କଟକରେ ସବୁ ଆଇସିୟୁ, ଭେଣ୍ଟିଲେଟର୍ ଭର୍ତ୍ତି… ସହରରେ ପ୍ରତି ଶହେ ପରୀକ୍ଷାରେ ବାହାରୁଛନ୍ତି ୭୯ ପଜିଟିଭ୍

297

କଟକ ସହରରେ କରୋନା ସଂକ୍ରମଣ ହାର ଅତ୍ୟନ୍ତ ଉଦବେଗଜନ ସ୍ଥିତିରେ ପହଞ୍ଚିଛି। ଗଲା ୧୭ ଦିନରେ ସହରରେ ମାତ୍ର ୮ ହଜାର ୮ଶହ ସ୍ବାବ ପରୀକ୍ଷା ହୋଇଥିବା ବେଳେ ସେଥିରୁ ସଂକ୍ରମିତ ବାହାରିଛନ୍ତି ୬ ହଜାର ୯୬୬। ଅର୍ଥାତ ପ୍ରତି ଶହେ ପରୀକ୍ଷାରେ ବାହାରୁଛନ୍ତି ୭୯.୧୫ ସଂକ୍ରମିତ। ଏପଟେ ସଂକ୍ରମଣ ସ୍ଥିତି ଉଦବେଗଜନକ ହୋଇଥିବା ବେଳେ କୋଭିଡ୍‌ ହସ୍ପିଟାଲ ଗୁଡିକରେ ଶଯ୍ୟା ଅଭାବ ସମସ୍ୟା ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ମେ’ ୧ରୁ ୧୭ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୧୩ ହଜାର ୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରୁ ସହରରୁ ୬୯୬୬ ଜଣ ଓ ଗ୍ରାମାଞ୍ଚଳରୁ ୬୦୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିକୁ ବାଦ୍‌ ଦେଲେ ସହରରେ ୭ଟି ଘରୋଇ ହସ୍ପିଟାଲକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ନିୟନ୍ତ୍ରଣରେ କାର୍ଯ୍ୟ କରୁଛି।

କିନ୍ତୁ ଆଜି ସୁଦ୍ଧାର ସ୍ଥିତି ଅନୁଯାୟୀ କଟକରେ କୌଣସି କୋଭିଡ୍‌ ହସ୍ପିଟାଲରେ ଗୋଟିଏ ବି ଆଇସିୟୁ, ଭେଣ୍ଟିଲେଟର ଅକ୍ସିଜେନଯୁକ୍ତ ବେଡ୍‌ ଖାଲି ନାହିଁ। କିଛି ହସ୍ପିଟାଲରେ କେବଳ ସାଧାରଣ ବେଡ୍‌ ଖାଲି ପଡିଛି। ଏଭଳି ସ୍ଥିତିରେ ଅନେକ ସଂକ୍ରମିତ ଭୁବନେଶ୍ବର ଓ କଟକର ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବେଳେ ସେଥିରେ ବି ଧୀରେ ଧୀରେ ଅଭାବ ଦେଖା ଦେଲାଣି।

କଟକରେ ଏସ୍‌ସିବି ସମେତ ୭ଟି ଘରୋଇ ହସ୍ପିଟାଲ‌େରେ ମୋଟ ୧୩୬୫ଟି ବେଡ୍‌ ଥିବାବେଳେ ସେଥିରୁ ୧୪୮ଟି ସାଧାରଣ ବେଡ୍‌, ୭୮୯ଟି ଅକ୍ସିଜେନଯୁକ୍ତ ବେଡ୍‌, ୨୯୨ଟି ଆଇସିୟୁ, ୧୩୬ଟି ଭେଣ୍ଟଇଲେଟର ରହିଛି। ସେଥିରୁ ୧୬ଟି ଏନ୍‌ଆଇସିୟୁ, ୬ଟି ଡାଏଲିସିସି୍‌ ବେଡ୍‌ ମଧ୍ୟ ରହିଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ତଥ୍ୟକୁ ଯଦି ଦେଖାଯାଏ ତେବେ ସହରର ଏସ୍‌ସିବି ସମେତ ୭ଟି ଘରୋଇ ହସ୍ପିଟାଲ କେଉଁଥିରେ ବି ଆଇସିୟୁ ବା ଭେଣ୍ଟିଲେଟର ବେଡ୍‌ ଖାଲି ନାହିଁ। କେବଳ କିଛି ଘରୋଇ ହସ୍ପିଟାଲର ହାତଗଣତି ସାଧାରଣ ବେଡ୍‌ ଖାଲି ପଡିଛି। ଅଶ୍ବିନୀରେ ଥିବା ୫୦ଟି ଆଇସିୟୁ, ସଦ୍‌ଗୁରୁରେ ଥିବା ୩୦ ଆଇସିୟୁ, ସାଉଥ୍ ପଏଣ୍ଟରେ ଥିବା ୩୫, ୟୁନିକ୍‌ରେ ଥିବା ୨୦, ଓମ୍ ଶୁଭମ୍‌ରେ ଥିବା ୨୦, ରୁଦ୍ରରେ ଥିବା ୩୪ ଆଇସିୟୁରେ ରୋଗୀ ଭର୍ତ୍ତିଥିବାବେଳେ କେବଳ ସୃଷ୍ଟିରେ ୫୦ଟି ଆଇସିୟୁରୁ ୪୯ଟିରେ ରୋଗୀ ରହିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।

ଅନ୍ୟପଟେ ଅଶ୍ବିନୀରେ ୨୫ଟି,  ସଦ୍‌ଗୁରୁରେ ୧୬, ସୃଷ୍ଟିରେ ୨୭, ସାଉଥ୍‌ ପଏଣ୍ଟରେ ୧୬, ୟୁନିକ୍‌ରେ ୧୪, ଓମ୍ ଶୁଭମ୍‌ରେ ୮, ରୁଦ୍ରରେ ୫ଟି ଭେଣ୍ଟିଲେଟର ଥିବା ବେଳେ ରୁଦ୍ରରେ କେବଳ ୨ଟି ଭେଣ୍ଟିଲେଟର ଖାଲି ଅଛି। ଅନ୍ୟପଟେ କଟକ ସହରରେ ୪ଟି ସିସିସି ରହିଥିବାବେଳେ ଗ୍ରାମାଞ୍ଚଳରେ ୯ଟି ସିସିସି ରହିଛି। ଗ୍ରାମାଞ୍ଚଳରେ ଥିବା ୯ଟି ସିସିସିରେ ୧୨୫୦ ବେଡ୍‌ ବ୍ୟବସ୍ଥା ରହିଥିବା ବେଳେ ସହରରେ ଥିବା ୪ଟି ସିସିସିରେ ୪ ଶହରୁ ଅଧିକ ବେଡ୍‌ ବ୍ୟବସ୍ଥା ରହିଛି। କଟକରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ବୃଦ୍ଧି କରା ନଗଲେ ଆଗକୁ ହୁଏତ ସଂଗିନ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।