କନକ ବ୍ୟୁରୋ : ହିରୋସୀମା, ନାଗାସାକି ଅବସ୍ଥା ଭୋଗିବକି ସାରା ଦୁନିଆ? ଆଖି ପିଛୁଳାକେ ଧ୍ୱଂସ ହେବ କି ପୃଥିବୀ? ପୁଟିନଙ୍କ ହାତରେ ଆଟମିକ୍ ବମ୍ର ଚାବି । ଦୁନିଆକୁ ଧ୍ୱଂସ ମୁଖକୁ ଠେଲି ଦେବକି ପୁଟିନଙ୍କ ପରମାଣୁ ଆକ୍ରମଣ ଫର୍ମୁଲା । ଚାଲିଛି ଯୁଦ୍ଧ । ଘଟୁଛି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ । ପାଉଁଶ ଗଦାରେ ପରିଣତ ହେଉଛି ଜନବସତି । ଅକାଳରେ ଧୂଳିସାତ୍ ହୋଇଯାଉଛି ସବୁ କିଛି । ଦୀର୍ଘ ୧୦ ମାସ ଧରି ୟୁକ୍ରେନ ମାଟିରେ ଯୁଦ୍ଧ ଲଢି ଚାଲିଛି ସାମରିକ ଶକ୍ତିରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଋଷ । ଏହି ଯୁଦ୍ଧ ଭିତରେ ପରମାଣୁ ବୋମା ଆକ୍ରମଣ ପାଇଁ ଧମକ ଦେଇ ଚାଲିଛି ଋଷ ।

Advertisment

ପରମାଣୁ ବୋମା ବା ନ୍ୟୁକ୍ଳିୟର ୱେପନ, ବିଶ୍ୱର ସବୁଠାରୁ ମାରାତ୍ମକ ମାରଣାସ୍ତ୍ର । ଗୋଟିଏ ଆଟମିକ୍ ବୋମାର ବିସ୍ଫୋରଣ ମାଇଲ ମାଇଲ ବ୍ୟାପୀ ବିଧ୍ୱଂସକ ଲୀଳା ରଚିବାରେ ସକ୍ଷମ । ଏମିତି ଘଟଣା କାହାକୁ ଅଛପା ନାହିଁ ଯେ, ୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ଜାପାନର ହିରୋସୀମା ଏବଂ ନାଗାସାକି ଠାରେ ଦୁଇଟି ପରମାଣୁ ବୋମା ବିସ୍ଫୋରଣ ହେଇଥିଲା । ଯେଉଁ ବିସ୍ଫୋରଣରେ ଥରି ଉଠିଥିଲା ସମଗ୍ର ବିଶ୍ୱ ସମୁଦାୟ ।

ହିରୋସୀମା ଓ ନାଗାସାକି ଦୁଇଟି ସହର ସମେତ ଆଖପାଖର ମାନବ ସଭ୍ୟତାଠାରୁ ଅନ୍ୟାନ୍ୟ ପ୍ରାକୃତିକ ଧନ ଜୀବନକୁ ଆଖି ପିଛୁଳାକେ ପାଉଁଶ ଗଦାରେ ପରିଣତ କରି ଦେବାର ବିନାଶର ଚିତ୍ର, ସାରା ଦୁନିଆକୁ ଦୋହଲାଇ ଦେଇଥିଲା । କହିବା ବାହୁଲ୍ୟ ଏହି ଦୁଇଟି ସହରରେ ସେଦିନର ବୋମା ବିସ୍ଫୋରଣର ଭୟାବହତା ଆଜି ପର୍ଯ୍ୟନ୍ତ ମଧ୍ୟ ଦେଖିବାକୁ ମିଳୁଛି । ଏହି ପ୍ରଳୟଙ୍କାରୀ ବିସ୍ଫୋରଣର ଭୟାବହତା ପରେ ସାମନାକୁ ଆସିଥିଲା ପରମାଣୁ ଶକ୍ତିର ବିନାଶକାରୀ ଚିତ୍ର । ୨ୟ ବିଶ୍ୱଯୁଦ୍ଧର ଏମିତି ଏକ ଧ୍ୱଂସଲୀଳା ବିଶ୍ୱ ସମୁଦାୟକୁ ସତର୍କ କରି ଦେଇଥିଲା ସତ, କିନ୍ତୁ ଏଭଳି ଏକ ବିନାଶକାରୀ ଘାତକ ମାରଣାସ୍ତ୍ରକୁ ହସ୍ତଗତ କରି, ନିଜକୁ ଶକ୍ତଶାଳୀ କରିବା ପ୍ରକ୍ରିୟାରେ ବିଶ୍ୱ ସାରା ପ୍ରତିଯୋଗିତା ଆରମ୍ଭ ହେଇଯାଇଥିଲା ।

ୟୁକ୍ରେନ ମଧ୍ୟ ପାଲଟା ଆକ୍ରମଣ ଜରିଆରେ ଋଷର ବିଜୟ ଆଶାକୁ ବିଳମ୍ବିତ କରିବାରେ ଲାଗିଛି । ୟୁକ୍ରେନ ଭଳି ଅତି ଦୁର୍ବଳ ସାମରିକ ଶକ୍ତି ସମ୍ପନ୍ନ ଦେଶ ସପକ୍ଷରେ ପରୋକ୍ଷ ଯୁଦ୍ଧ ଲଢୁଛନ୍ତି ଆମେରିକା ସମେତ ୩୦ଟି ଦେଶର ମିଳିତ ସାମରିକ ମେଣ୍ଟ ନାଟୋ । ଏହା ସହିତ ୟୁରୋପୀୟ ମହାସଂଘ ପକ୍ଷରୁ ମଧ୍ୟ ୟୁକ୍ରେନ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବା କଥା କୁହାଯାଉଛି । ତେବେ ଋଷ ସେନାର ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଅଧିକାର ବିଳମ୍ବ ହେବା କାରଣରୁ ବିଳିବିଳେଇବାରେ ଲାଗିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯୁଦ୍ଧ ଭିତରେ ଅନେକ ସମୟରେ ପରମାଣୁ ଆକ୍ରମଣ କଥା କହି ୟୁକ୍ରେନ ସମେତ ସାରା ବିଶ୍ୱର ପ୍ରତିପକ୍ଷ ଦେଶ ଗୁଡିକୁ ଧମକାଇବାରେ ଲାଗିଛନ୍ତି । ତେବେ ସତରେ କଣ ଋଷିଆ ପକ୍ଷରୁ ଏମିତି ଏକ ମାରାତ୍ମକ ସୃଷ୍ଟି ନାଶକାରୀ ଯୁଦ୍ଧର ଅୟମାରମ୍ଭ ହେବ? ଯଦି ଏମିତି ହୁଏ ତେବେ ଆମେରିକା ସମେତ ଅନ୍ୟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଗୁଡିକର ଭୂମିକା କଣ ରହିବ? କିଏ ଜିତିବ ଆଉ କିଏ ହାରି ସେ କଥା ଦୂରେ ଥାଉ, ଏମିତି ଏକ ଯୁଦ୍ଧ ଯଦି ସଂଗଠିତ ହୁଏ ତେବେ କେମିତି ହେବ ପୃଥିବୀର ଅବସ୍ଥା । ଏହା ଏକ ଅସମାହିତ ବିଷୟ ନିଶ୍ଚୟ ।  ପରମାଣୁ ଶକ୍ତିକୁ ଉପଯୋଗ କରି, ଶତ୍ରୁ ଦେଶକୁ ନିପାତ କରିବା ସହିତ ଜନଜୀବନକୁ ପଙ୍ଗୁ ଅକାମୀ କରିଦେବା ଯୋଜନାର ପରିଣାମ ଦୁନିଆ ପାଇଁ କେତେ ଭୟଙ୍କର ହେବ ତାହା ଜାଣିବାକୁ ହେଲେ, ଆମକୁ ପ୍ରଥମେ ଜାଣିବାକୁ ହେବ ସାରା ଦୁନିଆରେ କେତେ ପରିମାଣରେ ପରମାଣୁ ବୋମା ଗଚ୍ଛିତ ରହିଛି ।

ମିଳିଥିବା ତଥ୍ୟ ଆଧାରରେ ଜଣାଯାଏ ଯେ, ଋଷ ଦେଶରେ ୬ ହଜାର ୨୫୭ଟି ପରମାଣୁ ବୋମା ରହିଛି । ଏଥିରୁ ୧୪ ଶହ ୫୮ଟି କାର୍ଯ୍ୟକ୍ଷମ ଥିବା ବେଳେ, ୩ ହଜାର ୩୯ଟି ମହଜୁଦ୍ ଓ ୧ ହଜାର ୭ଶହ ୬୦ଟି ବୋମାକୁ ଅବସର ଦିଆସରିଛି । ୟୁନାଇଟେଡ୍ ଷ୍ଟେଟ୍ ପାଖରେ ମୋଟ୍ ୫ ହଜାର ୫ଶହ ୫୦ଟି ପରମାଣୁ ବୋମା ରହିଛି । ଏଥିରୁ ୧ ହଜାର ୩ଶହ ୮୯ଟି ବୋମା କାର୍ଯ୍ୟକ୍ଷମ, ୨ ହଜାର ୩୬୧ଟି ମହଜୁଦ୍ ଓ ୧ ହାଜର ୮ଶହ ବୋମାକୁ ଅବସର ଦିଆ ସରିଛି । ଚୀନ୍ ପାଖରେ ୩୫୦ଟି ପରମାଣୁ ବୋମା ଥିବା କଥା ତଥ୍ୟ କହୁଛି । ଫ୍ରାନ୍ସ ପାଖରେ ୨୯୦ ଟି, ୟୁନାଇଟେଡ୍ କିଙ୍ଗଡମ୍ ପାଖରେ ୨୨୫ଟି, ପାକିସ୍ତାନ ପାଖରେ ୧୬୫ଟି. ଭାରତ ପାଖରେ ୧୫୬ଟି, ଇସ୍ରାଏଲ ପାଖରେ ୯୦ଟି ଓ ଉତ୍ତର କୋରିଆ ପାଖରେ ୪୦ରୁ ୫୦ ଟି ପରମାଣୁ ବୋମା ଗଚ୍ଛିତ ରହିଥିବା କଥା ତଥ୍ୟ କହୁଛି । ଏ ସବୁକୁ ମିଶାଇଲେ ୧୩ ହଜାର ୧ ଶହ ୨୩ କିମ୍ବା ୧୩ ହଜାର ୧ ଶହ ୩୩ଟି ପରମାଣୁ ବୋମା ରହିଛି । ଏଥିରୁ ୪ ହଜାର ୧ଶହ ୨୦ କିମ୍ବା ୪ ହଜାର ୧ଶହ ୩୦ଟି ପରମାଣୁ ବୋମା କାର୍ଯ୍ୟକ୍ଷମ ରହିଛି ।