କନକ ବ୍ୟୁରୋ: ଦିନ କେଇଟା ପରେ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା । ହେଲେ ଏଯାଏଁ ଗ୍ରାହକଙ୍କ ଚାହିଦା ଅନୁସାରେ ଗଢା ହୋଇପାରିନାହିଁ ମୂର୍ତ୍ତି । କାରଣ ମୂର୍ତ୍ତି ତିଆରି କରିବାକୁ ମିଳୁନି ମାଟି । ତେଣୁ ଚିନ୍ତାରେ ମୂର୍ତ୍ତି କାରିଗର ।

Advertisment

ଗଣନାଥଙ୍କ ମୂର୍ତ୍ତି ପାଇଁ ମିଳୁନି ମାଟି । ମୂୂର୍ତ୍ତି କାରିଗରଙ୍କ ପାଇଁ କାଳ ହୋଇଛି ବନ୍ୟା । ଚାରିଆଡେ ବନ୍ୟାରେ ବୁଡିଥିବାରୁ ମୂର୍ତ୍ତି ତିଆରି କରିବାକୁ ମିଳୁନି ଆବଶ୍ୟକ ସାମଗ୍ରୀ । ନା ମିଳୁଛି ମାଟି, ନା ମୂର୍ତ୍ତି ଛାଞ୍ଚ ବାନ୍ଧିବାକୁ ନଡା । ଯାହାବି ମିଳୁଛି ତା’ର ଚଢା ଦର ଶୁଣିଲେ ମୁଣ୍ଡ ଘୁରି ଯାଉଛି । ଏଭଳି ପରିସ୍ଥିତିରେ ମୂର୍ତ୍ତି କାରିଗରଙ୍କ ମୁଣ୍ଡରେ ପଡିଛି ଚଡକ ।

ଏବେ ଚିକିଟା ମାଟିର ଅଭାବ । ଆଉ ଯେଉଁଠି ବି ମିଳୁଛି ପୂର୍ବ ବର୍ଷ ଅପେକ୍ଷା ଦୁଇ ଗୁଣ ଅଧିକ ଦରରେ । ତା’ବ୍ୟତୀତ ଏବେ ଚାରିଆଡେ ବନ୍ୟା ପାଣି ପଶିଥିବାରୁ ନା ମିଳୁଛି ନଡା, ନା ବାଉଁଶ । କେଉଁଠି କେମିତି ମିଳିଲେ ସେସବୁର ଦର ବି ଆକାଶ ଛୁଆଁ । ପୂର୍ବରୁ ନଡା ବିଡା ୨ରୁ ଅଡେଇ ଟଙ୍କା ଥିବାବେଳେ ଏବେ ନଡା ବିଡା ପିଛା ୧୦ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ଏସବୁର ପ୍ରଭାବ ମୂର୍ତ୍ତି ବଜାର ଉପରେ ପଡୁଛି । ଯେଉଁ ମୂର୍ତ୍ତି ୧୦୦୦ ଟଙ୍କାରେ ମିଳୁଥିଲା, ତାକୁ ଏବେ ୪୦୦୦ରୁ ୫୦୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏବେଠାରୁ ମୂର୍ତ୍ତି ପାଇଁ ଅବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିବାବେଳେ ଆଗକୁ ମୂର୍ତ୍ତି ଗଢା ବୃତ୍ତି ଯେ ଲୋପ ପାଇବ ଏପରି ଅଶଙ୍କା କରୁଛନ୍ତି କାରିଗର ।