କନକ ବ୍ୟୁରୋ : ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫା । ଯାହା ଏବେ ମୃତ୍ୟୁର ଶଯ୍ୟା ପାଲଟିଛି । ରୋଗୀ ଓ ଶରଣାର୍ଥୀ ଯେଉଁଠି ଜୀବନ ରକ୍ଷା ପାଇଁ ପହଁଚିଥିଲେ ତାହା ଏବେ ଯୁଦ୍ଧଭୂମି ସାଜିଛି । ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ହସ୍ପିଟାଲରେ ହମାସର ମୁଖ୍ୟାଳୟ ଥିବା ଦାବି କରି ଆସୁଥିବା ଇସ୍ରାଏଲ ଏବେ ଭିଡିଓ ପ୍ରମାଣ ଜାରି କରିଛି । ସେନାଧିକାରୀ ହମାସର ଆଡ୍ଡା ଖୋଜି ବାହାର କରିବା ପରେ ଏହା ସ୍ଥିତି ସମ୍ବନ୍ଧରେ ଟିକିନିକି କରି ବୁଝାଇଛନ୍ତି । ଏପରିକି କିଛି ଭିଡିଓ ଜାରି କରି ଇସ୍ରାଏଲ କହିଛି ହସ୍ପିଟାଲ ଭିତରେ ହମାସର ସୁଡ଼ଙ୍ଗ ରହିଛି । ସୁଡ଼ଙ୍ଗରେ ଲାଗିଛି ବୁଲେଟପ୍ରୁଫ କବାଟ । ଭାରିମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପଣବନ୍ଦୀଙ୍କୁ ଏଠାରେ ରଖିଥିଲା ହମାସ । କୁହାଯାଉଛି ହସ୍ପିଟାଲରେ ହମାସର ଆଡ୍ଡା ଥିବା ପ୍ରଥମେ ଆମେରିକା ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା । ଏହା ଆଧାରରେ ଇସ୍ରାଏଲ ସେନା ଏବେ ଅଲଶିଫା ହସ୍ପିଟାଲକୁ ଚାରିପଟୁ ଘେରି ରଖିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଇସ୍ରାଏଲ ସେନା କହିଛି ଆମ ଯୁଦ୍ଧ କେବଳ ହମାସ ସହ । ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ଓ ପଣବନ୍ଦୀକୁ ମୁକୁଳାଇବା ଆମ ପ୍ରାଥମିକତା । ସ୍ଥିତିକୁ ଦୃଷ୍ଟିରେ ରଖି ହମାସକୁ ଟାର୍ଗେଟ କରାଯାଉଛି । ରୋଗୀଙ୍କ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭିଡିଓ ମଧ୍ୟ ଜାରି କରିଛି ଇସ୍ରାଏଲ ।
ହସ୍ପିଟାଲକୁ ଚାରିପଟୁ ଘେରି ରହିଛି ଇସ୍ରାଏଲ ସେନା । ଅଲଶିଫା ସମ୍ମୁଖରେ ଛିଡା ହୋଇଛି ମାଳମାଳ ଇସ୍ରାଏଲ ଟ୍ୟାଙ୍କ ଓ ଯୁଦ୍ଧ ଯାନ । ହସ୍ପିଟାଲ ଭିତରେ ରୋଗୀ ଓ ଶରଣାର୍ଥୀ ଓ ବାହାରରେ ପଇଁତରା ମାରୁଛି ଇସ୍ରାଏଲ ସେନା । ଏଠାରେ ୨୩ଶହ ଲୋକଙ୍କୁ ହମାସ ପଣବନ୍ଦୀ କରିଥିବା ସୂଚନା ରହିଛି । ଏପରିକି ଆବଶ୍ୟକ ପଡିଲେ ହସ୍ପିଟାଲ ଉପରେ ବୁଲଡୋଜର ଚଳାଇବାକୁ ଯୋଜନା କରୁଛି ଆଇଡିଏଫ ।
ଯୁଦ୍ଧରେ ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏହା ଭିତରେ ଭାରତକୁ ଅପିଲ କରିଛି ପାଲେଷ୍ଟାଇନ । ଭାରତରେ ଥିବା ପାଲେଷ୍ଟାଇନ ରାଷ୍ଟଦୂତ ଆଦାନାନ ଆବୁ ଭାରତକୁ ଅପିଲ କରି ଯୁଦ୍ଧରେ ହସ୍ତକ୍ଷେପ ମାଗିଛନ୍ତି ।
ସେପଟେ ଆଇଡିଏଫ ଆଉ ଏକ ଭିଡିଓ ଜାରି କରିଛି । ହମାସର ଅନ୍ୟତମ କମାଣ୍ଡର ଇସମାଇଲ ହାନିୟେକୁ ନିପାତ କରାଯାଇଥିବା କହିଛି ସେନା । ଭିଡିଓରେ କମାଣ୍ଡର ଠିକଣା ଉପରେ ଏୟାରଷ୍ଟ୍ରାଇକ ସମୟର ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧକୁ ପହଁଚିଛି ୪୧ଦିନରେ ।