ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ରଥର ସାରଥୀ ଦେବେନ୍ଦ୍ର ସାର୍ । ଆଦିବାସୀ ଅଞ୍ଚଳରେ ମାଗଣାରେ ପିଲାଙ୍କୁ ପଢାଉଛନ୍ତି ପାଠ ।

142

କନକ ବ୍ୟୁରୋ : ମାଗଣା ଶିକ୍ଷାଦାନ କରି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଛନ୍ତି ଦେବଦୂତ । ବ୍ୟସ୍ତ ବହୁଳ ସମୟରେ ମାଗଣା ଶିକ୍ଷାଦାନ କରି ଚର୍ଚ୍ଚାରେ ଦୁର୍ଗମ ଅଞ୍ଚଳର ଆଦିବାସୀ ଯୁବକ । ପେଶାରେ ଜଣେ ଅବକାରୀ କନେଷ୍ଟବଳ କିନ୍ତୁ ନିଶା ଗରିବ ପିଲାମାନଙ୍କୁ ପାଠ ପଢାଇବା । କରୋନା କାଳରେ ଶିକ୍ଷାଗତ ଜୀବନ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଆଲୋକ ସାଜିଛନ୍ତି ଦେବେନ୍ଦ୍ର ସମରଥ୍ ।

ଶିକ୍ଷା, ଛାତ୍ର ଜୀବନକୁ ସୁଗମ କରେ । ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଜୀବନକୁ ଆଗକୁ ନେବାରେ  ଶିକ୍ଷକ ସାରଥୀଙ୍କ ସାଜନ୍ତି । ଏଇ ଯେମିତି ଆଦିବାସୀ ଅଂଚଳର ଗରିବ ପିଲାଙ୍କ ଶିକ୍ଷା ରଥର ସାରଥି ସାଜିଛନ୍ତି ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ କର୍ଚ୍ଚାମାଳ ଗାଁର ଦେବେନ୍ଦ୍ର ସମରଥ୍ । ଅବକାରୀ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ଦେବେନ୍ଦ୍ର, ବଳକା ସମୟରେ ପିଲାଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି ।

ସରକାରୀ ଶିକ୍ଷକ ହେବାକୁ ଆଶା ରଖିଥିବା ଦେବେନ୍ଦ୍ର ସମରଥ ୨୦୧୭ରେ ଶିକ୍ଷକ ପ୍ରଶିକ୍ଷଣ ତାଲିମ ଶିକ୍ଷା ଗ୍ରହଣ କରିବା ସହ ଓଟିଇଟି ପରୀକ୍ଷାରେ ଉତୀର୍ଣ୍ଣର୍ ହୋଇଛନ୍ତି । ହେଲେ ଶିକ୍ଷା ବିଭାଗରେ ଚାକିରି ନମିଳିବାରୁ ପରିବାରର ଆର୍ଥିକ ଅନଟନ ଦୂର କରିବାକୁ ଅବକାରୀ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ ଯୋଗ ଦେଇଛନ୍ତି । କିନ୍ତୁ ଶିକ୍ଷାଦାନ ମଧ୍ୟ ଜାରି ରଖିଛନ୍ତି ।

କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ ଥିବା ବେଳେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷା ବେଶ ପ୍ରଭାବିତ ହୋଇଛି । ତାକୁ ସୁଧାରିବା ପାଇଁ କରୋନା କଟକଣା ଭିତରେ ପିଲାଙ୍କୁ ପାଠପଢାଉଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ରଙ୍କ ପାଠ ପଢାରେ ଛାତ୍ରଛାତ୍ରୀ ବେସ ଖୁସି ଥିବା ବେଳେ ଗ୍ରାମବାସୀ ତାଙ୍କ ଏଭଳି ମହତ୍ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଶିକ୍ଷାକ୍ଷେତ୍ରରେ ପଛରେ ଥିବା ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଭିତିଭୂମି ସଜାଡିବାରେ ଦେବେନ୍ଦ୍ରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇରହିବ ।