ବିଶ୍ୱକପରେ ଧୋନିଙ୍କୁ ମିଳିଲା ବଡ ଗିଫ୍ଟ । ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ଆଇସିସି ଦେଲା ବଡ ଉପହାର, ପସନ୍ଦ କଲେ କ୍ରିକେଟପ୍ରେମୀ ।

1,259

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇସିସିର ଜନ୍ମଦିନ ଭେଟି । ଆସନ୍ତାକାଲି ମହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେବେ । ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ଏକ ବଡ ଉପହାର ଦେଇଛି ଆଇସିସି । ଯାହାକୁ ବେଶ୍ ପସନ୍ଦ କରିଛନ୍ତି କ୍ରିକେଟପ୍ରେମୀ । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଧୋନିଙ୍କ ପାଇଁ ଏକ ଭିଡିଓ ଜାରି କରିଛି ଆଇସିସି ଯେଉଁଥିରେ ବିଶ୍ୱର ଭିନ୍ନ ଭିନ୍ନ ଦେଶର ଖେଳାଳି ଧୋନିଙ୍କ ସର୍ମ୍ପକରେ ନିଜର ମତ ଦେଇଛନ୍ତି ।

ଭିଡିଓରେ ଆଇସିସି ଧୋନିଙ୍କୁ ଏମିତି ଜଣେ ଖେଳାଳି ଭାବେ ବର୍ଣ୍ଣିତ କରିଛି ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଗର୍ବିତ କରିଛି । ଆଇସିସି କହିଛି, ଧୋନି ଏଭଳି ଜଣେ ଖେଳାଳି ଯିଏ ଭାରତର କ୍ରିକେଟର ପରିଭାଷାକୁ ବଦଳାଇ ଦେଇଛନ୍ତି । ଧୋନି କେବଳ ନାଁ ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା । ଧୋନି ଏମିତି ଜଣେ ଅଧିନାୟକ ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ, ଟି-୨୦ ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି ଜିତିପାରିଛି । ଏହାଛଡା ଭାରତ ଧୋନିଙ୍କ ନେତୃତ୍ୱରେ ଟେଷ୍ଟ ଓ ଦିନିକିଆରେ ମଧ୍ୟ ଏକ ନମ୍ବର ହୋଇପାରିଛି ।

ଏହି ଭିଡ଼ିଓରେ ଧୋନିଙ୍କୁ ନେଇ ଅଧିନାୟକ ବିରାଟ କୋହଲି କହିଛନ୍ତି, ଧୋନିଙ୍କୁ ଆପଣମାନେ ଯେଉଁଭଳି ଦେଖୁଛନ୍ତି ସେ ଆଦୌ ସେମିତି ନୁହଁନ୍ତି । କଠିନ ସମୟରେ ଶାନ୍ତ ରହିବା ଓ ଧୈର୍ଯ୍ୟ ଧରି ରହିବା ଧୋନିଙ୍କର ସବୁଠୁ ବଡ ଅସ୍ତ୍ର । ତାଙ୍କ ଠାରୁ ଅନେକ କିଛି ଶିଖିବାର ଅଛି । ବିରାଟ କହିଛନ୍ତି, ଯେବେ ମୁଁ କ୍ୟାରିୟର ଆରମ୍ଭ କଲି ସେତେବେଳେ ଧୋନି ମୋର ଅଧିନାୟକ ଥିଲେ । ଆଉ ସେ ସବୁବେଳେ ମୋର ଅଧିନାୟକ ହୋଇ ରହିବେ । ମୁଁ ସବୁବେଳେ ତାଙ୍କ ପରାମର୍ଶ ମାନିଥାଏ ଯାହା ମୋତେ ଆଗକୁ ବଢିବାରେ ସାହାର୍ଯ୍ୟ କରିଛି ।