ଜିଓକୁ ଟକ୍କର ଦେବାକୁ ଆଇଡିଆର ନୂଆ ଦମଦାର୍ ଅଫର୍ ! ପ୍ରତିଦିନ ୧.୫ ଜିବି ଡାଟା ସହ ଅସୀମିତ ଭଏସ୍ କଲ୍

50

airtel_vodafone_idea_bsnl_rjio_1499261009002କନକ ବ୍ୟୁରୋ : ଟେଲିକମ୍ ଇଣ୍ଡଷ୍ଟ୍ରିରେ ସୁନାମୀ ପରି ପ୍ରବେଶ କରିଛି ରିଲାଏନ୍ସ ଜିଓ । ଗତ ୧୮ମାସ ମଧ୍ୟରେ ଜିଓକୁ ଟକ୍କର ଦେବା ସହ ନିଜ କମ୍ପାନି ସହିତ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ବିଭିନ୍ନ ଟେଲିକମ୍ କମ୍ପାନି ସେମାନଙ୍କ ଅଫରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ କରି ଚାଲିଛନ୍ତି । କିଛି ଦିନ ତଳେ ଜବରଦସ୍ତ ଅଫର୍ ଆଣିଥିଲା ଏୟାରଟେଲ୍ । ଆଉ ବର୍ତ୍ତମାନ ଆଇଡିଆ ନିଜ ଗ୍ରାହକଙ୍କ ପାଇଁ ଆଣିଛି ନୂଆ ଅଫର୍ । ଯାହା ଜିଓ ଏବଂ ଏୟାରଟେଲକୁ ଦେବ ଜୋରଦାର୍ ଟକ୍କର ।

ଆଇଡିଆର ନୂଆ ପ୍ଲାନ୍ ଅନୁଯାୟୀ, ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ସହ ମିଳିବ ଅସୀମିତ ଲୋକାଲ୍ ଏବଂ ଏସଟିଡି ଭଏସ୍ କଲ୍ । କେବଳ ସେତିକି ନୁହେଁ ଯେଉଁମାନେ ଅନଲାଇନ୍ ଜରିଆରେ ରିଚ୍ଚାର୍ଜ କରିବେ ସେମାନଙ୍କୁ ଏମଆରପିରରୁ ୧୦ ପ୍ରତିଶତ ରିହାତି ମିଳିବ । ଏହି ରିହାତି ଟକଟାଇମ୍ ଜରିଆରେ ପାଇପାରିବେ ଗ୍ରାହକ । ତେବେ ଆଇଡିଆର ଏହି ନୂଆ ପ୍ଲାନ୍ ପାଇବାକୁ ହେଲେ ୬୯୬ଟଙ୍କା ରିଚ୍ଚାର୍ଜ କରିବାକୁ ପଡିବ । ଯାହାର ବୈଧତା ରହିଛି ୮୪ ଦିନ ।

ରିଲାଏନ୍ସ ଜିଓକୁ ଏହା ଭିତରେ ପୁରିଛି ବର୍ଷେ । ଗତବର୍ଷ ସେପ୍ଟେମ୍ବର ୫ରେ ଟେଲିକମ୍ ଜଗତରେ ଧସେଇ ପଶିଥିଲା ଜିଓ । ବଜାରକୁ ଆସିବା ପରେ ବଦଳି ଯାଇଛି ଟେଲିକମ୍ ଜଗତର ଗତିପଥ । ଏହି ୧୨ ମାସ ଭିତରେ ଟେଲିକମ୍ ସେକ୍ଟରରେ ଏକ ମାଇଲଖୁଂଟ ଭାବରେ ପ୍ରମାଣିତ ହୋଇଛି ଜିଓ । ଦେଶରେ ମୋଦି , ଯୋଗୀ ପରେ ଯଦି କେହି ବେଶୀ ଚର୍ଚ୍ଚିତ ହେଉଥାଏ ତେବେ ତାହା ହେଉଛି ଜିଓ । ପ୍ରଥମେ ମାଗଣା ଏବଂ ପରେ ଶସ୍ତା ପ୍ଲାନ୍ ଯୋଗାଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛି ଜିଓ । ବର୍ତ୍ତମାନ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ହୋଇ ସାରିଲାଣି ପ୍ରାୟ ୧୨୫ ମିଲିୟନ୍ । ମାଗଣା ଭଏସ୍ କଲ୍ ସହ ଦମଦାର୍ ଅଫର ପାଇଁ ଅନ୍ୟ କମ୍ପାନୀକୁ ପଛରେ ପକାଇ ଦେଇଛି ଜିଓ ।

ପ୍ରଥମେ କିଛି ଏମବିର ଡାଟାକୁ ମାପ ଚୁପ କରି ଗ୍ରାହକ ଖର୍ଚ୍ଚ କରୁଥିଲେ । ହେଲେ ଏବେ ପରିସ୍ଥିତି ପୁରା ଓଲଟା । ଜିଓ ଆସିବା ପୂର୍ବରୁ ପ୍ରତି ମାସରେ ୨୦ କୋଟି ଜିବି ଡାଟା ଖର୍ଚ୍ଚ ହେଉଥିଲା  । ଆଉ ଏବେ ଖର୍ଚ୍ଚ ହେଉଛି ୧୫୦ କୋଟି ଜିବି । ଜିଓର ଦାବି ହେଉଛି ଏହି ୧୫୦ କୋଟି ଜିବିରୁ ୧୨୫ କୋଟି ଜିବି ହେଉଛି ତାର ଗ୍ରାହକ ବୋଲି  । ଏହା ସହ ଜିଓ ଆସିବା ପରେ ଡାଟା ବ୍ୟବହାର କ୍ଷେତ୍ରରେ ଭାରତର ରାଙ୍କ୍ ୧୫୫ରୁ ଉଠି ଏକ ନମ୍ବରକୁ ଚାଲି ଆସିଛି  ।

jio phoneକେବଳ ସେତିକି ନୁହେଁ ଜିଓ ଆସିବା ପରେ ଜିଓ ୪ଜି ଫୋନର ବ୍ୟବହାର ଅନେକ ମାତ୍ରାରେ ବଢ଼ାଇଛି । ମାର୍ଚ୍ଚ ୨୦୧୬ରେ ମାତ୍ର ୪.୭ କୋଟି ଲୋକ ୪ଜି ଫୋନ ବ୍ୟବହାର କରୁଥିବା ବେଳେ ଏବେ ଏହା ବଢ଼ି ୧୫ କୋଟିରେ ପହଂଚିଛି । ଟିଭି ଠାରୁ ଅଧିକ ସମୟ ଲୋକ ଏବେ ମୋବାଇଲ୍ ସହ କାଟୁଛନ୍ତି । ୨୦୧୫ ଆରମ୍ଭ ସୁଦ୍ଧା ସ୍ମାର୍ଟ ଫୋନ୍ ବଜାରରେ ୭୨% ୩ଜି ଫୋନର ଥିବା ବେଳେ ୨୩% ଥିଲା ୨ଜି ଫୋନର । କିନ୍ତୁ ୨୦୧୭ ବେଳକୁ ସ୍ମାର୍ଟ ଫୋନ୍ ମାର୍କେଟର ୯୫ % ଅକ୍ତିଆର୍ କରି ନେଛି ୪ଜି ଫୋନ୍ । ବାକି ୫ ପ୍ରତିଶତରେ ସୀମିତ ରହିଯାଇଛି ୩ଜି ଏବଂ ୨ଜି । ଏହା ସହ ଜିଓ ଦାବି କରିଛି ଯେ ଦେଶର ୭୫ % ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି । ତେବେ ଜିଓର ଟାର୍ଗେଟ୍ ହେଉଛି ଆସନ୍ତା ବର୍ଷ ମଧ୍ୟରେ ଏହାକୁ ୯୯% କରିବା  ।

airtel-vs-jioଅଫରରେ ଆଗ ଅନ୍ୟପଟେ ଜିଓକୁ ଟକ୍କର ଦେବା ସହ ମାର୍କେଟରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ଅନ୍ୟ କମ୍ପାନୀ ମାନେ ମଧ୍ୟ ଦେଉଛନ୍ତି ମନଲୋଭା ଅଫର୍  । ଡାଟାର ଏହି ଯୁଦ୍ଧରେ ସିଧାସଳଖ ଲାଭ ପାଉଛନ୍ତି ଗ୍ରାହକ । ତେବେ ଏକ ରିପୋର୍ଟ ଅନୁଯାୟୀ ଯଦିଓ ଅଫରରେ ଆଗୁଆ ଜିଓ କିନ୍ତୁ ସ୍ପିଡରେ ପଛୁଆ । ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ନିଜ ଗ୍ରାହକଙ୍କୁ ନିରାଶ କରିଛି ଜିଓ । ଏୟାରଟେଲର ଇଣ୍ଟରନେଟ୍ ସ୍ପିଡ୍ ସବୁଠାରୁ ଅଧିକ ଥିବା ବେଳେ ପଛରେ ରହିଛି ଜିଓ ।

jio1ଜିଓର ସ୍ପିଡ୍ ୫୦ଏମବିପିଏସ୍ ଥିବା ବେଳେ ଏୟାରଟେଲ୍, ଭୋଡାଫୋନ୍ ଏବଂ ଆଇଡିଆର ଯଥାକ୍ରମେ ରହିଛି ୫୬.୯ ଏମବିପିଏସ୍, ୩୬.୫ ଏମବିପିଏସ୍ ଏବଂ ୨୯.୮ ଏମବିପିଏସ୍ । ସେହିପରି ୪ଜି ଡାଉନଲୋଡ୍ ସ୍ପିଡରେ ଅନ୍ୟ ଟେଲିକମ୍ କମ୍ପାନୀଠୁ ପଛରେ ପଡିଯାଇଛି ଜିଓ । ଏୟାରଟେଲର ୪ଜି ଡାଉନଲୋଡ୍ ସ୍ପିଡ୍ ୧୧.୫ ଏମବିପିଏସ୍ ଥିବା ବେଳେ ଆଇଡିଆର ରହିଛି ୯ ଏମବିପିଏସ୍ । କିନ୍ତୁ ଜିଓର ରହିଛି ମାତ୍ର ୩.୯ ଏମବିପିଏସ୍ । ଏପରିକି ଜିଓର ୪ଜି ଡାଉନଲୋଡ୍ ସ୍ପିଡ୍ ଏୟାରଟେଲର ୩ଜି ଠାରୁ ମଧ୍ୟ କମ୍ ରହିଛି । କାରଣ ଏୟାରଟେଲର ୩ଜି ଡାଉନଲୋଡ୍ ସ୍ପିଡ୍ ରହିଛି ୪.୪ ଏମବିପିଏସ୍ ।

ଜାଣି ଆଶ୍ଚର୍ଯ୍ୟ ହେବେ ହାରିହାରି ୪ଜି ଡାଉନଲୋଡ୍ କ୍ଷେତ୍ରରେ ଭାରତର ରାଙ୍କ୍ ରହିଛି ୭୪ । ଯାହାକି ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାଠାରୁ ଅନେକ ପଛରେ ।