ମମତାଙ୍କୁ ହାରିବା ଭୟ ! କହିଲେ ବର୍ଷା ହେଲେ ବି ଭୋଟ୍ ଦବାକୁ ଯିବ, ମୁଁ ନଜିତିଲେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ ।

259

କନକ ବ୍ୟୁରୋ : ଦିଦିଙ୍କୁ ଘାରିଲାଣି କି ହାରିବା ଭୟ ? କ’ଣ ହେବ ଭବାନୀପୁର ଉପନିର୍ବାଚନ ଫଳାଫଳ ? ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖରେ ଭବାନୀପୁରରେ ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ଆଉ ଏହା ସହ ଇଭିଏମରେ ସିଲ୍ ହୋଇଯିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ । ତେବେ ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଘାରିଛି ପରାଜୟର ଭୟ । ଯାହା ଭବାନୀପୁରରେ ମମତା ଦେଇଥିବା ଉଦବୋଧନରୁ ସ୍ପଷ୍ଟ ବାରିହୋଇପଡୁଛି ।

ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ସେପ୍ଟେମ୍ବର ୩୦ରେ ଧାର୍ଯ୍ୟ ହୋଇଥିବା ଭବାନୀପୁର ବିଧାନସଭା ଉପନିର୍ବାଚନରେ ତାଙ୍କୁ ହିଁ ଭୋଟ ଦେବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ବର୍ଷା ହେଉଥିଲେ ବି ଭୋଟ ଦେବାକୁ ଯିବ, ମୁଁ ନଜିତିଲେ ଆଉ କିଏ ମୁଖ୍ୟମନ୍ତ୍ରୀ ହୋଇଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏକବାଲପୁରରେ ପ୍ରଥମ ନିର୍ବାଚନୀ ବୈଠକ କରି ଦିଦି କହିଛନ୍ତି ଯେ, ବର୍ଷା ହେଲେ ବି ଭୋଟ୍ ଦେ ବ। ଯଦି ମୁଁ ଗୋଟିଏ ବି ଭୋଟ୍ ନ ପାଏ ତେବେ ତାହା ମୋ ଉପରେ ଗଭୀର ପ୍ରଭାବ ପକାଇବ । ମୋର ବିଜୟ ନିଶ୍ଚିତ ବୋଲି ଭାବି ଘରେ ବସିଯିବ ନାହିଁ । ଯଦି ତୁମେ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛ, ତେବେ ତୁମମାନଙ୍କୁ ମୋତେ ଭୋଟ୍ ଦେବାକୁ ପଡିବ । ପ୍ରତ୍ୟେକ ଭୋଟ୍ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ମୁଁ ଜିତେ ନାହିଁ, ଆମର ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହୋଇଯିବ ।

ମମତା ବାନର୍ଜୀ ବୈଠକରେ କରୋନା ମହାମାରୀ କାରଣରୁ ତ୍ରିପୁରାରେ ବିପ୍ଲବ ଦେବ ସରକାର ଲଗାଇଥିବା ନିଷେଧାଦେଶ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ‌ଯେ, “ବିଜେପି ହେଉଛି ମିଥ୍ୟାବାଦୀ ଦଳ । ସେମାନେ ପଶ୍ଚିମବଙ୍ଗବାସୀଙ୍କୁ ଦୁର୍ଗା ପୂଜା ଏବଂ କାଳୀ ପୂଜା କରିବାକୁ ଅନୁମତି ଦିଆଯିବନାହିଁ ବୋଲି କହୁଛନ୍ତି । ସମସ୍ତ ସମ୍ପ୍ରଦାୟର ଲୋକମାନେ ଏଠାରେ ନିଜ ଧର୍ମକୁ ମୁକ୍ତ ଭାବରେ ପାଳନ କରୁଥିବାବେଳେ ତ୍ରିପୁରାରେ ସରକାର ଧାରା ୧୪୪ ଲାଗୁ କରିଛନ୍ତି । ତ୍ରିପୁରା ବାସିନ୍ଦା ଦୁର୍ଗା ପୂଜା କିପରି କରିବେ ବୋଲି ଦିଦି କହିଛନ୍ତି ।