ଦୁର୍ଗମ ଅଂଚଳରେ ଭ୍ୟାକ୍ସିନ ପହଂଚାଇବ ଡ୍ରୋନ : ଆଇସିଏମଆର ଓ ଆଇଆଇଟି-କାନପୁରର ପ୍ରସ୍ତାବକୁ ମିଳିଲା ମଂଜୁରୀ 

ଡ୍ରୋନରେ ଟିକା ଯୋଗାଣକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସର୍ତମୂଳକ ଅନୁମତି; କମ ସମୟରେ ତ୍ୱାରାନ୍ୱିତ ହୋଇପାରିବ ଟିକାକରଣ

175

କନକ ବ୍ୟୁରୋ : ଟିକାକରଣକୁ ଦୁର୍ଗମ ଅଂଚଳରେ ତ୍ୱରାନ୍ୱିତ କରିବାକୁ ବଡ ପଦକ୍ଷେପ । ଏଣିକି ଡ୍ରୋନ ଜରିଆରେ ପଠାଯାଇ ପାରିବ ଟିକା । ଏନେଇ ଆଇସିଏମଆର ଓ ଆଇଆଇଟି କାନପୁରକୁ  ସର୍ତମୂଳକ ଅନୁମତି ଦେଇଛି ବେସାମମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜିସିଏ । ଦେଶର ବିଭିନ୍ନ ସ୍ଥାନରେ ଟିକା ପହଂଚାଇବାରେ ସମସ୍ୟା ହେଉଥିବା ନେଇ ଖବର ଆସିଥିଲା । ତେଣୁ ଶୀଘ୍ର କରୋନା ଭ୍ୟାକ୍ସିସନ ପହଂଚାଇବା ପାଇଁ ଡ୍ରୋନର ସହାୟତା ନେବାକୁ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଥିଲା ଆଇସିଏମଆର ।

ଏଥିପାଇଁ ଆଇଆଇଟି-କାନପୁରର ସହ ମିଶି କାମ କରିବ ବୋଲି ଆଇସିଏମଆର ସୂଚନା ଦେଇଥିଲା । ପ୍ରସ୍ତାବ ଉପରେ ମୋହର ମାରିଛି ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ । ଡ୍ରୋନ ଜରିଆରେ ଟିକା ପହଂଚାଇବା ବ୍ୟବସ୍ଥା କଲେ ସମୟ ବଂଚାଇବା ସହ ଟିକାକରଣକୁ ତ୍ୱାରାନ୍ୱିତ କରାଯାଇ ପାରିବ । ଆଇଆଇଟି କାନପୁରର ଏରୋନାଟିକ୍ସ ବିଭାଗ ପକ୍ଷରୁ ଡ୍ରୋନ ତିଆରି କରାଯାଇଛି । ଯାହା ୫ କିଲୋଗ୍ରାମ ଓଜନ ବୋହି ୫୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟ ସ୍ଥଳ ଯାଏଁ ଉଡିପାରିବ । ସେହିପରି ଓଜନ କମ୍ ହେଲେ ଶହେ କିଲୋମିଟର ଯାଏଁ ଡ୍ରୋନ ଉଡିପାରିବ ବୋଲି କାନପୁର ଆଇଆଇଟି ପକ୍ଷରୁ କୁହାଯାଇଛି ।