ବଦଳୁଛି ପଶ୍ଚିମ ଓଡ଼ିଶା ସମୀକରଣ ! ଯଦି ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ, ହିଞ୍ଜିଳିରୁ ଲଢ଼ିବ କିଏ ?

390

କନକ ବ୍ୟୁରୋ: ଆସନ୍ତାକାଲି ସ୍ପଷ୍ଟ ହେବ କେଉଁ ଆସନକୁ ବାଛିବେ ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାକୁ ନବୀନ ଯିବା ନେଇ ସଂକେତ ଦେବାପପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏପରିକି ରାଜନୈତିକ ମହଲରେ ଏବେ ଦୁଇଟି ବଡ ପ୍ରଶ୍ନ ଛିଡ଼ା ହୋଇଛି ଯେ ହିଞ୍ଜିଳି ଆସନରୁ କିଏ ପାଇବ ବିଜେଡି ଟିକେଟ ? ଆଉ ପଶ୍ଚିମ ଓଡିଶାର କେଉଁ ଆସନକୁ ବାଛିବେ ନବୀନ ?

ପ୍ରଥମ ପ୍ରଶ୍ନକୁ ତର୍ଜମା କଲେ, ବିଗତ ଦୁଇ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ୪ଥର ନିର୍ବାଚନ ଲଢ଼ି ଯେଉଁଭଳି ବିଜୟଧାରା ବଜାୟ  ରଖିଛନ୍ତି ନବୀନ ତାଙ୍କ ସ୍ଥାନ ପାଇଁ ବିଜେଡିରୁ କାହାକୁ ବାଛିବେ ? ଏଭଳି ପ୍ରଶ୍ନ ଏବେ ବିଜେଡି ଶିବିରକୁ ଦ୍ୱନ୍ଦରେ ପକାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ନିକଟତର ହେଉବାବେଳେ ନବୀନଙ୍କ ଏଭଳି ସଂକେତ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

ସେପଟେ ଏବେ ଦ୍ୱିତୀୟ ପ୍ରଶ୍ନକୁ ନେଇ ମଧ୍ୟ ଶଙ୍ଖ ଦଳରେ ଚର୍ଚ୍ଚା ଜୋର ଧରିଛି ଯେ, ନବୀନ ଯଦି ଆସନ ବଦଳାଇ ପଶ୍ଚିମ ଓଡ଼ିଶାକୁ ଯାଆନ୍ତି ତେବେ ପଶ୍ଚିମ ଓଡିଶାର କେଉଁ ଆସନକୁ ବାଛିବେ ନବୀନ ? ଦ୍ଵିତୀୟ, ତୃତୀୟ ପର୍ଯ୍ୟାୟରେ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାରେ ନିର୍ବାଚନ । ବିଜେପୁର ଉପ ନିର୍ବାଚନ ବେଳେ ନବୀନ ବିଜେପୁରକୁ ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଅଭିହିତ କରିଥିଲେ । ଏହାର ବିକାଶ କାମକୁ ନିଜେ ଦେଖିବେ ବୋଲି କହିଥିଲେ। ତେବେ ନବୀନଙ୍କ ଫୋକସରେ କେଉଁ ଆସନ ରହିବ ତାହା ଆସନ୍ତା କାଲି ସ୍ପଷ୍ଟ ହୋଇଯିବ ବୋଲି ଶୁଣିବାକୁ ମିଳୁଛି ।

ଯଦି ବିଗତ ଦୁଇଟି ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ, ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ମୋଟ୍ ୩୦ଟି ବିଧାନସଭା ଆସନରୁ ବିଜେଡି ହାତକୁ ୧୭ଟି ଆସିଥିବା ବେଳେ ବିଜେପିକୁ ୭ଟି, କଂଗ୍ରେସକୁ ୪ଟି ଏବଂ ଅନ୍ୟାନ୍ୟ ୨ଟି ଆସନରେ ଜିତିଥିଲେ । ସେହିଭଳି ୨୦୦୯ ସାଧାରଣ ନିର୍ବାଚନରେ ୩୦ଟି ବିଧାନସଭା ଆସନରୁ ବିଜେଡି ଦଖଲକୁ ୧୨ଟି ଆସନ ଆସିଥିବାବେଳେ ବିଜେପିକୁ ୭ଟି, କଂଗ୍ରେସ ଖାତାକୁ ୧୩ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଥିଲେ । ତେବେ ଗତ ୨୦୧୪ ନିର୍ବାଚନ ଠାରୁ ଚଳିତ ଥର ଅଧିକ ଆସନ ହାତେଇ  କ୍ଲିନ୍ ସୁଇପ୍ କରିବାକୁ ପଶ୍ଚିମ ଓଡ଼ିଶା ନିର୍ବାଚନୀ ମୈଦାନକୁ ନବୀନ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ସେପଟେ ଓଡ଼ିଶରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବାକୁଥିବାବେଳେ ନବୀନଙ୍କ ଏଭଳି ସଂକେତ ବିରୋଧୀ ଶିବିରରେ ଛନକା ପସାଇଥିବା ଚର୍ଚ୍ଚା ହେଉଛି । ଏପରିକି ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ ବିରୋଧୀ ଶିବିରରୁ ମଧ୍ୟ ନବୀନଙ୍କୁ ପ୍ରତିଦ୍ୱନ୍ଦୀତା କରିବାକୁ ହେଭିୱେଟଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିପାରେ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।