୧ ଟଙ୍କାରେ ଜଣେ କ’ଣ କିଣିପାରିବ? ଗୋଟିଏ ଟଫି ନହେଲେ ଚକଲେଟ୍ ୟା ଠାରୁ ତ ଅଧିକା କିଛି ଆମ ମୁଣ୍ଡକୁ ଆସୁନି । ଆଜିର ସମୟରେ ଯେଉଁଠି ୫ ଟଙ୍କାର ବି ମୂଲ୍ୟ ନାହିଁ ସେଠି ଟଙ୍କାଟିଏକୁ ପଚାରୁଛି କିଏ? କିନ୍ତୁ ଏହି ମହଙ୍ଗା ଜମାନାରେ ଯଦି ଜଣେ ମହିଳା ୧ ଟଙ୍କାରେ ଲୋକଙ୍କୁ ଇଡଲି ବିକ୍ରି କରୁଛନ୍ତି ତାହେଲେ ଏହାଠାରୁ ଚର୍ଚ୍ଚିତ ଏବଂ ପ୍ରଶଂସନୀୟ ବିଷୟ କିଛି ହୋଇନପାରେ । ସୋସିଆଲ୍ ମିଡିଆରେ କୋଏମ୍ବାଟୁରର କମଲାଥଲ୍ ନାମକ ଜଣେ ୮୦ ବର୍ଷ ବୟସ୍କା ମହିଳା ଏବେ ନିଜ କାମ ପାଇଁ ଖୁବ୍ ଭାଇରାଲ୍ ହେଉଛନ୍ତି । ବୟସର ଅପରାହ୍ନରେ ବି ସେବାଭାବ ରହିଛି । ଲୋକଙ୍କୁ ଏହି ବୃଦ୍ଧା ମାତ୍ର ୧ ଟଙ୍କାରେ ଇଡଲି ଖାଇବାକୁ ଦେଉଛନ୍ତି ।
କେନ୍ଦ୍ରୀୟ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ତଥା ଷ୍ଟିଲ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଦିନର ବିଦେଶ ଗସ୍ତରେ ଥିବାବେଳେ ଏହି ଭାଇରାଲ୍ ଭିଡିଓକୁ ଦେଖି ଏହି ବୃଦ୍ଧା ମହିଳାଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି । କମଲାଥଲ୍ ଙ୍କ ଛୋଟ ଦୋକାନର ସଂଘର୍ଷମୟ ଏବଂ ସେବା ମନୋବୃତ୍ତି କାହାଣୀକୁ ଦେଶର ବଡ଼ ଉଦ୍ୟୋଗପତୀ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ସେୟାର୍ କରି ଲେଖିଛନ୍ତି , ଜଣେ ବ୍ୟକ୍ତି ନିଜ ଇଚ୍ଛାଶକ୍ତି ମାଧ୍ୟମରେ ସମାଜରେ ବଡରୁ ବଡଧରଣର ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇପାରିବ । କମଲାଥଲଙ୍କ ଏହି ବିନମ୍ର କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ କିନ୍ତୁ ଆପଣ ବି ଯଦି ଏଭଳି କିଛି କାମ କରୁଛନ୍ତି ତେବେ ଆପଣ ମଧ୍ୟ ଦୁନିଆ ପାଇଁ ଏକ ଉଦାହରଣ ହୋଇପାରିବେ । ମୁଁ ଏବେ ବି ଏହି ମହିଳାଙ୍କୁ କାଠରେ ଚୁଲି ଜାଳି ଇଡଲି ପ୍ର୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେଉଥିବାର ଦେଖିଛି । ଯଦି କେଉଁ ବ୍ୟକ୍ତି ତାଙ୍କୁ ଜାଣିଛନ୍ତି ତେବେ ମୁଁ ତାଙ୍କୁ ଗୋଟିଏ ଏଲପିଜି ଗ୍ୟାସ୍ ଦେବା ପାଇଁ ଚାହିଁବି ଏବଂ ତାଙ୍କ ବ୍ୟବସାୟରେ କିଛି ନିବେଶ କରିବା ପାଇଁ ମଧ୍ୟ ଚାହିଁବି ।
One of those humbling stories that make you wonder if everything you do is even a fraction as impactful as the work of people like Kamalathal. I notice she still uses a wood-burning stove.If anyone knows her I’d be happy to ‘invest’ in her business & buy her an LPG fueled stove. pic.twitter.com/Yve21nJg47
— anand mahindra (@anandmahindra) September 10, 2019
ତେବେ ସୋସିଆଲ୍ ମିଡିଆରେ ଏହି ଖବରଟି ଭାଇରାଲ୍ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବ୍ୱୁଧାବିରୁ ହିଁ କୋଏମ୍ବାଟୁରର ସ୍ଥିତ ପେଟ୍ରୋଲିୟମ୍ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରି ଏହି ବୃଦ୍ଧା ମହିଳାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ସେପ୍ଟେମ୍ବର ୧୧ ତାରିଖରେ କମଲାଥଲଙ୍କୁ ନିଶୁଳ୍କ କନେକ୍ସନ୍ ଗ୍ୟାସ୍ ସିଲିଣ୍ଡର ମିଳିବା ପରେ ବୃଦ୍ଧାଙ୍କ ସମେତ ଗାଁ ଲୋକ ଏବଂ ତାଙ୍କ ଦୋକାନକୁ ପ୍ରତିଦିନ ଇଡଲି ସାମ୍ବର ଖାଇବାକୁ ଆସୁଥିବା ପ୍ରତିଟି ଶ୍ରମିକଙ୍କ ମୁହଁରେ ମଧ୍ୟ ଖୁସିର ଝଲକ୍ ଦେଖିବାକୁ ମିଳିଥିଲା ।
ତେବେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ଜଣେ ମନ୍ତ୍ରୀ ବିଦେଶରେ ବସି ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଦେଖି କେଇ ମିନିଟରେ ଜଣେ ସେବା ମନୋବୃତ୍ତି ବୃଦ୍ଧା ମହିଳାଙ୍କ ଜୀବନ କିଭଳି ବଦଳାଇ ଦେଲେ ତାହାକୁ ଏବେ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ଜଣେ ୟୁଜର୍ ତ ଉଜ୍ଜଳା ମଣିଷ ଧନ୍ୟବାନ କହି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ।