୫ ଜିଲ୍ଲା ବଢାଇଲେ ଓଡି଼ଶାର ଚିନ୍ତା । ହୁ ହୁ ହୋଇ ବଢୁଛି ସଂକ୍ରମଣ, ଦେଖାଦେଇପାରେ ଆଇସିୟୁର ଅଭାବ । ମୁଖ୍ୟମନ୍ତ୍ରୀ କହିଲେ, ବଢିବ ଆଇସିୟୁ ବେଡ୍ ସଂଖ୍ୟା, ଦିନକୁ ୯ହଜାର ପରୀକ୍ଷା ଲକ୍ଷ୍ୟ ।

1,752

କନକ ବ୍ୟୁରୋ : ଓଡିଶା ପାଇଁ ଚିନ୍ତା ଏବେ ୫ ଜିଲ୍ଲା । ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ସୁନ୍ଦରଗଡ ଓ କଟକ ଜିଲ୍ଲାରେ ରାଜ୍ୟର ଅଧାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ସଂକ୍ରମଣ ବଢ଼ୁଥିବାରୁ ଆଇସିୟୁ ସୁବିଧାକୁ ନେଇ ଚିନ୍ତାରେ ଅଛନ୍ତି ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ଏକ ସମୀକ୍ଷା କରି ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ୨ଶହ ଆଇସିୟୁ ବେଡ୍ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ । ରାଜ୍ୟର ଏହି ୫ଟି ଜିଲ୍ଲା ସରକାରଙ୍କ ପାଇଁ ଏବେ ବଡ ଆହ୍ୱାନ । ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀଙ୍କ ଘରବାହୁଡା ପରେ ବିଗିଡିଯାଇଛି ସ୍ଥିତି । ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ତେଣୁ ଏସବୁ ଜିଲ୍ଲା ଉପରେ ଅଧିକ ଫୋକସ ଦେଇଛନ୍ତି ସରକାର ।

ରାଜ୍ୟରେ କରୋନା ଭୂତାଣୁର ବଡ ହଟସ୍ପଟ ପାଲଟିଛି ଗଂଜାମ । ଜିଲ୍ଲାରେ ଏଯାଏଁ ୪୩୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୪୨୩ । ୧ ହଜାର ୬୦ ଆକ୍ରାନ୍ତଙ୍କ ସହ କଟକ ଜିଲ୍ଲା ରହିଛି ତାଲିକାର ତୃତୀୟ ସ୍ଥାନରେ । ସେହିପରି ଯାଜପୁରରେ ୯୧୪ ଏବଂ ସୁନ୍ଦରଗଡରେ ୭୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଂଟିଲେଟର, ଆମ୍ବୁଲାନ୍ସ ଓ ଶଯ୍ୟାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଜିଲ୍ଲା         ଆକ୍ରାନ୍ତ

ଗଂଜାମ ୪୩୩୫

ଖୋର୍ଦ୍ଧା ୧୪୨୩

କଟକ         ୧୦୬୦

ଯାଜପୁର         ୯୧୪

ସୁନ୍ଦରଗଡ         ୭୨୫

ବଢିବ ଆଇସିୟୁ ବେଡ୍ ସଂଖ୍ୟା । ଦିନକୁ ୯ହଜାର ପରୀକ୍ଷା ଲକ୍ଷ୍ୟ । ଆଇସିୟୁ ବେଡ୍ ଓଡିଶା ପାଇଁ ଏକ ବଡ ଚିନ୍ତାର କାରଣ ସାଜିଛି । ନଜର ପକାନ୍ତୁ ଗତ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟର କିଛି ପ୍ରମୁଖ କୋଭିଡ୍ ହସ୍ପିଟାଲରେ ଆଇସିୟୁର ସ୍ଥିତି ଉପରେ ।

ଭୁବନେଶ୍ୱର ସମ୍ ହସ୍ପିଟାଲ୍ :

ଆଇସିୟୁ ବେଡ୍ ସଂଖ୍ୟା ୨୫ – ୨୫ଟି ଯାକ ପୂର୍ଣ୍ଣ

ଅର୍ଥାତ ଶହେ ପ୍ରତିଶତ ଆଇସିୟୁ ବେଡରେ ଚିକିତ୍ସିତ ହେଉଛନ୍ତି ଗୁରୁତର ଥିବା କରୋନା ଆକ୍ରାନ୍ତ ।

ଭୁବନେଶ୍ୱର କିମ୍ସ ହସ୍ପିଟାଲ :

ଆଇସିୟୁ ବେଡ୍ ସଂଖ୍ୟା ୪୫ – ୪୫ଟି ବେଡରେ ରୋଗୀ

ଏଥିରେ ମଧ୍ୟ ନୂଆ ରୋଗୀଙ୍କ ପାଇଁ ଆଉ ଜାଗା ନାହିଁ ।

ଗଂଜାମ ଟାଟା ମେଡିକାଲ ହସ୍ପିଟାଲ୍ :

ଆଇସିୟୁ ବେଡ୍ ସଂଖ୍ୟା ୫୦ – ସେଥିରୁ ୩୧ ବେଡରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ । ୬୨ ପ୍ରତିଶତ ବେଡ ପୂର୍ଣ୍ଣ ହୋଇଯାଇଛି ।

କଟକ ଅଶ୍ୱିନୀ ହସ୍ପିଟାଲ୍ :

ଆଇସିୟୁ ବେଡ୍ ସଂଖ୍ୟା ୩୪ – ୨୦ଟି ବେଡରେ ଅଛନ୍ତି ରୋଗୀ, ପ୍ରାୟ ୫୯ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ହୋଇଯାଇଛି ।

ତେଣୁ  କଟକ, ଭୁବନେଶ୍ୱର ଓ ଗଂଜାମ ଜିଲ୍ଲାର କୋଭିଡ ହସପିଟାଲରେ ଆହୁରି ୨ଶହ ଆଇସିୟୁ ବେଡ୍ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଥିବା ମୋଟ କୋଭିଡ୍ ହସପିଟାଲ ସଂଖ୍ୟା ହେଉଛି ୩୫ । ସେଥିରେ ୫ ହଜାର ୫୭୭ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ଆଇସିୟୁ ବେଡ୍ ରହିଛି ୩୧୨ଟି । ତେଣୁ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ବି ଗୁରୁତ୍ୱ ଦେଇଛନ୍ତି ସରକାର ।

କୋଭିଡ ହସପିଟାଲ

ସଂଖ୍ୟା          ୩୫

ଶଯ୍ୟା ୫୫୭୭

ଆଇସିୟୁ ୩୧୨

ପ୍ରତ୍ୟକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଆଇସିୟୁ ବେଡ୍ ଓ କୋଭିଡ୍ ହସପିଟାଲରେ ଚିକିତ୍ସାର ସୁବିଧା ଆଗକୁ ସବୁଠାରୁ ଆହ୍ୱାନ ହୋଇ ଉଭା ହୋଇପାରେ ।