କନକ ବ୍ୟୁରୋ : ଏନସିପିରେ ବିଦ୍ରୋହ ହେବା ନେଇ ସମ୍ଭାବନା ବଢୁଥିବା ବେଳେ ଦଳର ସଭାପତି ଶରଦ ପାୱାର ବଡ ବୟାନ ଦେଇଛନ୍ତି । ଏନସିପି ପ୍ରମୁଖ ଶରଦ ପାୱାର କହିଛନ୍ତି, ଯଦି କେହି ଏନସିପିକୁ ଭାଙ୍ଗିବାକୁ ଷଡଯନ୍ତ୍ର କରେ ତେବେ ଦଳ କଡା କାର୍ଯ୍ୟାନୁଷ୍ଠାନ ନେବ । ପୁତୁରା ଅଜିତ ପାୱାର ବିଜେପିକୁ ଯିବା ନେଇ ଚର୍ଚ୍ଚା ବଢୁଥିବା ବେଳେ ଶରଦଙ୍କର ଏଭଳି ବୟାନ ସାମ୍ନାକୁ ଆସିଛି ।

Advertisment

ମହାରାଷ୍ଟ୍ର ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଅଜିତ ପାୱାର ଶାସକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି । ଏପରିକି ଅଜିତ ପାୱାର ମଧ୍ୟ କହି ସାରିଛନ୍ତି ମୁଁ ୧୦୦% ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଆଉ ଏଭଳି ବୟାନ ଦର୍ଶାଉଥିଲା ଯେ, ଏନସିପିରେ ବଡ ଧରଣର ଓଲଟପାଲଟ ହେଇପାରେ । ଏପରିକି ୩୦ରୁ ଅଧିକ ବିଧାୟକଙ୍କ ସହ ଅଜିତ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଅଜିତ ପାୱାର । ସେ କହିଛନ୍ତି, ମୁଁ ଏନସିପିରେ ଅଛି ଏବଂ ଏନସିପିରେ ରହିବି ମଧ୍ୟ । ମୋ ନାଁରେ ଯେଉଁ ଅପପ୍ରଚାର କରାଯାଉଛି ସେଥିରେ ସତ୍ୟତା ନାହିଁ ।

ଅନ୍ୟପଟେ ମହାରାଷ୍ଟ୍ର ରାଜନୀତିରେ ଆଗାମୀ ୩ ସପ୍ତାହ ମଧ୍ୟରେ ବଡ ଧରଣର ଓଲଟପାଲଟ ନେଇ ସଂକେତ ଦେଇଛନ୍ତି ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାୱତ । ସଞ୍ଜୟ କହିଛନ୍ତି, ମହାରାଷ୍ଟ୍ରରେ ସିନ୍ଦେ-ଫଡନବୀସ ସରକାରଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇ ସାରିଛି । କେବଳ ତାରିଖ ଘୋଷଣା ବାକି ଅଛି । ମୁଁ ପୂର୍ବରୁ କହିଥିଲି ଫେବୃଆରୀରେ ହିଁ ମହାରାଷ୍ଟ୍ରରେ ସରକାର ଭାଙ୍ଗିଯିବ । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବାରେ ବିଳମ୍ବ ହେବା କାରଣରୁ ଏହି ସରକାରର ଲାଇଫଲାଇନ ବଢିଗଲା । କିନ୍ତୁ ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ସରକାର ଭାଙ୍ଗିବ ନିଶ୍ଚିତ । ଏହାସହ ସଞ୍ଜୟ କହିଛନ୍ତି, ଶରଦ ପାୱାର ଯେଉଁ ବୟାନ ଦେଇଛନ୍ତି ତାହା ବିଜେପି ପାଇଁ ଉର୍ଦ୍ଦିଷ୍ଟ । ବିଜେପି ଦେଶର ପ୍ରମୁଖ ବିରୋଧୀ ଦଳକୁ ଭାଙ୍ଗିବାରେ ଲାଗିଛି । ବିଜେପିର ନିଜସ୍ୱ ବୋଲି କିଛି ନାହିଁ । ସିନ୍ଦେ ସହ ସରକାରରେ ରହିଲେ ବିଜେପି ନିଶ୍ଚିହ୍ନ ହୋଇଯିବ ବୋଲି ଦଳୀୟ ନେତା ଜାଣିଛନ୍ତି । ଯେଉଁଥିପାଇଁ ଏବେ ଅନ୍ୟ ଦଳକୁ ଭାଙ୍ଗିବାକୁ ବିଜେପି ପ୍ରୟାସ କରୁଥିବା କହିଛନ୍ତି ସଞ୍ଜୟ ।