ବର୍ଷା ପାଇଁ ମ୍ୟାଚ୍ ବାତିଲ ହେଲେ, ଚେନ୍ନାଇ ସହ କିଏ ଖେଳିବ ଫାଇନାଲ ମୁକାବିଲା? ଜାଣନ୍ତୁ କଣ ଅଛି ଆଇପିଏଲରେ ନିୟମ?

13,960

କନକ ବ୍ୟୁରୋ : ଆଇପିଏଲରେ ମୁମ୍ବାଇ-ଗୁଜୁରାଟ ମଧ୍ୟରେ ଆଜି କ୍ୱାଲିଫାୟର-୨ ମୁକାବିଲା ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । କାରଣ ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ ସେହି ଟିମ୍ ଫାଇନାଲ ଟିକେଟ ହାତେଇବ ଏବଂ ୨୮ ମେ’ରେ ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଚେନ୍ନାଇକୁ ଭେଟିବ । ଏଲିମିନେଟର ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିବା ବେଳେ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ଗୁଜୁରାଟ ପରାଜିତ ହୋଇଛି । ଉଭୟ ଟିମ୍ କ୍ୱାଲିଫାୟର-୨ ମୁକାବିଲାରେ ବିଜୟୀ ହେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଯଦି ବର୍ଷା ବାଧକ ସାଜେ ତେବେ କଣ ହେବ? କିଏ  ଚେନ୍ନାଇ ସହ ଖେଳିବ ଫାଇନାଲ ମୁକାବିଲା? କ୍ୱାଲିଫାୟର-୨ରୁ କେମିତି ବଛାଯିବ ବିଜେତା?

ଏଭଳି କିଛି ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । କାରଣ ପୂର୍ବରୁ କିଛି ମ୍ୟାଚରେ ବର୍ଷା ବାଧକ ସୃଷ୍ଟି କରିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଇପିଏଲର ଫାଇନାଲ, କ୍ୱାଲିଫାୟର-୧, କ୍ୱାଲିଫାୟର-୨ ଓ ଏଲିମିନେଟର ମ୍ୟାଚ୍ ପାଇଁ ଭିନ୍ନ ନିୟମ ରହିଛି । ଯଦି ମ୍ୟାଚ୍ ଟାଏ ରୁହେ କିମ୍ବା କୌଣସି କାରଣରୁ ଫଳାଫଳ ନ ଆସେ ତେବେ ଏହି ନିୟମ ଲାଗୁ ହେବ ।

ଏଭଳି ସ୍ଥିତି ଉପୁଜିଲେ ସୁପର ଓଭରରେ ଉଭୟ ଟିମ୍ ମଧ୍ୟରୁ ବିଜେତା ବଛାଯିବ । ଯଦି ସୁପର ଓଭର ମଧ୍ୟ ନହୋଇ ପାରିଲା ତେବେ ମ୍ୟାଚର ବିଜେତା ପ୍ଲେଇଙ୍ଗ କଣ୍ଡିସନ ଆପେଣ୍ଡିକ୍ସ ଅନୁଯାୟୀ ବଛାଯିବ । ଅଥାର୍ତ ମ୍ୟାଚରେ ଯଦି ଗୋଟିଏ ବି ବଲ ପଡିନଥାଏ କିମ୍ବା ସୁପର ଓଭରର ସମ୍ଭାବନା ନଥାଏ ତେବେ ଆପେଣ୍ଡିକ୍ସ ଏଫ୍ ଲାଗୁ ହେବ । କୌଣସି କାରଣରୁ ଯଦି ମ୍ୟାଚଟି ସମ୍ପୂର୍ଣ୍ଣ ରଦ୍ଦ ହୁଏ ତେବେ ପଏଣ୍ଟ ଟେବୁଲର ଉପରେ ଥିବା ଟିମକୁ ବିଜେତା ଘୋଷଣା କରାଯିବ । ତେଣୁ ଯଦି ବର୍ଷା କିମ୍ବା ଅନ୍ୟ କାରଣରୁ ମ୍ୟାଚ୍ ଖେଳାନଯାଏ ତେବେ ଗୁଜୁରାଟକୁ ଏହାର ଫାଇଦା ମିଳିବ । କାରଣ ଲିଗ୍ ପର୍ଯ୍ୟାୟରେ ଗୁଜୁରାଟ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ଗୁଜୁରାଟ ୧୪ ମ୍ୟାଚରୁ ୧୦ଟିରେ ବିଜୟୀ ହୋଇ ଟେବୁଲ ଟପ୍ପର ଥିଲା । ଅନ୍ୟପଟେ ମୁମ୍ବାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା । ଯେହେତୁ ଆଇପିଏଲରେ ରିଜର୍ଭ ଡେର ସୁବିଧା ନାହିଁ ତେଣୁ ଏଭଳି ସ୍ଥିତି ଉପୁଜିଲେ ଗୁଜୁରାଟକୁ ଫାଇଦା ମିଳିବ । କିନ୍ତୁ କ୍ରିକେଟପ୍ରେମୀଙ୍କ ସେଭଳି ସ୍ଥିତିର ସାମ୍ନା କରିବେନି । କାରଣ ଆଇଏମଡି ୱେବସାଇଟରେ ଅହମ୍ମଦାବାଦର ପାଗକୁ ନେଇ ଭଲ ଆକଳନ କରିଛି । ଅହମ୍ମଦାବାଦରେ ଆଜି ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ରହିବାକୁ ଥିବା ବେଳେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିବ । ଏହି ସମୟରେ ଆକାଶ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ସଫା ରହିବ । ଅଥାର୍ତ ଅହମ୍ମଦାବାଦରେ ଆଜି ବର୍ଷା ହେବାର ସମ୍ଭାବନା ଆଦୌ ନାହିଁ । ତେଣୁ କ୍ରିକେଟପ୍ରେମୀ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ପାଇବେ । ହୋମଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଗୁଜୁରାଟ ଏହି ମ୍ୟାଚରେ ବିଜୟୀ ହୋଇ ଲଗାତାର ଦ୍ୱିତୀୟ ଥର ଫାଇନାଲ ଖେଳିବାକୁ ଚେଷ୍ଟା କରିବ । ଅନ୍ୟପଟେ ଗୁଜୁରାଟକୁ ମାତ୍ ଦେଇ ମୁମ୍ବାଇ ୭ମ ଥର ପାଇଁ ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇବ ।