ପାକିସ୍ତାନର ପ୍ରମୁଖ ଚା’ କମ୍ପାନୀର ବିଜ୍ଞାପନରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ! ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କଲା ଭିଡିଓ

702

ପାକିସ୍ତାନର ଏକ ପ୍ରମୁଖ ଚା’ କମ୍ପାନିର ବିଜ୍ଞାପନରେ ଏବେ ଭାରତୀୟ ବାୟୁସେନାର ପରାକ୍ରମୀ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବିଜ୍ଞାପିତ କରାଯିବା ପରେ ଏହାକୁ ନେଇ ବିଶ୍ୱବ୍ୟାପି ଚର୍ଚ୍ଚା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ବିଜ୍ଞାପନ ଭିଡିଓ ଏବେ ଉଭୟ ଭାରତ ଓ ପାକିସ୍ତାନର ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଗତ ୨୬ ତାରିଖରୁ ପ୍ରାୟ ୬୦ ଘଣ୍ଟା କାଳ ଯୁଦ୍ଧବନ୍ଦୀ ଭାବେ ରହିବା ପରେ ଇତିମଧ୍ୟରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ଆସିଛନ୍ତି ଭାରତୀୟ ବାୟୁସେନାର ପରାକ୍ରମୀ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ତେବେ, ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ଯୁଦ୍ଧ ବନ୍ଦୀ ଥିବା କାଳରେ ପାକ୍ ସେନା ତାଙ୍କୁ ଜେରା କରିବା କାଳରେ ଚା’ ପିଇବାକୁ ଦେଇଥିଲା। ଏବଂ ଅଭିନନ୍ଦନ ଚା’ ପିଉଥିବାର ଦୃଶ୍ୟକୁ ଭିଡିଓ କରି ସେ ସମୟରେ ଭାଇରାଲ କରାଇଥିଲା ପାକ୍ ସେନା।

ତେବେ, ବର୍ତ୍ତମାନ ପାକିସ୍ତାନର ଏକ ଲୋକପ୍ରିୟ ଚା’ କମ୍ପାନି ‘ତାପଲ ଦାନେଦାର ଟି’ ନିଜର ବିଜ୍ଞାପନରେ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ଯୁଦ୍ଧ ବନ୍ଦୀ ଥିବା କାଳରେ କାଳରେ ସେ ଚା’ ପିଉଥିବାର ଦୃଶ୍ୟକୁ ଦେଖାଇବା ସହ ସେ ଚା’ର ପ୍ରଶଂସା କରୁଥିବା ମଧ୍ୟ ଦେଖାଇଛି। ଏହି ଭିଡିଓ ଏବେ ଉଭୟ ଭାରତ ଓ ପାକିସ୍ତାନର ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଏ ପରିସ୍ଥିତରେ ‘ତାପଲ ଦାନେଦାର ଟି’ କମ୍ପାନି ଏକ ସ୍ପଷ୍ଟୀକରଣ ଦେଇ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ଚା’ ପିଉଥିବା ବିଜ୍ଞାପନକୁ ନକଲି ବୋଲି କହିବା ସହ କମ୍ପାନିର ମୂଳ ଭିଡିଓକୁ ପ୍ରଦର୍ଶିତ କରାଇଛି।