କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବା ସହିତ ନମୂନା ପରୀକ୍ଷା ମଧ୍ୟ ବଢିବାରେ ଲାଗିଛି । ଏଥିପାଇଁ ଚାପ ବଢୁଛି । ଆଉ ଏହାକୁ ଦୃଷ୍ଟିରେ ରଖି ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର, ବାରମ୍ବାର ଟେଷ୍ଟ ଦରକାର ନାହିଁ ବୋଲି କହିଛି । କରୋନା ନମୂନା ପରୀକ୍ଷାକୁ ନେଇ ସାନି ଉପଦେଶାବଳୀ ଜାରି କରିଛି ଆଇସିଏମଆର । ଏଥିରେ ଆରଟିପିସିଆର୍ ଟେଷ୍ଟ କମାଇବା କୁହାଯାଇଥିବା ବେଳେ ରାପିଡ୍ ଆଂଟିଜେନ୍ଟେଷ୍ଟ ବଢ଼ାଇବାକୁ କୁହାଯାଇଛି । ଚାପ ବଢୁଥିବାରୁ ରାଜ୍ୟଗୁଡିକ ଅଧିକ ମୋବାଇଲ ଟେଷ୍ଟିଂ ଲାବୋରେଟୋରି ନିୟୋଜିତ କରନ୍ତୁ ବୋଲି ପରାମର୍ଶ ଦେଇଛି ସଂସ୍ଥା ।
କରୋନା ବେକାବୁ ହେଉଥିବା ବେଳେ, ଅଧିକରୁ ଅଧିକ ଟେଷ୍ଟର ଆବଶ୍ୟକତା ଥିବାବେଳେ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆର, ପରୀକ୍ଷାଗାର ଉପରେ ପଡୁଥିବା ଚାପ କମାଇବା ପାଇଁ କହିଛନ୍ତି । ଦ୍ୱିତୀୟ ଲହରିକୁ ଦେଖି ଜାରି ହୋଇଥିବା ଆଇସିଏମଆର’ର ଏହି ନୂଆ ମାର୍ଗଦର୍ଶିକାରେ ଆରଟିପିସିଆର୍ ଟେଷ୍ଟ କମାଇବା କୁହାଯାଇଥିବା ବେଳେ ରାପିଡ୍ ଆଂଟିଜେନଟେଷ୍ଟ ବଢ଼ାଇବାକୁ କୁହାଯାଇଛି । ଏଥିରେ ପରାମର୍ଶ ଦେଇ କୁହାଯାଇଛି,
-ଆରଟିପିସିଆର୍ ଟେଷ୍ଟ ଆବଶ୍ୟକତା ନାହିଁ ଯଦି ଜଣେ ବ୍ୟକ୍ତି ରାପିଡ୍ ଆଂଟିଜେନ ଟେଷ୍ଟରେ ପଜିଟିଭ୍ ଅଛନ୍ତି
- ଯଦି ଜଣେ ବ୍ୟକ୍ତି ଆରଟିପିସିଆର୍ ଟେଷ୍ଟରେ ପଜିଟିଭ ଆସିଛନ୍ତି, ଆଉ ଆରଟିପିସିଆର୍ ଟେଷ୍ଟର ଆବଶ୍ୟକତା ନାହିଁ
-ଯଦି ଜଣେ ବ୍ୟକ୍ତି ୧୦ ଦିନ ହେଲା ସଂଗରୋଧରେ ଅଛନ୍ତି ଏବଂ ବିଗତ ୩ଦିନ ହେଲା ତାଙ୍କ ଦେହରେ ଜ୍ୱର ନାହିଁ, ତେବେ ତାଙ୍କ ଆରଟିପିସିଆର୍ ଟେଷ୍ଟ କରିବାର ଆବଶ୍ୟକତା ନାହିଁ
- ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ଆରଟିପିସିଆର୍ ଟେଷ୍ଟର ଆବଶ୍ୟକତା ନାହିଁ
- ଜଣେ ସୁସ୍ଥ ବ୍ୟକ୍ତି ଯିଏ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଉଛନ୍ତି, ସେମାନଙ୍କର ମଧ୍ୟ ଆରଟିପିସିଆର୍ ଟେଷ୍ଟ ଆବଶ୍ୟକ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ଆଇସିଏମଆର
କିନ୍ତୁ ରାପିଡ୍ ଆଂଟିଜେନ୍ ଟେଷ୍ଟକୁ ଆହୁରି ବ୍ୟାପକ ଭାବେ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ଆଇସିଏମଆର୍ । ସେହିପରି ଲକ୍ଷଣ ଥିବା ସତ୍ୱେ ଯଦି ରୋଗୀଙ୍କର ରାପିଡ୍ ଆଂଟିଜେନ୍ ଟେଷ୍ଟ ନେଗେଟିଭ୍ ଆସୁଛି, ସେମାନଙ୍କର ଆରଟିପିସିଆର୍ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।
କରୋନା ଟେଷ୍ଟକୁ ବଢ଼ାଇବା ପାଇଁ ଆଇସିଏମଆର୍ ମାର୍ଗଦର୍ଶିକାରେ କହିଛନ୍ତି ।
- ସମସ୍ତ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାପିଡ୍ ଆଂଟିଜେନ୍ ଟେଷ୍ଟକୁ ବ୍ୟାପକ ଭାବେ ଅନୁମତି ଦିଆଯାଉ
- ନଗର, ସହର, ଗାଁ ସବୁଆଡେ ରାପିଡ୍ ଆଂଟିଜେନ୍ ଟେଷ୍ଟ ବୁଥ୍ ସ୍ଥାପନ କରାଯାଉ
- ସ୍କଲ, କଲେଜ, କମ୍ୟୁନିଟି ସେଂଟର ଆଦି ସ୍ଥାନରେ ବି ରାପିଡ୍ ଆଂଟିଜେନ୍ ଟେଷ୍ଟ ବୁଥ ଖୋଲାଯାଉ
- ଆଉ ରୋଗୀଙ୍କ ପରୀକ୍ଷା ପାଇଁ ୨୪ ଘଂଟା ବୁଥ ଖୋଲା ରହୁ
ଆଉ ଏସବୁ ଭିତରେ କରୋନାର ଦ୍ୱିତୀୟ ଲହରିରେ ଦେଖାଯାଉଥିବା ଲକ୍ଷଣ ଗୁଡ଼ିକ ସମ୍ପର୍କରେ ଆଇସିଏମଆର କହିଛନ୍ତି । ଜ୍ୱର, ମୁଣ୍ଡବିନ୍ଧା, ତଂଟିଦରଜ, ଅଣନିଶ୍ୱାସୀ, ଶରୀରପୀଡ଼ା, ସ୍ୱାଦ କିମ୍ବା ବାସ୍ନା ହରାଇବା କିମ୍ବା ଡାଇରିଆ ଆଦି ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିନେବାକୁ ପରମର୍ଶ ଦେଇଛନ୍ତି ଆଇସିଏମଆର ।