ଚୁକ୍ତି ଖିଲାଫ କରି ପ୍ରାୟ ୫୦ ଏକର ଜମି ମାଡିବସିଛି ଡିଏଲଏଫ୍ । ଜମି ଫେରାଇବାକୁ ନୋଟିସ ଦେଲା ଇଡକୋ

473

କନକ ବ୍ୟୁରୋ : କନକ ନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଇଡକୋ ଏନେଇ ଡିଏଲଏଫକୁ ଜମି ଫେରାଇବାକୁ ନୋଟିସ କରିଛି। ଇଡକୋ ପକ୍ଷରୁ କୁହାଯାଇଛି, କମ୍ପାନୀକୁ ଯେଉଁ ଉଦେଶ୍ୟରେ ଜମି ଦିଆଯାଇଥିଲା, ସେହି ଅନୁସାରେ ନିର୍ମାଣ ହୋଇନାହିଁ। ତେଣୁ ବଳକା ଜମି ସରକାରୀ ଖାତାକୁ ଫେରିବ। ଏଥିରେ ବ୍ୟତିକ୍ରମ ଘଟିଲେ ଡିଏଲଏଫ କମ୍ପାନୀ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଅଂଚଳରେ ରହିଛି ଦେଶର ନାମୀଦାମୀ ରିୟଲ ଇଷ୍ଟେଟ କମ୍ପାନୀ ଡିଏଲଏଫ। ଏହି କମ୍ପାନୀ ୨୦୦୬ ମସିହା ନଭେମ୍ବର ମାସରେ ପଟିଆ ଅଂଚଳରେ ପ୍ରାୟ ୫୪ ଏକର ସରକାରୀ ଜମି ନେଇଥିଲା। ଜମିରେ ୬୦ ପ୍ରତିଶତ ଜାଗାରେ ଆଇଟି ଓ ୪୦ ପ୍ରତିଶତ ଜାଗାରେ ନନ୍-ଆଇଟି ପ୍ରକଳ୍ପ କରିବାକୁ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଆଉ ଯଦି ୬ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ ନହୁଏ, ତେବେ ଡିଏଲଏଫକୁ କ୍ଷତିପୂରଣ ଦେବାକୁ ପଡିବ। ହେଲେ, ବିଡ଼ମ୍ବନାର ବିଷୟ ହେଉଛି, ଏପର୍ୟ୍ୟନ୍ତ ମାତ୍ର ୫ ଏକର ଜାଗାରେ ନିର୍ମାଣ କରାଯାଇଥିବା ଜଣାପଡିଛି। ବଳକା ରହିଛି ପ୍ରାୟ ୫୦ ଏକର ଜମି। ଏହି ବଳକା ଜମିକୁ ତୁରନ୍ତ ଫେରାଇ ଦେବାକୁ ଦାବି ବଢ଼ିବାରେ ଲାଗିଛି।

ତେବେ ଡିଏଏଲଏଫ ଜମି ଫେରାଉଛି ନା ନାହିଁ ତାହା ପରବର୍ତି ସମୟରେ ଜଣାପଡିବ। ଆଉ ଯଦି ଜମି ନଫେରାଉଛି, ସରକାର କମ୍ପାନୀ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ନଜର ରହିବ।