ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ହଜାର କୋଟି ଟଙ୍କାର ମହାଘୋଟାଲା ସାମ୍ନାକୁ ଆସିବା ପରେ ଏବେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଘୋଟାଲା ସାମ୍ନାକୁ ଆସୁଛି । ପିଏନବି, ଏସବିଆଇ ପରେ ଏବେ ଆଇଡିବିଆଇ ବ୍ୟାଙ୍କରେ ମଧ୍ୟ ଏକ ନୂଆ ଘୋଟାଲା ହୋଇଥିବା ଖବର ସାମ୍ନାକୁ ଆସିଛି ।
ଆଇଡିବିଆଇ ବ୍ୟାଙ୍କରେ ନକଲି କାଗଜପତ୍ର ଜରିଆରେ ୭୭୨ କୋଟି ଟଙ୍କା ଘୋଟାଲା ହୋଇଥିବା ଜଣାପଡିଛି । ଏହି ଠକେଇ ବ୍ୟାଙ୍କର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଥିବା ୫ଟି ଶାଖାରୁ ସାମ୍ନାକୁ ଆସିଛି । ଏହି ଘଟଣାରେ ସିବିଆଇ ଏତଲା ଦାୟର କରିଛି ।
ଆଇଡିବିଆଇ ବ୍ୟାଙ୍କ ଏହି ଘୋଟାଲାର ତଥ୍ୟ ଫାଇଲ ଜରିଆରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଦେଇଛି । ଏହି ଘୋଟାଲା ଲୋନ ଜରିଆରେ କରାଯାଇଥିବା ବ୍ୟାଙ୍କ କହିଛି । ଏଥିରୁ କିଛି ଲୋନ ୨୦୦୯ ରୁ ୨୦୧୩ ମଧ୍ୟରେ ନିଆଯାଇଥିଲା । ଏହି ଲୋନ ମାଛ ଚାଷ ପାଇଁ ନିଆଯାଇଥିଲା । ବ୍ୟାଙ୍କ କହିଛି ଯେ, ଏଥିରୁ କିଛି ଲୋନ ନକଲି କାଗଜପତ୍ର ଜରିଆରେ ନିଆଯାଇଥିଲା । ନକଲି କାଗଜପତ୍ରରେ କିଛି ପୋଖରି ଅଞ୍ଚଳର ଜାଗାର ଥିଲା । ଯେଉଁଥିରେ କୌଣସି ଅସ୍ତିତ୍ୱ ହିଁ ନଥିଲା । କେବଳ ଏତିକି ନୁହେଁ, ବନ୍ଧା ରଖାଯାଇଥିବା ସମ୍ପତ୍ତିର ମୂଲ୍ୟ ମଧ୍ୟ ବଢେଇଚଢେଇ କୁହାଯାଇଥିଲା ।
ପିଏନବି ମହାଘୋଟାଲା ଭଳି ଏହି ଘଟଣାରେ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା କୁହାଯାଉଛି । ବ୍ୟାଙ୍କ କହିଛି ଯେ, ଏହି ମାମଲାରେ ଦିଆଯାଇଥିବା ଲୋନର ପ୍ରୋସେସିଙ୍ଗ ଏବଂ ବିତରଣରେ କେତେକ ତ୍ରୁଟି ସାମ୍ନାକୁ ଆସିଛି । ଲୋନ ଦେଇଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି ।
ଏବଂ ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବ୍ୟାଙ୍କ କହିଛି ଯେ, ଘୋଟାଲାର ଏହିଭଳି ୫ଟି ଅଭିଯୋଗରୁ ୨ଟି ମାମଲାରେ କେସ ଦାୟର କରାଯାଇଛି । ଏହି ଦୁଇଟି ମାମଲା ବ୍ୟାଙ୍କର ବଶିରବାଗ୍ ଏବଂ ଗୁଂଟୁର ବ୍ରାଞ୍ଚ ସହଲ ଯୋଡି ହୋଇ ରହିଛି ।
ବ୍ୟାଙ୍କର ସେୟାର ଖସିଲା :
ବ୍ୟାଙ୍କରେ ମହାଘୋଟାଲା ଖବର ସାମ୍ନାକୁ ଆସିବା ପରେ ଆଇଡିବିଆଇ ବ୍ୟାଙ୍କର ସେୟାର ହ୍ରାସ ଘଟିଛି । ବ୍ୟାଙ୍କର ସେୟାର ୩ପ୍ରତିଶତରୁ ଅଧିକ ଖସିଥିବା ଜଣାପଡିଛି ।