ଆଇସିଏମଆର ଦେଲା ସାଂଘାତିକ ତଥ୍ୟ…ଓଡ଼ିଶାରେ ଚିନ୍ତାଜନକ ହେଲାଣି ମାନସିକ ଅବସାଦ…ପ୍ରତି୧ ଲକ୍ଷରେ ପ୍ରାୟ ୩ ହଜାର ଲୋକ ମାନସିକ ଅବସାଦର ଶିକାର

538

କନକ ବ୍ୟୁରୋ: ଓଡ଼ିଶାରେ ପ୍ରତି ୧ ଲକ୍ଷ ଲୋକରେ ପ୍ରାୟ ୩ ହଜାର ଲୋକ ମାନସିକ ଅବସାଦରେ ବଂଚୁଛନ୍ତି । ଭାରତରେ ପ୍ରତି ୭ ଜଣରେ ଜଣେ ମାନସିକ ଅବସାଦରେ ବଂଚୁଛି । ଏନେଇ ରିପୋର୍ଟ ପ୍ରକାଶ କରିଛି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ  । ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଏହି ଅବସାଦ ହାର ଅଧିକ ରହିଛି । ତେବେ ଏହି ରୋଗର ଚିକିତ୍ସା ପାଇଁ ମନୋଚିକିତ୍ସିକ, ମନୋବିଜ୍ଞାନୀଙ୍କୁ ଏକ ମିଳିତ ଉପାୟରେ କାମ କରିବାକୁ ପଡ଼ିବ ବୋଲି କହୁଛନ୍ତି ବିଶେଷଜ୍ଞମାନେ  ।

ଓଡ଼ିଶାରେ ବି ଚିନ୍ତାଜନକ ହେଲାଣି ମାନସିକ ଅବସାଦ । ୧ ଲକ୍ଷରେ ପ୍ରାୟ ୩,୦୦୦ ଲୋକ ମାନସିକ ଅବସାଦର ଶିକାର । ଭାରତରେ ୭ଜଣରେ ଜଣେ ମାନସିକ ଅବସାଦର ଶିକାର । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ପକ୍ଷରୁ ପ୍ରକାଶିତ “ଲାନ୍ସଟେ୍ ସାଇକିଆଟ୍ରିକ୍’’ ସନ୍ଦର୍ଭରେ ଏଭଳି ତଥ୍ୟ ପଦାକୁ ଆସିଛି । ୧୯୯୦ ମସିହାରୁ ୨୦୧୭ ମସିହା ମଧ୍ୟରେ ଭାରତରେ ମାନସିକ ଅବସାଦ ବା ବିକୃତିରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣ ହୋଇଛି । ବର୍ତମାନ ଦେଶର ୧୯.୭୩ କୋଟି ଲୋକ ଅର୍ଥାତ୍ ୧୪.୩ ପ୍ରତିଶତ ଲୋକ ମାନସିକ ବିକାରର ଶିକାର ହୋଇଥିବା ଦେଖାଯାଇଛି ।

ଭାରତର ଦକ୍ଷିଣାଂଚଳ ରାଜ୍ୟ- ତାମିଲନାହୁ, କେରଳ, ଗୋଆ, ତେଲଙ୍ଗାନା ଭଳି ଅଂଚଳରେ ସହର ଅଂଚଳ ବଢ଼ିଥିବା ବେଳେ ମାନସିକ ବିକାର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ଦେଖାଯାଇଛି । ଆନ୍ଧ୍ରପ୍ରଦେଶରେ ଏହା ମଧ୍ୟମ ସ୍ଥିତିରେ ଥିବାବେଳେ ଓଡ଼ିଶାରେ ଅବଶ୍ୟ ଏହା କମ୍ ଅବସ୍ଥାରେ ରହିଛି । ତଥାପି ଓଡ଼ିଶାରେ ୧ ଲକ୍ଷ ଲୋକରେ ପ୍ରାୟ ୩ ହଜାର ଲୋକ ମାନସିକ ଅବସାଦର ଶିକାର ହେଉଥିବା ଦେଖାଯାଉଛି । ଦୁରାରୋଗ୍ୟ ବ୍ୟାଧି, ସାମାଜିକ ନିସଙ୍ଗତା ଏବଂ ପିଲାଦିନେ ଯୌନ ନିର୍ଯାତନା ଭଳି ଘଟଣାରୁ ଅନେକ ମାନସିକ ଅବସାଦର ଶିକାର ହେଉଥିବା ଦେଖାଯାଉଛି । ତେବେ ମାନସିକ ଅବସାଦ ବା ବିକୃତି ଇତ୍ୟାଦି ଦୂର କରିବା ପାଇଁ ସରକାର ମନୋଚିକିତ୍ସିକ, ମନୋବିଜ୍ଞାନୀମାନଙ୍କୁ ନେଇ ଏକ ମିଳିତ ଯୋଜନାରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଦେଖାଦେଇଛି ।

Comments are closed.