କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ଯାଇଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଆଉ ଏବେ ଗୋପାଳର ନୂଆ ଠିକଣା ପାଲଟି ଯାଇଛି ଝାରସୁଗୁଡାର ଉପକାରାଗର । ଯିଏ ଦିନେ ବିଭିନ୍ନ ଅପରାଧରେ ଜଡିତ ଅଭିଯୁକ୍ତଙ୍କୁ ଧରି ଜେଲ ପଠାଉଥିଲା, ଆଜି ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିବା ଅଭିଯୋଗରେ ଜେଲ ଯାଇଛି ।

Advertisment

ସକାଳ – ପ୍ରାୟ଼ ୧୦ଟା ୩୦
ସ୍ଥାନ- ଝାରସୁଗୁଡା ଜେଏମଏଫସି କୋର୍ଟ

୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ, ଗୋପାଳକୁ କୋର୍ଟରେ ହାଜର କରାଯାଇଥିଲା । କଡା ସୁରକ୍ଷା ଭିତରେ କୋର୍ଟରେ ହାଜର କରାଯାଇଥିଲା ଅଭିଯୁକ୍ତ ଗୋପାଳକୁ । ତଦନ୍ତକାରୀ ସଂସ୍ଥା ଗୋପାଳକୁ ଆଉ ରିମାଣ୍ଡରେ ନେବାକୁ ଆବେଦନ ନକରିବାରୁ ତାକୁ ଜେଲକୁ ପଠାଇ ଦେଇଛନ୍ତି କୋର୍ଟ ।

ଜେଲ ପଠାଇବା ପରେ ପୁଣି ଥରେ ଗୋପାଳଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଆଉ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତର ସିଆରପିସି ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି । ସେହି ସମୟର ଦୃଶ୍ୟକୁ ଭିଡିଓଗ୍ରାଫି କରାଯାଇଛି । ପରବର୍ତ୍ତୀ ସମୟରେ ଏହା ତଦନ୍ତକାରୀ ସଂସ୍ଥା ପାଇଁ ପ୍ରମାଣ ହେବ । କୁହାଯାଉଛି, ଗୋପାଳ ଏବେ ଯାହା କହିଛି ପରେ କାଳେ କଥା ବଦଳାଇବ, ସେଥିପାଇଁ ତାର ବୟାନ ରେକର୍ଡ କରାଯାଇଛି ।

ଅଭିଯୁକ୍ତ ଗୋପାଳକୁ ତିନି ତିନି ଥର ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିଲେ ବି,
ଗୁଜୁରାଟ ନେଇ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିଥିଲେ ବି, ସେ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା ତାର କାରଣ କଣ ତାହା ସ୍ପଷ୍ଟ କରିନି । ଆଉ ଏତିକିବେଳେ, ନବ ଦାସଙ୍କୁ ଗୋପାଳ ମାରିଥିବା କଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାବୁରୁ ନେତା ବନିଥିବା ବିଜୟ ପଟ୍ଟନାୟକ ।
ସେହିପରି ବିଜେପି ସାଂସଦ ସୁରେଶ ପୂଜାରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏପଟେ ରାଜ୍ୟର ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ତିନି ଦିନ ଆନ୍ଦୋଳନ କରିବାକୁ ଯାଉଛି ବିଜେପି ।

ନବ ଦାସଙ୍କ ହତ୍ୟାକାଣ୍ଡର କାରଣ କଣ ଜଣାପଡିନଥିଲେ ବି ବିଭିନ୍ନ ଖବରକାଗଜର ରିପୋର୍ଟ ଅନୁସାରେ କ୍ରାଇମବ୍ରାଞ୍ଚକୁ ଏହା ଭିତରେ ହତ୍ୟାକାଣ୍ଡର କାରଣ ମିଳିଯାଇଛି । ଏବଂ ଏସଏଫଏସଏଲରୁ ଆସିଥିବା ଗୋପାଳ ବନ୍ଧୁକର ରିପୋର୍ଟ, ଗୋପାଳ ହାତରେ ଲାଗିଥିବା ଗନ୍ ପାଉଡରର ହାଣ୍ଡସ୍ୱାବ, ଗୋପାଳ ପୋଷାକରେ ଲାଗିଥିବା ଗନ ପାଉଡର ଓ ନବ ଦାସଙ୍କ ପୋଷାକରେ ଲାଗିଥିବା ଗନ ପାଉଡରର ରିପୋର୍ଟ ମେଳ ଖାଇଯାଉଛି । ଖୁବ ଶୀଘ୍ର ଏହି ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ ।