କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ୍ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଉଦଘାଟିତ । କେନ୍ଦୁଝର ସହର ଉପକଣ୍ଠବର୍ତ୍ତୀ ନରଣପୁର ନିକଟରେ ଥିବା ଟାଙ୍ଗରପଳସାସ୍ଥିତ ଘଡଘଡି ପାହାଡ ଉପରେ ପୂଜା ପାଇ ଆସୁଥିବା କପିଳେଶ୍ୱର ମହାଦେବ ମନ୍ଦିରର ପ୍ରବେଶ ପଥରେ ସୋମବାର ବିଶ୍ୱର ସର୍ବବୃହତ ଆକର୍ଷଣୀୟ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଉଦଘାଟିତ ହୋଇଛି । ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୪୪ଫୁଟ ରହିଥିବା ବେଳେ ଏହାର ଚତୁଃପାଶ୍ୱର୍କୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି ।

Advertisment

ସୂଚନାନୁସାରେ, ଏଥି ପୂର୍ବରୁ କର୍ଣ୍ଣାଟକର ୧୩ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ରାଜସ୍ଥାନରେ ସାଢେ ୪ ଫୁଟ ଉଚ୍ଚତାର ଅର୍ଦ୍ଧନାରୀଶ୍ୱରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା ପାଉଥିବା ଅନୁସନ୍ଧାନରୁ ଜଣାପଡିଛି । ଏହି ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ନିର୍ମାଣ ପାଇଁ ସମୁଦାୟ ୮ଲକ୍ଷ ୭୪ ହଜାର ଟଙ୍କା ବିନିଯୋଗ କରାଯାଇଥିବା ଶ୍ରୀ ଶ୍ରୀ କପିଳେଶ୍ୱର ସାଂସ୍କୃତିତ ପରିଷଦର କୋଷାଧ୍ୟକ୍ଷ ସୂଚନା ଦେଇଛନ୍ତି । ବିନା କୌଣସି ସରକାରୀ ଅନୁଦାନରେ ଆଖପାଖର ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁଙ୍କ ଦାନରାଶିରେ ଏହାର ନିର୍ମାଣ କାର୍ଯ୍ୟ କରାଯାଇଛି ।

ତେବେ ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ନଭେମ୍ବର ୧୮ତାରିଖରେ ଆରମ୍ଭ ହୋଇଥିଲା । ମୁଖ୍ୟ କାରିଗର ପଦ୍ମନାଭ ପୁହାଣ ଏବଂ ତାଙ୍କର ସହ ଯୋଗୀମାନେ ଏହି ମୂର୍ତ୍ତିକୁ ନିର୍ମାଣ କରିବାକୁ ପ୍ରାୟ ୩ ମାସ ୩ ଦିନ ସମୟ ନେଇଥିଲେ । ଘଡଘଡି ପାହାଡର ପଥର ଚତ୍ରି ଉପରେ ନିର୍ମିତ ଏହି ମୂର୍ତ୍ତି ଏହାର ପ୍ରାୟ ୧କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଅଞ୍ଚଳକୁ ଦୃଶ୍ୟମାନ ହେଉଥିବା କୁହାଯାଉଛି । ସେହିପରି ଏହି ପୀଠରେ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ଭଗବାନ ବୁଦ୍ଧ, ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି ସମେତ ଅନ୍ୟାନ୍ୟ ଜଙ୍ଗଲୀ ପ୍ରାଣୀଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି ।