ଝାରସୁଗୁଡାରେ ସ୍ଥାପନ ହେବ ଆଉ ଏକ କୋଭିଡ୍ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା

51

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଠାରେ ୧୦୦ ଶଯ୍ୟା ଓ ୨୦ ଟି ଭେଣ୍ଟିଲେଟର ଆସିୟୁ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବିଭିନ୍ନ ଜନପ୍ରତିନିଧି, ବିଧାୟକ, ସାଂସଦ ଓ ଜନସାଧାରଣଙ୍କ ଦାବି ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାପାଳ ଝାରସୁଗୁଡ଼ା ଠାରେ ଥିବା କୋଭିଡ ହସ୍ପିଟାଲରେ ୨୦ଟି ଭେଂଟିଲେଟର ଆ.ସି.ୟୁ ବେଡ ବୃଦ୍ଧି କରିବା ପାଇଁ ଓ ବନ୍ଦବାହାଲ ଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୨୦ଟି ଭେଂଟିଲେଟର ଆଇ.ସି.ୟୁ ବେଡ ସ୍ଥାପନ କରିବା ସହିତ ଓ ଏହାକୁ ଏକ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ପରିଚାଳନା ଦାୟିତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

ଜିଲ୍ଲାପାଳଙ୍କ ଠାରୁ ଆସିଥିବା ଏହି ପ୍ରସ୍ତାବକୁ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ ସାଂସଦ ସୁରେଶ ପୁଝାରୀ ମଧ୍ୟ ସରକାରଙ୍କୁ ଅନୁମୋଦନ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଆନୁରୋଧ କରିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ ୧୯ଜଣ ପି.ଜି. ଡାକ୍ତର ଓ ଇଣ୍ଟର୍ନ ଡାକ୍ତର ୮ଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ପୋଷ୍ଟିଙ୍ଗ ଦିଆଯାଇଛି । ସେଥି ମଧ୍ୟରୁ ୧୨ଜଣ ପି.ଜି. ଡାକ୍ତର ଓ ୫ଜଣ ଇଣ୍ଟର୍ନ ଡାକ୍ତର ଯୋଗ ଦେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ବନ୍ଧବାହାଲ ଠାରେ ନୂତନ ହସ୍ପିଟାଲ ପରିଚାଳନା କରିବା ପାଇଁ ସମ୍ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି । ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ପରିଚାଳନା ପାଇଁ ଦେଇଥିବାି ସ୍ବୀକୃତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ମଧ୍ୟ କରିଛନ୍ତି । ଏଣୁ ଝାରସୁଗୁଡ଼ାବାସୀଙ୍କ ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।