କନକ ବ୍ୟୁରୋ: ସମୟ ଯେତେ ଗଡୁଛି, ସେତେ ସେତେ ଅଧିକ ଗୋଳିଆ ହେବାରେ ଲାଗିଛି ପାରାଦୀପ ରାଜନୀତି । ବନ୍ଦର ନଗରୀ ରାଜନୀତିର ନିକିତିରେ ଗୋଟିଏ ପଲ୍ଲାରେ ରାଉତରାୟ ଦମ୍ପତ୍ତି ଥିବାବେଳେ, ଅନ୍ୟ ପଲ୍ଲାରେ ଅଛନ୍ତି ସର୍ଖେଲ ଦମ୍ପତ୍ତି । ତେବେ ଏଥର କାହାକୁ ଭରସା କରିବ ବିଜେଡି? କାହାକୁ ମିଳିବ ପାରାଦୀପ ଟିକେଟ୍ ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଉ ଆଲୋଚନା ।

ରାଜନୈତିକ ଚର୍ଚ୍ଚା ଆଲୋଚନାକୁ ଯଦି ସତ ମନେ କରାଯାଏ । ତେବେ କୁହାଯାଉଛି ଏଥର ପାରାଦୀପ ଆସନରୁ ରିପିଟ୍ ନହେଇପାରନ୍ତି ବର୍ତ୍ତମାନର ବିଧାୟକ ତଥା ଭେଟେରାନ୍ ରାଜନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ । ତାଙ୍କ ସ୍ଥାନରେ କୌଣସି ନୂଆ ମୁହଁକୁ ସାମ୍ନାକୁ ଆଣି ନିର୍ବାଚନ ଲଢିବାକୁ ଚାହୁଁଛି ବିଜେଡି । ତେଣୁ ଯଦି ସମ୍ବିତ ରାଉତରାୟଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କ ସ୍ଥାନରେ ତାଙ୍କ ଧର୍ମପତ୍ନୀ ତଥା ଦାମ ରାଉତଙ୍କ ବୋହୂ ଗୀତାଞ୍ଜଳି ରାଉତରାୟଙ୍କୁ ବିଜେଡି ଟିକେଟ୍ ଦେଇପାରେ ବୋଲି ଗୋଟିଏ ପକ୍ଷ ଯୁକ୍ତି ରଖୁଛନ୍ତି । ତେବେ ଏ କଥାରେ କେତେ ସତ୍ୟତା ଅଛି, ଆଉ ଏ କଥା ପାରାଦୀପ ରାଜନୀତିରେ କେତେ ସତ ପ୍ରମାଣିତ ହେଉଛି, ତାହା ଦେଖିବାକୁ ବାକି ।

ଅନ୍ୟପଟେ ରାଉତରାୟ ପରିବାରକୁ ଛାଡିଦେଲେ, ପାରଦୀପ ଟିକେଟ ରେସରେ ଏବେ ସର୍ଖେଲ ଦମ୍ପତ୍ତି ମଧ୍ୟ ଆଗରେ ଅଛନ୍ତି । ଗୁରୁବାର କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ପାରାଦୀପ ଟାଣୁଆ ସଙ୍ଗଠକ ବାପି ସର୍ଖେଲ । କୁହାଯାଉଛି ଖୁବଶୀଘ୍ର ସେ ବିଜେଡିରେ ମଧ୍ୟ ସାମିଲ ହେଇପାରନ୍ତି । ଏପରି ସ୍ଥିତିରେ ସମ୍ବିତଙ୍କ ଟିକେଟ୍ କାଟି ଦଳ ତାଙ୍କୁ ପାରାଦୀପ ଆସନରୁ ଲଢିବାକୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକା ନା ଏହା ପୂର୍ବରୁ ମଧ୍ୟ ଦାମ ରାଉତ ଓ ସମ୍ବିତ ରାଉତରାୟଙ୍କୁ କଡା ଟକ୍କର ଦେଇ ନିର୍ବାଚନରେ ଅଳ୍ପକେ ପରାଜୟ ଭୋଗିଛନ୍ତି ବାପି । ଆଉ ଏଥର ସେ ଯଦି ବିଜେଡିରେ ସାମିଲ ହେଇ, ବିଜେଡି ଟିକେଟ୍ ପାଆନ୍ତି, ତେବେ ପାରାଦୀପରେ ବିଜେଡିର ସହଜ ବିଜୟ ହେବ ବୋଲି ଅନେକ ଅନୁମାନ କରୁଛନ୍ତି ।

ଖାଲି ସେତିକି ନୁହେଁ, ବାପି ସର୍ଖେଲ ପତ୍ନୀ ମୋନିଦୀପା ସର୍ଖେଲ ମଧ୍ୟ କିଛି ଦିନ ତଳେ ବିଜେଡିରେ ସାମିଲ ହେଇସାରିଛନ୍ତି । ତେଣୁ ଯଦି ବାପି ସର୍ଖେଲ ସିଧାସଳଖ ଭାବେ ନିର୍ବାଚନରେ ଭାଗ ନ ନିଅନ୍ତି । ତେବେ ତାଙ୍କ ସ୍ଥାନରେ ପତ୍ନୀ ମୋନିଦୀପା ମଧ୍ୟ ଟିକେଟ୍ ପାଇପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି । ତେଣୁ ଏଥର ପାରାଦୀପ ଆସନରୁ କିଏ ଟିକେଟ୍ ପାଉଛି, ତା ଉପରେ ରହିଛି ସମସ୍ତଙ୍କର ନଜର ।

ସୂଚନାଯୋଗ୍ୟ ଯେ, ଗତ ଥର ପାରାଦୀପ ଆସନରୁ ବିଜେଡି ଟିକେଟରେ ଲଢିଥିଲେ ସମ୍ବିତ ରାଉତରାୟ । ୨୦୧୯ରେ ତାଙ୍କୁ ଟକ୍କର ଦେଇଥିଲେ କଂଗ୍ରେସ ଟିକେଟରୁ ଲଢିଥିବା ବାପି ସର୍ଖେଲ । ସେହିପରି ଏହା ପୂର୍ବରୁ ମଧ୍ୟ ୨୦୧୪ରେ ଦାମ ରାଉତଙ୍କୁ ଟକ୍କର ଦେଇଥିଲେ ବାପି । ତେଣୁ ଏଥର ସମ୍ବିତଙ୍କ ପତ୍ନୀ କିମ୍ବା ବାପି ସର୍ଖେଲ ଦମ୍ପତିଙ୍କ ଭିତରୁ ଜଣକୁ ଟିକେଟ୍ ଦେଇ ପାରାଦୀପ ହାତେଇବାକୁ ଅଙ୍କ କଷୁଛି ଶାସକ ବିଜେଡି ।