ବିଜେପି ଓ ଆରଏସଏସର ବିଚାରଧାରା ଘୃଣାଭାବ ସୃଷ୍ଟି କରୁଛି । କଂଗ୍ରେସର ବିଚାରଧାରାରେ ଭଲପାଇବା ରହିଛି । କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ ।

182

କନକ ବ୍ୟୁରୋ : କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଉଭୟ ବିଜେପି ଓ ଆରଏସଏସର ବିଚାରଧାରାକୁ ଘୃଣାର ବିଚାରଧାରା ବୋଲି କହିଛନ୍ତି ରାହୁଲ । ଉଭୟ ବିଜେପି ଓ ଆରଏସଏସର ବିଚାରଧାରା କଂଗ୍ରେସ ବିଚାରଧାରା ଉପରେ ଭାରି ପଡିଛି । ଶୁକ୍ରବାର ଜନ ଜାଗରଣ ଅଭିଯାନର ଆରମ୍ଭ କରିବା ସହ ରାହୁଲ କହିଛନ୍ତି, କିଏ ମାନୁ ବା ନମାନୁ କିନ୍ତୁ ଆରଏସଏସ ଓ ବିଜେପିର ବିଚାରଧାରାରେ ଘୃଣା ଭାବ ଭରି ରହିଛି । ଅନ୍ୟପଟେ କଂଗ୍ରେସର ବିଚାରଧାରାରେ ସ୍ନେହ, ପ୍ରେମ, ଭଲ ପାଇବା, ରାଷ୍ଟ୍ରବାଦ ରହିଛି । ଯାହାକୁ ଏବେ ବିଜେପି ଓ ଆରଏସଏସର ବିଚାରଧାରା ଦବାଇ ରଖିଛି । ଏହାକୁ ଆମକୁ ମାନିବାକୁ ପଡିବ । ଆମର ବିଚାରଧାରା ଏବେ ବି ବଞ୍ଚିଛି, ଜୀବନ୍ତ ଅଛି କିନ୍ତୁ ଏହାକୁ କିଛି ସମୟ ପାଇଁ ଦବାଇ ଦିଆଯାଇଛି । ଆଉ ଏହା ପଛର ବଡ କାରଣ ମଧ୍ୟ ରଖିଛନ୍ତି ରାହୁଲ । କଂଗ୍ରେସର ବିଚାରଧାରାକୁ ଆମେ ନିଜ ଲୋକଙ୍କ ମଧ୍ୟରେ ଠିକ୍ ଢଙ୍ଗରେ ପହଞ୍ଚାଇ ପାରିନାହୁଁ ।

ଏହାସହ ରାହୁଲ କହିଛନ୍ତି, ଆରଏସଏସର ଆଇକନ ହେଉଛନ୍ତି ସାବରକର, ଅନ୍ୟପଟେ କଂଗ୍ରେସର ଆଇକନ ହେଉଛନ୍ତି ମହାତ୍ମା ଗାନ୍ଧୀ ।ତେଣୁ କଂଗ୍ରେସର ବିଚାରଧାରାକୁ ପୂରା ଦେଶରେ ପ୍ରସାର କରିବାକୁ ପଡିବ । ଏହାଛଡା ହିନ୍ଦୁ ଓ ହିନ୍ଦୁତ୍ୱ ମଧ୍ୟରେ ଅନେକ ଫରକ ରହିଛି । ଯଦି ଆପଣ ହିନ୍ଦୁ ତେବେ ହିନ୍ଦୁତ୍ୱର ଆବଶ୍ୟକତା ବା କଣ । କବୀର, ଗୁୁରୁ ନାନକ, ମହାତ୍ମା ଗାନ୍ଧୀଙ୍କ ଭଳି ଅନେକ ଲୋକ ଏହାକୁ ଆପଣାଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ କଂଗ୍ରେସ ନେତାଙ୍କ ବୟାନବାଜୀ ଦେଖିବାକୁ ମିଳିଛି । ଆଉ ଏହାକୁ ନେଇ ବିଜେପି ଟାର୍ଗେଟ ରାଡାରରେ ରହିଛନ୍ତି କଂଗ୍ରେସ ନେତା । ପ୍ରଥମେ ସଲମାନ ଖୁର୍ସିଦ ନିଜ ପୁସ୍ତକରେ ହିନ୍ଦୁତ୍ୱକୁ ଆଇଏସଆଇଏସ ଓ ବୋକୋ ହାରାମ ଭଳି ଆତଙ୍କବାଦୀ ସଙ୍ଗଠନ ସହ ତୁଳନା କରିଥିବା ବେଳେ ଏବେ ରଶିଦ ଅଲଭି ଜୟ ଶ୍ରୀରାମ ନାରା ଲଗାଉଥିବା ବ୍ୟକ୍ତିଙ୍କୁ ରାକ୍ଷସ ସହ ତୁଳନା କରି ବିବାଦ ସୃ୍ଷ୍ଟି କରିଛନ୍ତି । ଜୟ ଶ୍ରୀରାମ ଜପୁଥିବା ସମସ୍ତ ବ୍ୟକ୍ତି ସାଧୁ ସନ୍ଥ ନୁହଁନ୍ତି ବରଂ ସେଥିରେ କିଛି ରାକ୍ଷସ ମଧ୍ୟ ରହିଛନ୍ତି ବୋଲି କହିଛନ୍ତି ରଶିଦ ଅଲଭି ।