ପାଖେଇ ଆସୁଛି ଶିକ୍ଷକଙ୍କ ଅବସରର ସମୟ । ତଥାପି ଛାତ୍ରଛାତ୍ରୀ କି ସ୍କୁଲରୁ ତୁଟୁନି ମୋହ, କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ ।

628

କନକ ବ୍ୟୁରୋ : ଗୋଟିଏ ସ୍କୁଲରେ ଚାକିରୀ ଆରମ୍ଭ ଆଉ ସେହି ସ୍କୁଲରେ ହିଁ ସରୁଛି ଚାକିରୀ ଜୀବନ । ଦୀର୍ଘ ୩୪ ବର୍ଷ ଧରି ସ୍କୁଲକୁ ନିଜ ଘର ପରି ଗଢି ତୋଳିଥିବା ଶିକ୍ଷକ ଟିଏ ହେଉଛନ୍ତି ପାରାଦୀପ ଏରସମା ବ୍ଲକ ଶାରଳା ବିଦ୍ୟାପୀଠର ଶିକ୍ଷକ ବିଜୟ କେତନ ପରିଡା । ଚାକିରୀ ଜୀବନ ଭିତରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିତୋଳିଛନ୍ତି । ଆଉ ଯାହା ପାଇଁ ସ୍ଥାନୀୟ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚୟ ବନାଇ ପାରିଛନ୍ତି ବିଜୟ ସାର ।

ସରିବାକୁ ଯାଉଛି ୩୪ ବର୍ଷର ଯାତ୍ରା । କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ । ପାଖେଇ ଆସୁଛି ଅବସରର ସମୟ । ତଥାପି ଛାତ୍ରଛାତ୍ରୀ କି ସ୍କୁଲରୁ ତୁଟୁନି ମୋହ । ଇଏ ହେଉଛନ୍ତି ପାରାଦୀପ ଏରସମା ବ୍ଲକ ଭିତରଅନ୍ଧାରୀ ପଂଚାୟତର ଉଚ୍ଚନୂଆଗାଁର ଶାରଳା ବିଦ୍ୟାପୀଠ । ଏହି ସ୍କୁଲରେ ଦୀର୍ଘ ୩୪ ବର୍ଷ ଧରି ଶିକ୍ଷକତା କରି ଆସୁଛନ୍ତି ବିଜୟ କେତନ ପରିଡା । ୨୬ ବର୍ଷ ବୟସରେ ଏହି ସ୍କୁଲରୁ ହିଁ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଆଉ ଏବେ ୩୪ ବର୍ଷ ପରେ ଏହି ସ୍କୁଲରୁ ହିଁ ଅବସର ନେବାକୁ ଯାଉଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କ ଭଲପାଇବା ଆଉ ସ୍କୁଲ ପ୍ରତି ଥିବା ନିଜର ମୋହ ପାଇଁ କାନ୍ଦି ପକାଉଛନ୍ତି ବିଜୟ ସାର ।

ବିଜୟ ସାରଙ୍କ ପାଠ ପଢାଇବାର ଶୈଳୀ, ଛାତ୍ର ବତ୍ସଳ ସ୍ୱଭାବ ତାଙ୍କୁ ସ୍ଥାନୀୟ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇ ପାରିଛି । ନିଜ ଘର ଭଳି ଶାରଳା ବିଦ୍ୟାପୀଠର ସମସ୍ତ ଦାୟିତ୍ୱ ସୂଚାରୁରୂପେ ତୁଲାଇଥାନ୍ତି । ଆଉ ଏଥିପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଗହଣରେ ଆଦୃତି ଲାଭ କରପାରିଛନ୍ତି ବିଜୟ ସାର ।

ଶିକ୍ଷକତା ପାଇଁ ଦୁର୍ବଳତା ଥିବାରୁ +୨ ପାଠପଢା ପରେ ୧୯୮୬ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ । ପ୍ରଥମେ ୫ବର୍ଷ ଅବୈତନିକ ଭାବେ କାମ କରିଥିଲେ । ପରେ +୩ ପାଠପଢା ସହ ବିଏଡରେ ଉତୀର୍ଣ୍ଣ ହୋଇ ଶିକ୍ଷକତା ଜାରି ରଖିଥିଲେ । ୩୪ ବର୍ଷ ମଧ୍ୟରେ ୨, ୩ ଥର ବଦଳି ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଚାପ ଓ ନିଜ ଜିଦ୍ ଯୋଗୁ ବଦଳି ଆଦେଶକୁ ପ୍ରତ୍ୟାହାର କରିଛନ୍ତି ଜିଲ୍ଲା ପ୍ରଶାସନ ।

ବିଜୟ ସାରଙ୍କ ଭଳି ବ୍ୟକ୍ତିତ୍ୱ ଆଜିର ସମାଜରେ ଖୁବ କମ୍ ହିଁ ଦେଖିବାକୁ ମିଳିଥାନ୍ତି । ଯେଉଁମାନେ ନିଜ ଜୀବନକୁ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଶିକ୍ଷକତାରେ ନିୟୋଜିତ କରିଥାନ୍ତି । ଆଉ ଏବେ ଅବସର ସମୟ ପାଖେଇ ଆସୁଥିବାରୁ ନିଜକୁ ଏହି ମୋହରୁ ତୁଟେଇ ପାରୁ ନାହାଁନ୍ତି ବିଜୟ ସାର ।