ମୁଁ ଯଦି ବିଦେଶୀ, ବଦ୍ରି ବାବୁ ଡରୁଛନ୍ତି କଣ ପାଇଁ? ୨୫ ବର୍ଷ ହେଲା ଘଷିପୁରାକୁ ଅଶାନ୍ତ କରୁଥିଲେ ବଦ୍ରି ବାବୁ । ସବୁ ବୁଥରେ ଏଥର ଲାଗୁ ସିସିଟିଭି: ସୌମ୍ୟରଞ୍ଜନ ପଟ୍ଟନାୟକ

232

କନକ ବ୍ୟୁରୋ: ଘଷିପୁରାରେ ନିର୍ବାଚନୀ ହିଂସାକୁ ନେଇ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରେସମିଟ୍ । ଶନିବାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କୁ ପ୍ରଶ୍ନ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ।

ସୌମ୍ୟରଞ୍ଜନ କହିଛନ୍ତି, “ବଦ୍ରି ବାବୁ ଯାହା କହିବାକୁ ଚେଷ୍ଟା କରୁଛନ୍ତି । ତାହା ଶୁଣି ମୋତେ ହସ ମାଡୁଛି, ଲାଜ ବି ମାଡୁଛି । ମୁଁ ବ୍ୟସ୍ତ ଆଉ ବିବ୍ରତ ମଧ୍ୟ । ତେବେ ତାଙ୍କ ଭଳି ଜଣେ ଅନୁଭବୀ, ପୂବର୍ତନ ମନ୍ତ୍ରୀ ଯାହା କହୁଛନ୍ତି ତାହା ଭିତରେ ତାଳମେଳ ନାହିଁ । ସେମାନେ ମୋତେ ବିଦେଶୀ ବୋଲି କହୁଛନ୍ତି । ମୋତେ କେହି ଜାଣିନାହାଁନ୍ତି ବୋଲି କହୁଛନ୍ତି । ତେବେ ମୋତେ ଯଦି କେହି ବି ଜାଣିନାହାଁନ୍ତି, ତେବେ ସେ ଖୁସି ହେବା କଥା । ମୋ ପାଇଁ ସେ ଏତେ ବ୍ୟସ୍ତ କଣ ପାଇଁ ହେଉଛନ୍ତି, ଡରୁଛନ୍ତି କଣ ପାଇଁ?”

ଖାଲି ସେତିକି ନୁହେଁ ସୌମ୍ୟରଞ୍ଜନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବଦ୍ରି ପାତ୍ର ତାଙ୍କୁ ଏକ ନମ୍ବର ଗୁଣ୍ଡା ବୋଲି କହୁଛନ୍ତି । ଆଉ ସେ ଘଷିପୁରାରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି । ହେଲେ ଏଠାରେ କିନ୍ତୁ ସୈତାନ ବେଦ ପାଠ ଭଳି କାମ କରୁଛନ୍ତି ବଦ୍ରି ପାତ୍ର । ଦୀର୍ଘ ୨୫ ବର୍ଷ ଧରି ବଦ୍ରି ବାବୁ ଘଷିପୁରାରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି । ହେଲେ ଓଲଟା କହୁଛନ୍ତି, ଶାନ୍ତ ଘଷିପୁରାକୁ ମୁଁ ଅଶାନ୍ତ କରିଦେଇଛି ।

ବଦ୍ରି ବାବୁଙ୍କ ମାନସିକ ଭାରସମ୍ୟ କମି କମି ଯାଉଛି । ରାଜନୀତି କରିବାର ଅଛି, ଯଦି ସମ୍ମୁଖ ଲଢେଇ ହେଉ । ଯିଏ ବସନ୍ତ ଚକ୍ରକୁ ପିଟିଥିଲା, ତାଙ୍କ ସହ ବଦ୍ରି ବାବୁଙ୍କ ସମ୍ପର୍କ କଣ ? ଟୁଲୁ ସାହୁ କିଏ? ଟୁଲୁ ବାବୁଙ୍କ ସହ ବଦ୍ରି ବାବୁଙ୍କ ସମ୍ପର୍କ କଣ? ବୋଲି ପ୍ରଶ୍ନ କରିବା ସହିତ ଘଷିପୁରାର ସମସ୍ତ ବୁଥରେ ସିସିଟିଭି ଲଗେଇବାକୁ ଦାବି କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥସହ ବିନା ବୁଥ୍ ରିଗିଂରେ ଯଦି ଘଷିପୁରାରେ ନିର୍ବାଚନ ହେଇପାରିଲା ତେବେ ସେ ନିର୍ବାଚନ କମିସନକୁ ଧନ୍ୟବାଦ ଦେବେ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।