡୁ ଶୁଭୁଥିବ ଚିକ୍ରାର । ବିଷ ବଳୟ ଭିତରେ ଯାହାର ବି ଜୀବନ ବଞ୍ଚିଥିବ ସିଏ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇ ସାରିଥିବ ନଚେତ ସବୁଦିନ ପାଇଁ ଦିବ୍ୟାଙ୍ଗ ହୋଇ ସାରିଥିବ । କିଛି ଏଭଳି ଭୟଙ୍କର ଦୃଶ୍ୟ ୧୯୪୫ ଅଗଷ୍ଟ ମାସରେ ଦେଖିବାକୁ ମିଳିଥିଲା । ଯେତେବେଳେ ଆମେରିକା ଜାପାନର ହିରୋସୀମା ଓ ନାଗାସାକିରେ ପରମାଣୁ ବୋମା ପକାଇଥିଲା । ଆଉ ଏବେ ୟୁକ୍ରେନ୍-ଋଷର ଯୁଦ୍ଧ ଭିତରେ ସେଭଳି ସ୍ଥ୍ିତି ଉପୁଜିବାର ଆଶଙ୍କା ଦେଖାଦେଇଛି । ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିଲେ ମଧ୍ୟ କେଉଁ ମୁହୂର୍ତ୍ତରେ କଣ ଯେ ଘଟିଯିବ ତାହାର ଆକଳନ କେହି କରି ପାରୁନାହାନ୍ତି । କାରଣ ଆମେରିକା ସମେତ ୟୁରୋପର ଅଧିକାଂଶ ଦେଶ ୟୁକ୍ରେନ ସମର୍ଥନରେ ଛିଡା ହୋଇଥିବା ବେଳେ ଋଷ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି । ଏପରିକି ଯୁଦ୍ଧ ଆରମ୍ଭ ଦିନରୁ ହିଁ ଋଷ ରାଷ୍ଟ୍ରପତି ପୁଟିନ୍ ଚେତାଇ ଦେଇଛନ୍ତି ଯେ, ୟୁକ୍ରେନ-ଋଷ ମଧ୍ୟରେ ଯଦି ଅନ୍ୟ କେହି ବିଦେଶୀ ଦେଶ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରେ ତେବେ ପରିଣାମ ଏମିତି ହେବ ଯାହା କେହି କେବେ ଦେଖିନଥିବେ । ଆଉ ପୁଟିନଙ୍କ ଏଭଳି ଚେତାବନୀକୁ ରକ୍ଷା ବିଶେଷଜ୍ଞ ମାନେ ପରମାଣୁ ଆକ୍ରମଣ ଆଡକୁ ଇଙ୍ଗିତ କରୁଥିବା କହିଛନ୍ତି । ତେବେ ପରମାଣୁ ଆକ୍ରମଣ ହେଲେ ତାହାର ପରିଣାମ କଣ ହେବ ତାହାର ଅନ୍ଦାଜ ଲଗାଇଲେ ଦେହ ଭୟରେ ଥରି ଉଠିବ ।

ସ୍ୱିଜରଲ୍ୟାଣ୍ଡର ଏକ ସଂସ୍ଥା ଇଣ୍ଟରନ୍ୟାସନାଲ କ୍ୟାମ୍ପେନ ଟୁ ଆବୋଲିସ ନ୍ୟୁକ୍ଲିୟର ୱିପନ୍ (ଆଇସିଏଏନ)ର ରିପୋର୍ଟ ମୁତାବକ, ଗୋଟିଏ ପରମାଣୁ ବିସ୍ଫୋରଣ କିଛି କ୍ଷଣରେ ହିଁ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଯିବ । ସେହିଭଳି ଯଦି ୧୦ଟି ପରମାଣୁ ବୋମା ବିସ୍ଫୋରଣ ହୁଏ ତେବେ ମୃତ୍ୟୁସଂଖ୍ୟା ଲକ୍ଷରେ ନୁହେଁ କୋଟି କୋଟି ଛୁଇଁବ । ଆଉ ଏହାସହ ବିଶ୍ୱର ଜଳବାୟୁ ସାଂଘାତିକ ପରିବର୍ତ୍ତନ ଦେଖିବାକୁ ମିଳିବ । ସେହିଭଳି ଯଦି ଆମେରିକା ଓ ଋଷ ମଧ୍ୟରେ ୫୦୦ରୁ ଅଧିକ ପରମାଣୁ ବୋମା ଆକ୍ରମଣ ହୁଏ ତେବେ ମୃତ୍ୟୁ ସଂଖ୍ୟା ୧୦ କୋଟିରୁ ବି ଅଧିକ ହେବ । ସେହିଭଳି ଯଦି ବିଶ୍ୱରେ ମହଜୁଦ ଥିବା ପରମାଣୁ ବୋମାର ୧%ରୁ ବି କମ ବୋମା ବିସ୍ଫୋରଣ ହୁଏ ତେବେ ୨୦୦ କୋଟି ଲୋକ ଖାଦ୍ୟଭାବ ସଙ୍କଟର ସମ୍ମୁଖୀନ ହେବେ ।

ଏବେ ବିଶ୍ୱରେ ଗ୍ଲୋବାଲ ୱାର୍ମିଙ୍ଗ ଜାରି ରହିଥିବା ବେଳେ ପରମାଣୁ ଯୁଦ୍ଧ ହେଲେ ବିଶ୍ୱର ତାପମାତ୍ରା ଦ୍ରୁତ ଗତିରେ ଖସିବ । କାରଣ ପରମାଣୁ ବୋମା ବିସ୍ଫୋରଣ ଫଳରେ ଏତେ ପରିମାଣର ଧୂଆଁ ନିର୍ଗତ ହେବ ଯେ ଏହା ପୂରା ବାୟୁମଣ୍ଡଳରେ ଏକ ଆସ୍ତରଣ ସୃଷ୍ଟି କରିବ । ଯାହା ଫଳରେ ବିଶ୍ୱର ୧୦% ସ୍ଥାନରେ ସୂର୍ଯ୍ୟ କିରଣ ମଧ୍ୟ ପହଞ୍ଚି ପାରିବ ନାହିଁ । ସେହିଭଳି ଯଦି ବିଶ୍ୱର ସମସ୍ତ ପରମାଣୁ ବୋମା ବ୍ୟବହାର ହୁଏ ତେବେ ଏଥିରୁ ପ୍ରାୟ ୧୫୦ ମିଲିୟନ ଟନ୍ ଧୂଆଁ ପୂରା ପୃଥିବୀପୃଷ୍ଠକୁ କବଳିତ କରି ରଖିବ । ଯେଉଁଥିପାଇଁ ବିଶ୍ୱର ଅଧିକାଂଶ ଦେଶରେ ବର୍ଷା ମଧ୍ୟ ହେବ ନାହିଁ । ଯାହାଦ୍ୱାରା ବିଶ୍ୱର ତାପମାତ୍ରା ମାଇନଓ ୭ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ । ଆଉ ଏଭଳି ସ୍ଥିତି ୧୮ ହଜାର ବର୍ଷ ପୂର୍ବ ହିମ ଯୁଗରେ ରହିଥିଲା । ତେଣୁ ଯଦି ସବୁ ପରମାଣୁ ବୋମା ବିସ୍ଫୋରଣ ହୁଏ ତେବେ ବିଶ୍ୱ ୧୮ ହଜାର ବର୍ଷ ପଛକୁ ଚାଲିଯିବ ।

୧୯୪୫ରେ ଯେଉଁ ପରମାଣୁ ଆକ୍ରମଣ ହୋଇଥିଲା ସେଥିରେ ହିରୋସୀମାରେ ପାଖାପାଖି ୧.୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ନାଗାସାକିରେ ଯେଉଁ ବିସ୍ଫୋରଣ ହୋଇଥିଲା ସେଥିରେ ବର୍ଷ ଶେଷ ପର୍ଯ୍ୟନ୍ତ ୭୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସବୁଠୁ ବଡ କଥା ହେଉଛି ବିସ୍ଫୋରଣ ପରେ ସ୍ଥଳବିଶେଷରେ ତାପମାତ୍ରା ୪୦୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା ।