ଆଇସିଏମଆରରୁ ଆସିଲା ଚମକାଇଦେଲା ଭଳି ତଥ୍ୟ: ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ମଧ୍ୟରୁ ୧୦୪ ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି; ଗୋଷ୍ଠୀ ସଂକ୍ରମଣ ନେଇ ସଂକେତ

2,271

କନକ ବ୍ୟୁରୋ: ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । ହେଲେ ଏହି ଦାବି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ଆଇସିଏମଆରର ରିପୋର୍ଟ । ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ନା ନାହିଁ ତାହା ଜାଣିବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବିଭିନ୍ନ ଅଂଚଳରେ ଯାଂଚ ଆରମ୍ଭ କରିଛି । ତେବେ ଆଇସିଏମଆର ଯେଉଁ ରିପୋର୍ଟ ଦେଇଛି ସେଥିରୁ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସଂକେତ ମିଳୁଛି ।

ଫେବ୍ରୁଆରୀ ୧୫ରୁ ଏପ୍ରିଲ ୨ ମଧ୍ୟରେ ୫ ସପ୍ତାହ ଧରି ୫ ହଜାର ୯୧୧ ଜଣ ସିଭିଅର ଆକ୍ୟୁଟ ରେସ୍ପିରେଟୋରୀ ଇଲନେଓ ବା ଜଟିଳ ଶ୍ୱାସକ୍ରିୟା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା କରାଯାଇଥିଲା । ୨୦ଟି ରାଜ୍ୟର ୫୨ଟି ଜିଲ୍ଲାରେ ଏହି ପରୀକ୍ଷା କରାଯାଇଥିଲା । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରୁ ୧୦୪ ଜଣ ରୋଗୀଙ୍କ କରୋନା ପଜିଟିଭ ଥିବା ଜଣାପଡିଛି । ତାଠାରୁ ଆହୁରି ସାଂଘାତିକ ହେଉଛି ଏମାନଙ୍କ ମଧ୍ୟରୁ ୩୯.୨ ପ୍ରତିଶତ ରୋଗୀଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଅର୍ଥାତ ଏମାନଙ୍କର କୌଣସି ବିଦେଶ ଯାତ୍ରାର ଅନୁଭୂତି ନାହିଁ କିମ୍ବା ବିଦେଶରୁ ଆସିଥିବା କୌଣସି ରୋଗୀଙ୍କ ସଂସ୍ପର୍ଶର୍ରେ ସେମାନେ ଆସି ନାହାନ୍ତି ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୨୧ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହା ଗୋଷ୍ଠୀ ସଂକ୍ରମଣ ବା ସମୂହ ସଂକ୍ରମଣର ଏକ ସଂକେତ ବୋଲି ବିଚାର କରାଯାଉଛି । ତେଣୁ ସମୂହ ସଂକ୍ରମଣର ଏହି ଚେନକୁ ଭାଙ୍ଗିବାକୁ ହେଲେ ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ ବୋଲି ସରକାର ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଦେଶରେ ତାଲାବନ୍ଦ ଅବଧି ବଢିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏବଂ ଏହି ଦିଗରେ ରାଜ୍ୟ ସରକାର ଗୁଡିକ ଜୋର ଦେଉଛନ୍ତି ।