କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ଓଡିଶାରେ ବଢିଲା ରାଜନୈତିକ ଚର୍ଚ୍ଚା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଓ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଚର୍ଚ୍ଚାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି ଭର୍ତ୍ତୃହରି । ପ୍ରାୟ ୩୦ ମିନିଟ୍ ଧରି ପ୍ରଧାନମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିବା ଜଣାପଡିଛି ।

Advertisment

ଯଦିଓ କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ ବରଂ ଏକ ଅନ୍ତର୍ଜାତୀୟ ସମିଟରେ ଯୋଗଦେବା ନେଇ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିବା କହିଛନ୍ତି । କିନ୍ତୁ ତାଙ୍କର ଏହି ସାକ୍ଷାତ୍ ଓଡିଶା ରାଜନୀତିରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଭର୍ତ୍ତୃହରି ବିଜେପି ଆଡକୁ ଢଳୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । କାରଣ କେନ୍ଦ୍ରୀୟ ବିଜେପିର ସେ ଖୁବ ନିକଟତର ବୋଲି ଜଣାଶୁଣା । ପ୍ରଜାତନ୍ତ୍ରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଅନେକ ସମୟରେ ଭର୍ତ୍ତୃହରି କେନ୍ଦ୍ରର ନେତାଙ୍କୁ ଭେଟିବାର ନଜିର ରହିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନେକ ଥର ଖୁଲମଖୁଲା ପ୍ରଶଂସା କରି ଚର୍ଚ୍ଚାରେ ରହିଛନ୍ତି । ସବୁଠାରୁ ବଡ କଥାହେଲା ଗତ ୨୦୧୯ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ବିଜେଡିରୁ ଟିକେଟ୍ ପାଇଥିଲେ ଭର୍ତ୍ତୃହରି ମହତାବ । ହେଲେ ଗତ ୫ ବର୍ଷ ଭିତରେ ଦଳ ସହ ନଥିବା ପରି ମନେ ହେଉଛି । ତେଣୁ ୨୦୨୪ରେ ବିଜେଡି ତାଙ୍କୁ ଟିକେଟ ନଦେଲେ, ଭର୍ତ୍ତୃହରିଙ୍କ ପାଇଁ ବିଜେପି ହିଁ ଏକମାତ୍ର ରାଜନୈତିକ ବିକଳ୍ପ ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।