ଭାରତୀୟଙ୍କ ପାଇଁ ନେପାଳ ଆଣିଲା ନୂଆ ନିୟମ । ଆଉ ମନଇଚ୍ଛା ନେପାଳକୁ ଯାଇପାରବେନି ଭାରତୀୟ ନାଗରିକ ।

688

କନକ ବ୍ୟୁରୋ : ଭାରତରୁ ନେପାଳ ଯାଉଥିବା ଲୋକଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରିଛନ୍ତି ସରକାର । ତେବେ ଏହା ପଛରେ ସୁରକ୍ଷା ସମ୍ବନ୍ଧୀୟ କାରଣ ରହିଥିବା କହିଛନ୍ତି ନେପାଳ ସରକାର । ପୂର୍ବରୁ ନେପାଳକୁ ବିନା କାଗଜପତ୍ରରେ ଯେକୌଣସି ଭାରତୀୟ ପ୍ରବେଶ କରିପାରୁଥିଲେ । କିନ୍ତୁ ରବିବାର ଠାରୁ ନେପାଳରେ ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି ।

ନେପାଳର ଗୃହମନ୍ତ୍ରୀ ବାଳକୃଷ୍ଣ ଖାଣ୍ଡ ଶନିବାର ଏହି ନୂଆ ନିୟମ ଆଣିବା ସହ ରବିବାର ଠାରୁ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନେପାଳ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସୀମାରେ କୌଣସି କଟକଣା ନଥିବାରୁ ଏହାର ଫାଇଦା ଉଠାଇ ଭାରତୀୟଙ୍କ ବ୍ୟତୀତ ଅନ୍ୟ ଦେଶର ଲୋକ ମଧ୍ୟ ନେପାଳରେ ବେଶ ସହଜରେ ପ୍ରବେଶ କରିପାରୁଛନ୍ତି । ଏପରିକି କିଛି ଦିନ ପୂର୍ବେ ୧୧ ଜଣ ଆଫଗାନିସ୍ତାନ ନାଗରିକ ଭାରତ ରାସ୍ତା ଦେଇ ନେପାଳରେ ପ୍ରବେଶ କରିଥିଲେ । ଏପରିକି ସେମାନଙ୍କ ପାଖରେ ଭାରତୀୟ ପରିଚୟ ପତ୍ର ମଧ୍ୟ ଥିଲା, କିନ୍ତୁ ଯାଞ୍ଚ ପରେ ଜଣାପଡିଥିଲା ଯେ ଉକ୍ତ ପରିଚୟ ପତ୍ର ନକଲି ଥିଲା । ଆଫଗାନିସ୍ତାନ ନାଗରିକଙ୍କ ପାଖରୁ ନକଲି ଆଧାର କାର୍ଡ ମିଳିବା ପରେ ଦୁଇ ଦେଶର ସୁରକ୍ଷା ଏଜେନ୍ସିଂଙ୍କ ଚିନ୍ତା ବଢି ଯାଇଥିଲା । ପରେ ଜଣାପଡିଥିଲା ଯେ, ଏହି ନକଲି ଆଧାର କାର୍ଡ ପଞ୍ଜାବରୁ ହାସଲ କରିଥିଲେ ଆଫଗାନ ନାଗରିକ । ଆଉ ଏହି ଘଟଣା ପରେ ଭାରତୀୟ ସୀମା ଦେଇ ନେପାଳକୁ ଆସୁଥିବା ପ୍ରତିଟି ଲୋକଙ୍କ ଉପରେ ନଜର ରଖାଯାଉଥିଲା । ଯେପରିକି ଦେଶର ସୁରକ୍ଷାକୁ ନେଇ କୌଣସି ବିପଦଜନକ ପରିସ୍ଥିତି ନ ଉପୁଜେ ।

ନେପାଳ ସରକାର ଏହି ନୂଆ ନିୟମ ଆଣିବା ପରେ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକ, ବ୍ୟବସାୟୀଙ୍କୁ କିଛି ମାତ୍ରାରେ ସମସ୍ୟାର ସମ୍ମୁୂଖୀନ ହେବାକୁ ପଡିପାରେ । କାରଣ ପ୍ରତିଦିନ ଉଭୟ ଦେଶର ଲୋକଙ୍କୁ କୌଣସି ନା କୌଣସି କାରଣରୁ ସୀମା ପାର ହେବାକୁ ପଡିଥାଏ । ତେବେ ନେପାଳ ତରଫରୁ ମଧ୍ୟ ଏଭଳି ନିୟମ ଲାଗୁ କରିବାକୁ ଭାରତକୁ ଅନୁରୋଧ କରାଯାଇଛି ।

ଏହାପୂର୍ବରୁ ବାଙ୍ଗାଲୋରରେ ଭାରତ-ନେପାଳ ମଧ୍ୟରେ ବସିଥିବା ସୁରକ୍ଷା ସମ୍ବନ୍ଧୀୟ ବୈଠକରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ଏପରିକି ସୀମାରେ କଟକଣା କୋହଳ କାରଣରୁ ଅନ୍ୟ ଦେଶର ଲୋକ ଏହାର ଫାଇଦା ଉଠାଉଥିବା ନେଇ ଚର୍ଚ୍ଚା ହୋଇଥିଲା । ଆଉ ଏବେ ସୀମାରେ କଟକଣାକୁ ଟିକିଏ କଡା କରିଛି ନେପାଳ ।