ଚୀନ ଏବଂ ୟୁରୋପରେ ବଢୁଛି କରୋନା । ସତର୍କ କରାଇଲେ ଆଇସିଏମଆର ବୈଜ୍ଞାନିକ, କହିଲେ ଆସିପାରେ ପୁଣି ବିପଦ ।

268

କନକ ବ୍ୟୁରୋ : ଦେଶରେ କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ କୋଭିଡ କଟକଣାକୁ କୋହଳ କରିଛନ୍ତି । ଏମିତିକି ମାସ୍କ ନପିନ୍ଧିଲେ ଆଉ ଜୋରିମାନା ଦେବାକୁ ପଡିବନି । ସେପଟେ କୋଭିଡ କଟକଣା କୋହଳ ହୋଇଥିବା ଦେଶ ଗୁଡିକରେ ପୁଣି ରକେଟ ବେଗରେ ଆଗକୁ ବଢୁଛି ସଂକ୍ରମଣ । ତେଣୁ ଭାରତରେ ଏବେ ବିଭିନ୍ନ ରାଜ୍ୟରେ କୋଭିଡ କଟକଣା ସହିତ ମାସ୍କ ପିନ୍ଧିବା ଉପରେ ନିୟମ କୋହଳ କରିବାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଏମିତିକି ଭବିଷ୍ୟତରେ କରୋନା ପୁଣି ବିପଦ ଆଣିପାରେ ବୋଲି ଆଇସିଏମଆର ବୈଜ୍ଞାନିକ ସତର୍କ କରାଇଛନ୍ତି ।

ଦୀର୍ଘ ୨ ବର୍ଷ ପରେ ଦେଶରେ କରୋନା ନିୟମ କୋହଳ ହୋଇଛି । କିଛି ରାଜ୍ୟ ମାସ୍କ ପିନ୍ଧିବା ଉପରେ ନିୟମ କୋହଳ କରିବା ନେଇ ନିଷ୍ପତି ନେଉଛନ୍ତି । ତେଣୁ ପୁଣିଥରେ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

କରୋନା ସଂକ୍ରମଣ କମୁଥିବାରୁ ବିଭିନ୍ନ ରାଜ୍ୟ କୋଭିଡ କଟକଣାକୁ କୋହଳ କରିଛନ୍ତି । ମହରାଷ୍ଟ୍ର, ନାଗାଲାଣ୍ଡ, ପଶ୍ଚିମବଙ୍ଗ ଓ ହିମାଚଳପ୍ରଦେଶ ଭଳି ରାଜ୍ୟରେ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ହଟେଇ ଦେଇଛନ୍ତି । ଏହି ରାଜ୍ୟ ଗୁଡିକରେ ମାସ୍କ ପିନ୍ଧିବାକୁ ମଧ୍ୟ ଇଚ୍ଛାଧୀନ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ମଧ୍ୟ କୋହଳ ହୋଇଛି କଟକଣା । ଏଣିକି ମାସ୍ମ ନି ପିନ୍ଧିଲେ ଦେବାକୁ ପଡିବନି କୌଣସି ପ୍ରକାର ଜୋରିମାନା । ଅନ୍ୟପଟେ କଟକଣା ହେଟେଇବା ଆଗକୁ ବିପଦ ଆଣିପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି ।

ଚୀନରେ ବଢୁଛି କରୋନା ସଂକ୍ରମଣ । ସାଂଘାଇରେ ୫ ଦିନିଆ ଲକଡାଉନ୍ । ଚୀନର ଚିନ୍ତା ବଢାଇଛି କରୋନା । ଓମିକ୍ରନ ଭାରିଆଣ୍ଟ ଚୀନର ପ୍ରାୟ ୩୧ଟି ରାଜ୍ୟରେ କାୟା ବିସ୍ତାର କରିସାରିଛି । ଦେଶର ଏବେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ଉପରେ ରହିିଛି । ଦୁଇ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ଦେଇ ଗତିକରୁଛି ଚୀନ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନର ଆର୍ଥିକ ରାଜଧାନୀ କୁହାଯାଉଥିବା ସାଙ୍ଘାଇରେ ପୁଣି ୫ ଦିନିଆ ଲକଡାଉନ ଲାଗୁହୋଇଛି ।

ସେହିପରି ବ୍ରିଟେନରେ ମଧ୍ୟ ଚିନ୍ତା ବଢାଉଛି ଓମିକ୍ରନ ସଂକ୍ରମଣ । ଓମିକ୍ରନର ବିଏ.୨ ଭାରିଆଂଟ ଦୃତ ଗତିରେ ବ୍ୟାପୁଛି । ଯାହାକୁ ନେଇ ବ୍ରିଟେନ ସରକାର କଟକଣା କଡକାଡି କରିଛନ୍ତି । ଏହି ଦେଶଗୁଡିକରେ ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଲା, କଟକଣା କୋହଳ ହେବା । ବିଦେଶ ପରେ ଏବେ ଦେଶରେ ମଧ୍ୟ ସଂକ୍ରମଣ ତଳ ମୁହାଁ ହେବାରୁ ଅନେକ ରାଜ୍ୟ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ହଟେଇ ଦେଇଛନ୍ତି । ଯାହା ଆଗାମୀ ଦିନରେ ପୁଣି ବିପଦ ଆଣିପାରେ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି ।