କେମିତି କରିବେ କଳା ଫଙ୍ଗସର ମୁକାବିଲା ? ଆଡଭାଇଜରୀ ଜାରି କଲା ଆଇସିଏମଆର, ନଜର ପକାନ୍ତୁ ‘କଳା ଫଙ୍ଗସ’ର ଲକ୍ଷଣ ଓ କାରଣ ଉପରେ ।

1,868

କନକ ବ୍ୟୁରୋ : କରୋନା କାଳରେ ଏବେ ନୂଆ ସମସ୍ୟା ସୃଷ୍ଟି କରିଛି ମ୍ୟୁକର୍ମାଇକୋସିସ୍, ଯାହାକୁ କଳା ଫଙ୍ଗସ୍ ମଧ୍ୟ କୁହାଯାଏ । ଏହା ଏପରି ରୋଗ ଯାହା ପ୍ରାଣ ଘାତକ ହୋଇପାରେ । ଦାର୍ଘଦିନ ଧରି ଔଷଧ ଖାଉଥିବା ରୋଗୀଙ୍କୁ ଏହି ଫଙ୍ଗାଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏମାନଙ୍କ ନିକଟରେ ପରିବେଶରେ ଘୁରି ବୁଲୁଥିବା ରୋଗ ସୃଷ୍ଟି କରୁଥିବା ଜୀବାଣୁଙ୍କ ବିରୋଧରେ ଲଢ଼ିବା ପାଇଁ କ୍ଷମତା ହ୍ରାସ ପାଇଥାଏ । ଫଳରେ ନିଶ୍ୱାସ-ପ୍ରଶ୍ୱାସ ବେଳେ ଫଙ୍ଗାଲ କଣିକା ଦେହ ଭିତରକୁ ଯାଇ ସାଇନସ୍ ବା ଫୁସଫୁସକୁ ସଂକ୍ରମିତ କରିଥାଏ । କରୋନାରୁ ସୁସ୍ଥ ହେବା ପରେ କିଛି ରୋଗୀଙ୍କ ଠାରେ କଳା ଫଙ୍ଗସ୍ ଦେଖାଯିବା ପରେ ଏ ନେଇ ଆଡଭାଇଜରୀ ଜାରି କରିଛି ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ।

ନଜର ପକାନ୍ତୁ ‘କଳା ଫଙ୍ଗସ’ର ଲକ୍ଷଣ ଓ କାରଣ ଉପରେ
ଆଖି କିମ୍ବା ନାକ ଚାରିପଟେ ଯନ୍ତ୍ରଣା ହେବା ଏବଂ ଲାଲ ପଡ଼ିଯିବା
ମୁଣ୍ଡ ବିନ୍ଧିବା, କାଶ ହେବା, ଜ୍ୱର ହେବା
ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା
ରକ୍ତ ବାନ୍ତି ହେବା
ନାକ ଚୁଂଟି ହେବା
ନାକରୁ କଳା ପାଣି ବାହାରିବା
ନାକ ଆଖପାଖରେ କଳା ରଙ୍ଗର ଚିହ୍ନ ପଡ଼ିବା
ଗାଲ ହାଡ଼ ଓ ମାଢ଼ିରେ ଯନ୍ତ୍ରଣା ହେବା
ଚର୍ମରେ କ୍ଷତ ଓ ଛାତିରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇପାରେ ।
କରୋନା ରୋଗୀ, ଅନିୟନ୍ତ୍ରିତ ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତି
ଦୀର୍ଘଦିନ ଧରି ଆଇସିୟୁରେ ରହିଥିବା ରୋଗୀ
ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଦୀର୍ଘଦିନ ଧରି ଔଷଧ ସେବନ କରୁଥିବା ବ୍ୟକ୍ତି
ଷ୍ଟେରଏଡ୍ ନେଉଥିବା ବ୍ୟକ୍ତି ଅଧିକ ପ୍ରଭାବିତ ହୋଇଥାନ୍ତି ।

ମ୍ୟୁକରମାଇକୋସିସ୍ ବା କଳା ଫଙ୍ଗସ୍ ଏକ ବିରଳ ସଂକ୍ରମଣ । ତେବେ କରୋନା ମହାମାରୀ ସମୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାଟି ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ପରିବେଶରୁ ମଧ୍ୟ ଏହା ବ୍ୟାପିଥାଏ । ଏଭଳି ଏକ ଆହ୍ୱାନକୁ କିପରି ସମ୍ମୁଖୀନ ହେବେ, ସେଥିପାଇଁ ମଧ୍ୟ ଆଡଭାଇଜରୀ ଜାରି କରିଛି ଆଇସିଏମଆର ।

କିପରି କରିବେ ମୁକାବିଲା ?
ମାଟି କିମ୍ବା ଚାଷବାସ କାମ କରୁଥିବା ବ୍ୟକ୍ତି ଜୋତା ପିନ୍ଧିବା ଜରୁରୀ
ଲମ୍ବା ଟ୍ରାଉଜର, ଫୁଲ ହାତ ସାର୍ଟ, ହାତରେ ଗ୍ଲୋଭ୍ସ ବ୍ୟବହାର କରିବା ଉଚିତ
ଧୁଳି ବା ସଂକ୍ରମିତ ଅଂଚଳକୁ ଗଲେ ମାସ୍କ ପିନ୍ଧିବା
ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ଦେବା
ଡାଇବେଟିସକୁ ନିୟନ୍ତ୍ରଣକୁ ଆଣିବା
କରୋନାରୁ ସୁସ୍ଥ ହେବା ପରେ ରକ୍ତ-ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା
ଷ୍ଟେରଏଡ୍ ଠିକ୍ ପରିମାଣରେ ଓ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା
ଅକ୍ସିଜେନ୍ ଥେରାପି ବେଳେ ବିଶୁଦ୍ଧ ପାଣି ବ୍ୟବହାର କରିବା
ଆଂଟି-ବାଇଓଟିକ୍ସ ଓ ଆଂଟି-ଫଙ୍ଗାଲ ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା
ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରିବା

କଳା ଫଙ୍ଗସର ଚିକିତ୍ସା କରାଯାଇ ଏହି ନୂଆ ବିପଦରୁ ସୁରକ୍ଷିତ ରହିହେବ, ଏ ନେଇ ବିସ୍ତୃତ ଭାବେ ଜଣାଇଛି ଆଇସିଏମଆର । ଷ୍ଟେରଏଡ୍ ବ୍ୟବହାର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଔଷଧ କିପରି କରାଯିବ, ଡାକ୍ତରଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।