ଆମେରିକା ଆକ୍ରମଣର ପରିଣାମ ଭୋଗିପାରେ ପୂରା ବିଶ୍ୱ । ଯଦି ଇରାନ ଏହି ରାସ୍ତା ବନ୍ଦ କରିଦିଏ, ତେବେ ପୂରା ବିଶ୍ୱରେ ତେଲ ପାଇଁ ପଡିଯିବ ହାହାକାର ।

4,719

ଇରାକର ବାଗଦାଦ ଉପରେ ଆମେରିକାର ଆକ୍ରମଣର ପ୍ରଭାବ ଏବେ ପୂରା ବିଶ୍ୱ ଭୋଗିବାକୁ ଯାଉଛି । ଆମେରିକା ସେନାର ଏୟାରଷ୍ଟ୍ରାଇକରେ ଇରାନ କୁର୍ଦ୍ଦୁଶ ଫୋର୍ସର ମୁଖ୍ୟ କାସିମ ସୁଲେମାନ ମୃତ୍ୟୁ ବରଣ କରିଛି । ଆଉ ଏହାର ପ୍ରତିଶୋଧ ନେବାକୁ ଇରାନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଏୟାରଷ୍ଟ୍ରାଇକ ପରେ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି । ଏଭଳି ସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢିଯାଇଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଆମେରିକା ଓ ଇରାନ ମଧ୍ୟରେ ଯେତେବେଳେ ତିକ୍ତତା ଚରମସୀମାରେ ପହଞ୍ଚିଛି ଏହାର ପରିଣାମ ପୂରା ବିଶ୍ୱକୁ ଭୋଗିବାକୁ ପଡିଛି । ତେଣୁ ଆମେରିକାର ଏହି ଏୟାରଷ୍ଟ୍ରାଇକ ପରେ ଯଦି ଇରାନ ବିଶ୍ୱର ତେଲ ଧମନୀ କୁହାଯାଉଥିବା ହର୍ମ୍ୟୁଜ ଜଳପଥକୁ ବନ୍ଦ କରିଦେବ ତେବେ ତେଲ ପାଇଁ ତ୍ରାହି ତ୍ରାହି ଡାକିବେ ବିଶ୍ୱବାସୀ । କାରଣ ଏହି ଜଳପଥ ଦେଇ ବିଶ୍ୱର ଅଧିକାଂଶ ଦେଶକୁ ତେଲ ରପ୍ତାନୀ ହୋଇଥାଏ । ତେଣୁ ଏହି ରାସ୍ତା ବନ୍ଦ କରିଦେଲେ ବିଶ୍ୱର ଅଧିକାଂଶ ଦେଶରେ ତେଲ ପାଇଁ ହାହାକାର ପଡିଯିବ ।

ହର୍ମ୍ୟୁଜ ଜଳପଥ ଦେଇ ସାଉଦି ଆରବ, ଇରାକ, କୁଏତ, କତର, ଇରାନ ଓ ୟୁଇଏରୁ ବିଶ୍ୱର ଅନ୍ୟ ଦେଶକୁ ତେଲ ରପ୍ତାନୀ ହୋଇଥାଏ । ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟତଃ ୧୫ ମିଲିୟନ ବ୍ୟାରେଲ ତେଲ ଅନ୍ୟ ଦେଶକୁ ସପ୍ଲାଇ ହୋଇଥାଏ । ତେଣୁ ଏହି ରାସ୍ତାକୁ ଇରାନ ବନ୍ଦ କରିଦେଲେ ଆମେରିକା, ୟୁକେ ସମେତ ଅଧିକାଂଶ ଦେଶରେ ତେଲ ସଂକଟ ଦେଖାଯିବ । ଏପରିକି ସମୁଦ୍ର ତଟବର୍ତ୍ତୀ ଦେଶ ଗୁଡିକରେ ସଂଘର୍ଷ ଦେଖାଦେଇପାରେ । ଏହାର ପ୍ରଭାବ ସିଧାସଳଖ ଭାରତର ତୈଳ ବଜାର ଉପରେ ମଧ୍ୟ ପଡିବ । କାରଣ ଏହି ସବୁ ଦେଶ ଗୁଡିକ ଠାରୁ ଭାରତ ତେଲ ଆମଦାନୀ କରୁଛି ।

୧୯୮୦ରୁ ୧୯୮୮ ମଧ୍ୟରେ ଇରାକ-ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ଉଭୟ ଦେଶ ପରସ୍ପରର ତୈଳ ଜାହାଜ ଉପରେ ଆକ୍ରମଣ କରିଥିଲେ । ଯାହାକୁ ଗଣମାଧ୍ୟମ ଟ୍ୟାଙ୍କର ଯୁଦ୍ଧର ନାଁ ଦେଇଥିଲା । ସେତେବେଳେ ମଧ୍ୟ ହର୍ମ୍ୟୁଜ ଜଳପଥ ଦେଇ ହେଉଥିବା ତୈଳ କାରବାର ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ଯାହାର ପରିଣାମ ପୂରା ବିଶ୍ୱ ଭୋଗିଥିଲା । ଆଉ ଆଜି ଏୟାରଷ୍ଟ୍ରାଇକ କରିବା ପରେ ଆମେରିକା ପକ୍ଷରୁ ଇରାନରେ ଥିବା ସମସ୍ତ ନାଗରିକଙ୍କୁ ସ୍ୱଦେଶ ଫେରି ଆସିବାକୁ କୁହାଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ସଙ୍ଗୀନ ସ୍ଥିତି ଉପରେ ଭାରତର ନଜର ରହିଛି ।