କନକ ବ୍ୟୁରୋ: ଏଣିକି ଟିବି ପରୀକ୍ଷା ମେସିନରେ ହୋଇ ପାରିବ କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା । ଟିବି ରୋଗର ନମୂନା ପରୀକ୍ଷା ପାଇଁ ବ୍ୟବହାର ହେଉଥିବା ସିବି-ନେଟ ଜରିଆରେ କରୋନାର ନମୂନା ପରୀକ୍ଷା ସମ୍ଭବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟରେ ଏବେ ଆରଏମଆରସି, ଭୁବନେଶ୍ୱର ଏମ୍ସ, କଟକ ଏସସିବି ଏବଂ ବ୍ରହ୍ମପୁର ଏମକେସିଜିରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ହେଉଛି । ଆଗାମୀ ୧୫ ତାରିଖରେ ବୁର୍ଲା ବଡ ମେଡିକାଲରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ । ତେବେ ଟିବି ପରୀକ୍ଷା ମେସିନରେ କରୋନା ନମୂନା ପରୀକ୍ଷା ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Advertisment

ଅନ୍ୟପଟେ ରାଜ୍ୟରେ ବଢ଼ିଲା କୋଭିଡ୍ ହସ୍ପିଟାଲ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସୋମବାର ରାଜ୍ୟରେ ଆଉ ୫ଟି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ବାଲେଶ୍ୱର, ଢେଙ୍କାନାଳ, ମାଲକାନଗିରି, ରାୟଗଡା ଓ ଜୟପୁରରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ଉଦଘାଟିତ ହୋଇଛି । ଏସବୁ ହସପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭେଂଟିଲିଟର ବ୍ୟବସ୍ଥା ରହିଛି । ସ୍ୱତନ୍ତ୍ର ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ।