କରୋନା ଚିକିତ୍ସାରୁ ବାଦ୍ ପଡିପାରେ ପ୍ଲାଜମା ଥେରାପି । ଗୁରୁତର କରୋନା ରୋଗୀଙ୍କୁ ଭଲ କରିବାରେ ହେଉନି ସହାୟକ, ଏପଟେ ଶୀତ ଦିନରେ ଅଧିକ ସଜାଗ କରିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ ।

318

କନକ ବ୍ୟୁରୋ : କରୋନା ଚିକିତ୍ସାରୁ ବାଦ ପଡ଼ିପାରେ ପ୍ଲାଜମା ଥେରାପୀ । ଏନେଇ ନିଷ୍ପତି ନେଇପାରେ ଆଇସିଏମଆର । ଏହା ଗୁରୁତର ରୋଗୀଙ୍କୁ ଭଲ କରିବାରେ ସହାୟକ ହେଉନଥିବାରୁ ଏନେଇ ଚିନ୍ତା କରାଯାଉଥିବା କହିଥିଲେ ଆଇସିଏମଆର ନିର୍ଦ୍ଦେଶକ । ଅନ୍ୟପଟେ ଶୀତ ଦିନରେ ଅଧିକ ସଜାଗ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କହିଛନ୍ତି, ଭୂତାଣୁ ବ୍ୟାପିବାରେ ସହାୟକ ହୋଇପାରେ ଥଣ୍ଡା ପରିବେଶ ।

ଫେଲ୍ ମାରିଲା ପ୍ଲାଜମା ଥେରାପୀ ! କରୋନା ଚିକିତ୍ସାରୁ ବାଦ ପଡ଼ିପାରେ ପ୍ଲାଜମା ଥେରାପୀ । କରୋନା ଟିକା ଆସିବା ପୂର୍ବରୁ ପ୍ଲାଜମା ଥେରାପୀ ବରଦାନ ସଦୃଶ୍ୟ ହେବ ବୋଲି ଦାବି କରାଯାଉଥିଲା । ଏହି ଚିକିତ୍ସା ଯୋଗୁଁ କରୋନା ମୃତ୍ୟୁ ରୋକିହେବ । ତେଣୁ ଗୁରୁତର କରୋନା ରୋଗୀଙ୍କୁ ଏହି ଚିକିତ୍ସା କରାଯାଉଥିଲା । ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା ଭଳି ଅନେକ ରାଜ୍ୟ, ବିଭିନ୍ନ ସ୍ଥାନରେ ପ୍ଲାଜମା ବ୍ୟାଙ୍କ ଖୋଲି ଏହି ଚିକିତ୍ସାକୁ ବ୍ୟାପକ କରିଥିଲେ ।

ପ୍ଲାଜମା ଥେରାପୀ ହେଉଛି, କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ପ୍ଲାଜମା ନିଆଯାଇ ସକ୍ରିୟ ଆକ୍ରାନ୍ତଙ୍କୁ ଦିଆଯାଇଥାଏ । ଫଳରେ ରୋଗୀଙ୍କ ଠାରେ ତୁରନ୍ତ ଆଂଟିବଡି ତିଆରି ହୁଏ ଏବଂ ଏହା କରୋନା ଭୂତାଣୁ ବିରୋଧରେ ଲଢ଼ିଥାଏ ।

ତେବେ ଏହି ପ୍ଲାଜମା ଥେରାପୀ ଗୁରୁତର କରୋନା ରୋଗୀଙ୍କୁ ଭଲ କରିବାରେ ସହାୟକ ହୋଇପାରୁନି ବୋଲି କହିଛି ଆଇସିଏମଆର । ମୃତ୍ୟୁ ରୋକିବାରେ ମଧ୍ୟ ଫଳପ୍ରଦ ହେଉନାହିଁ ପ୍ଲାଜମା ଥେରାପୀ । କୋଭିଡ-୧୯ ନ୍ୟାସନାଲ ଟାକ୍ସଫୋର୍ସ ଓ ଜଏଂଟ ମନିଟରିଂ କମିଟିର ଗବେଷଣାରୁ ଏପରି ତଥ୍ୟ ମିଳିବା ପରେ କରୋନା ଚିକିତ୍ସାରୁ ପ୍ଲାଜମା ଥେରାପୀକୁ ହଟାଇ ଦେବା ପାଇଁ ମନସ୍ଥ କରିଛି ଆଇସିଏମଆର ।

କରୋନାରୁ ମୁକ୍ତ ହେବା ପରେ ଯେଉଁ ପରିମାଣରେ ଆଂଟିବଡି ସୃଷ୍ଟି ହେବା କଥା, ତାହା ହୋଇପାରୁନି ବୋଲି କହୁଛନ୍ତି ବିଶେଷଜ୍ଞ । ଯେଉଁ ଆଂଟିବଡି ହେଉଛି, ତାହା ୫ ମାସ ମଧ୍ୟରେ ହ୍ରାସ ପାଉଛି, ତେଣୁ ପୁଣି ଥରେ ଜଣେ ସଂକ୍ରମିତ ହେବା ଆଶଙ୍କା ରହିଛି । ସେପଟେ ଶୀତଋତୁ ଆସୁଥିବାରୁ ସଜାଗ ରହିବାକୁ ଘନଘନ ପରାମର୍ଶ ଦିଆଯାଉଛି ।

ଶୀତ ଋତୁରେ ବଢ଼ିବ କି ସଂକ୍ରମଣ ? ଭୂତାଣୁକୁ ବ୍ୟାପିବାରେ ସହାୟକ ହେବ କି ଥଣ୍ଡା ପରିବେଶ ? ଉଭୟ ଦେଶ ଓ ରାଜ୍ୟରେ ନୂଆ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ଶୀତ ଋତୁ ଓ ପାର୍ବଣ ଆସୁଥିବାରୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।