ଏଟିଏମରୁ ଚିରା ଫଟା ନୋଟ ବାହାରିଲେ ଚିନ୍ତା କରିବାର କିଛି ନାହଁ । ତୁରନ୍ତ ବ୍ୟାଙ୍କକୁ ଯାଇ ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ । ବ୍ୟାଙ୍କ ତୁରନ୍ତ ବଦଳାଇବ ଆପଣଙ୍କ ନୋଟ

227

କନକ ବ୍ୟୁରୋ : ଆଜିର ସମୟରେ ନଗଦ ଟଙ୍କାର ଆବଶ୍ୟକତା ପଡିଲେ ଲୋକମାନେ ତୁରନ୍ତ ଏଟିଏମ ଯାଇ ନିଜର ଆବଶ୍ୟକ ମୁତାବକ ଟଙ୍କା ବାହାର କରିଥାନ୍ତି । ମାତ୍ର ବେଳେ ବେଳେ ଏମିତି ହୋଇଥାଏ କି ଏଟିଏମରୁ ବାହାରିଥିବା ନୋଟ ମଧ୍ୟରୁ କିଛି ଚିରା ଫଟା ନୋଟ ଥାଏ । ଏହାକୁ ନେଇ ଲୋକମାନେ ଚିନ୍ତାବ୍ୟକ୍ତ କରିଥାନ୍ତି । କାରଣ ଏହି ଚିରା ଫଟା ନୋଟ ବଜାରରେ ଚଳି ନଥାଏ । ହେଲେ ଏନେଇ କଣ କରିଲେ ଆପଣ ଆପଣଙ୍କ ନୋଟ ବଦଳାଇ ପାରିବେ ।

ଯଦି ଏଟିଏମରୁ ବାହାର କରିଥିବା ଟଙ୍କା ଭିତରୁ କିଛି ଚିରା ଫଟା ନୋଟ ଥାଏ, ତାହାଲେ ଚିନ୍ତା କରିବାର କିଛି ନାହିଁ । ଏହି ନୋଟକୁ ଆପଣ ସହଜରେ ବଦଳାଇପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ମୁତାବକ ଏହି ଚିରା ଫଟା ନୋଟକୁ ବଦଳାଇବାକୁ କୌଣସି ବ୍ୟାଙ୍କ ମନାକରିପାରିବ ନାହିଁ । ଏଥିପାଇଁ ଅଧିକ ସମୟର ଆବଶ୍ୟକତା ନାହିଁ । କିଛି ମିନିଟ୍ ମଧ୍ୟରେ ବଦଳାଇପାରିବେ ଏହି ନୋଟ ।

ଏଟିଏମରୁ ବାହାରି ଥିବା ଚିରା ଫଟା ନୋଟକୁ ଆପଣ ସେହି ବ୍ୟାଙ୍କକୁ ନେଇକି ଯାଆନ୍ତୁ, ସେହି ଏଟିଏମ ସହିତ ଯେଉଁ ବ୍ୟାଙ୍କର ଲିଙ୍କ୍ ଥିବ । ସେଠାରେ ପହଂଚି ଆପଣ ଏକ ଦରଖାସ୍ତ ଲେଖନ୍ତୁ । ଏହି ଦରଖାସ୍ତରେ ଆପଣ ଏଟିଏମରୁ କେଉଁ ତାରିଖରେ ଟଙ୍କା ବାହାର କରିଛନ୍ତି । ଟଙ୍କା ବାହାର କରିବାର ସମୟ ଓ ଏଟିଏମଟି କେଉଁ ସ୍ଥାନରେ ଅବସ୍ଥିତ ତାହା ଉଲ୍ଲେଖ କରନ୍ତୁ । ଏହି ଦରଖାସ୍ତ ସହ ଟଙ୍କା ଉଠାଣ ବେଳେ ଏଟିଏମରୁ ବାହାରିଥିବା ସ୍ଲିପକୁ ସଲଗ୍ନ କରନ୍ତୁ । ଯଦି ସ୍ଲିପ୍ ମିଳିନାହିଁ ତେବେ ମୋବାଇଲକୁ ଆସିଥିବା ମେସେଜର ସୂଚନା ଦେବାକୁ ହେବ । ଏହା ଆପଣ ବ୍ୟାଙ୍କ ଶାଖାରେ ଜମା କରିବାର କିଛି ସମୟ ମଧ୍ୟରେ ବ୍ୟାଙ୍କ ଆପଣଙ୍କ ଚିରା ଫଟା ନୋଟ ବଦଳାଇ ଭଲ ନୋଟ ଦେଇଦେବ ।
କହିରଖୁ କି ୨୦୧୭ ଏପ୍ରିଲ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗାଇଡଲାଇନ ଜାରି କରିଥିଲେ । ଏଥିରେ କୁହାଯାଇଥିଲା କି ସମସ୍ତ ବ୍ୟାଙ୍କ ଚିରା ଫଟା ନୋଟ ବଦଳାଇବାକୁ ବାଧ୍ୟ । ଏହାସହ ଯଦି ଆପଣଙ୍କ ବ୍ୟାଙ୍କ ଏହାକୁ ବଦଳାଇବାକୁ ମନାକରେ ତେବେ ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗିବ ବୋଲି ରିଜର୍ଭ ବ୍ୟାଙ୍କ ତାଙ୍କ ଗାଇଡ ଲାଇନରେ କହିଛନ୍ତି ।