ଅମିତ୍ ଶାହାଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ପଶ୍ଚିମବଙ୍ଗରୁ ଲଢି ଜିତନ୍ତୁ ଶାହା । ଜିତିଲେ କରିଦେବି ରାଜ୍ୟର ଗୃହମନ୍ତ୍ରୀ

800

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ବିଜେପିର ମିଶନ ବାଙ୍ଗଲାକୁ ଚ୍ୟାଲେଞ୍ଜ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ବିଜେପି ପଶ୍ଚିମବଙ୍ଗରେ ବାରମ୍ବାର ରାଲି କରି ମମତାଙ୍କ ଗଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଦିଦି ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଉଭୟ ବିଜେପି ଓ ଟିଏମସି ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ ।

ଏକ ରାଲିରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ କି ଏଥର ନିଜେ ମମତା ବାନାର୍ଜୀ ନିଜ ଆସନରୁ ହାରିବେ । ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିବା ମମତା କହିଛନ୍ତି କି ଦେଶର ଗୃହମନ୍ତ୍ରୀ ଭାବେ ଏଭଳି କହିବା ଆଦୌ ଶୋଭା ପାଉନାହିଁ । ‘ଅମିତ୍ ଶାହା ଯଦି ପଶ୍ଚିମବଙ୍ଗରୁ ନିର୍ବାଚନ ଲଢି ଜିତିଯିବେ ତେବେ ମୁଁ ତାଙ୍କୁ ରାଜ୍ୟର ଗୃହମନ୍ତ୍ରୀ କରିବି’ । ସାକ୍ଷାତକାର ବେଳେ ସେ ପଶ୍ଚିମବଙ୍ଗବାସୀଙ୍କ ପାଇଁ ଆହ୍ୱାନ ଦେଇ କହିଛନ୍ତି କି ଚିନ୍ତା କରିବାର କିଛି କାରଣ ନାହିଁ ପଶ୍ଚିମବଙ୍ଗରେ ପୁଣିଥରେ ଟିଏମସି ସରକାର ଗଠନ କରିବ । ଏହାସହ ସେ ଭାବବିହ୍ୱଳ ହୋଇ କହିଥିଲେ କି ମୁଁ ଅମିତ ଶାହାଙ୍କୁ ଭାଇ ବୋଲି ସମ୍ବୋଧନ କରୁଛି ତେଣୁ ତାଙ୍କ ପୁଅ ମୋର ଭଣଜା ହେବ । ହେଲେ ମୋ ଭଣଜା ବାବଦରେ ସେ ଯେଭଳି ବୟାନ ଦେଉଛନ୍ତି ତାହା ତାଙ୍କର ହୀନ ରାଜନୀତିକୁ ପଦାରେ ପକାଇଛି ।

କହିରଖୁ କି ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ହେଲେ ତାହା ପୂର୍ବରୁ ବିଜେପି ପଶ୍ଚିମବଙ୍ଗରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରି ତୃଣମୂଳ ସ୍ତରରୁ ଟିଏମସିକୁ ଭାଙ୍ଗିବାକୁ ଚେଷ୍ଟା ଚଳାଇଛି । ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ବିଜେପି ୨୦୦ ଆସନରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ।