ଦିଲ୍ଲୀକୁ ଦୋହଲେଇବାର ଷଡଯନ୍ତ୍ର: ଗାଜିପୁର ମଣ୍ଡିରୁ ମିଳିଲା ଆଇଡି ବିସ୍ଫୋରକ ଭର୍ତ୍ତି ବ୍ୟାଗ

158

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଓ ଶ୍ରୀନଗରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ବିସ୍ଫୋରଣ ସଡଯନ୍ତ୍ରଙ୍କୁ ବିଫଳ କରାଯାଇଛି । ଆଜି ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ସନ୍ଦିଗ୍ଧ ଭାବେ ପଡିଥିବା ବ୍ୟାଗ ଦେଖିବାକୁ ମିଳିଥିଲା । ଏହାର ସୂଚନା ପାଇବା ପରେ ପୋଲିସ ବୋମା ନିଷ୍କ୍ରୀୟକାରୀ ଦଳ ସହାୟତାରେ ବ୍ୟାଗ ଭିତରେ ଥିବା ଆଇଇଡିକୁ ନିଷ୍କ୍ରିୟ କରିଛି । ଏନେଇ ଦିଲ୍ଲୀ ସ୍ପେଶାଲ ପୋଲିସ ବିସ୍ଫୋଟକ ଅଧିନିୟମ ଆଧାରରେ ଏକ ମାମଲା ରୁଜୁ କରିଛି । ସେହିଭଳି ଶ୍ରୀନଗର ଠାରେ ବି ଏକ ଗ୍ରେନେଡ ଜବତ ହୋଇଛି ।

ସନ୍ଦିଗ୍ଧ ବ୍ୟାଗରୁ ଆଇଇଡି ମିଳିବା ପରେ ପୋଲିସର ବଡ ଅଧିକାରୀଙ୍କ ସହ ଏନଏସଜି ସେଠାରେ ପହଂଚିଥିଲେ । ଦିଲ୍ଲୀ ପୋଲିସ କହିଛି କି ସକାଳ ୧୦.୨୦ ମିନିଟରେ ପିସିଆରକୁ ଏକ ଫୋନକଲ ଆସିଥିଲା । ଏହାପରେ ତୁରନ୍ତ ସମସ୍ତ ଏସଓପି ପାଳନ କରାଯାଇ ଅଗ୍ନିଶମ ବାହୀନି, ବୋମା ନିଷ୍କ୍ରୀୟକାରୀ ଦଳକୁ ପୋଲିସ ଡକାଇଥିଲା ।

ଏହାପରେ ବୋମା ନିଷ୍କ୍ରୀୟକାରୀ ଦଳ ପରିବା ମଣ୍ଡି ପାଖରେ ଏକ ଖୋଲା ପଡିଆରେ ୮ ଫୁଟ ଗାତ ଭିତରେ ଆଇଇଡିକୁ ପୋତି ଦେଇଥିଲା । ଏନେଇ କୌଣସି ଧନଜୀବନ ନଷ୍ଟ ହୋଇଥିବାର ସୂଚନା ମିଳିନାହିଁ । ଏନଏସଜି ତରଫରୁ ଯେଉଁ ସ୍ଥାନରେ ଆଇଇଡିକୁ ପୋତା ଯାଇଛି ତା ଚାରିପଟେ ଏବେ ବି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେହିଭଳି ଶ୍ରୀନଗର ସହର ଭିତରେ ସୁରକ୍ଷା ବାହୀନି ତଲାସି ଅଭିଯାନ ଚଳାଇଥିବା ବେଳେ ଏକ ଗ୍ରେନେଡ ଜବତ କରାଯାଇଛି । ଏହା ଏକ ବ୍ୟାଗ ଭିତରେ ସନ୍ଦିଗ୍ଧ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରୁ ଲୋକମାନଙ୍କୁ ହଟାଇ ଦିଆଯାଇ ଗ୍ରେନେଡକୁ ନିଷ୍କ୍ରୀୟ କରାଯାଇଥିଲା    ।