ଆଜି ବିଶ୍ୱକପରେ ବଡ଼ ମୁକାବିଲା : ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ; ୪ଟି ଲେଖାଏଁ ମ୍ୟାଚ ଜିତିସାରିଛନ୍ତି ଉଭୟ ଦଳ

229

କନକ ବ୍ୟୁରୋ : ଆଜି ବିଶ୍ୱକପରେ ସବୁଠୁୁ ବଡ଼ ମୁକାବିଲା । ଧର୍ମଶାଳାରେ ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବାଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ । ଉଭୟ ଟିମ ଫର୍ମରେ ଥିବା ବେଳେ ବଡ଼ ସ୍କୋର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ଧର୍ମଶାଳା ଷ୍ଟାଡିୟମରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଭାଇବ ।

କାରଣ ଏଠାରେ ଖେଳାଯାଇଥିବା ବିଶ୍ୱକପର ତିନିଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟ ଲାଭ କରିଛି । ସନ୍ଧ୍ୟା ବେଳେ ବୋଲରଙ୍କୁ ଅଧିକ ସୁଇଙ୍ଗ୍ ମିଳୁଛି । ଭାରତୀୟ ଟିମରେ ବ୍ୟାଟିଂରେ ସେପରି କୌଣସି ପରିବର୍ତନ ହୋଇନପାରେ । କିନ୍ତୁ ଅଲରାଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଅବା ଇସାନ କିଶାନଙ୍କୁ ସୁଯୋଗ ମିଳିପାରେ । ସୁର୍ଯ୍ୟକୁମାର ଖେଳିବା ନେଇ ପୂର୍ବରୂ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସୂଚନା ଦେଇସାରିଛନ୍ତି । ବୋଲିଂରେ ଆଜି ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ । ନ୍ୟୁଜିଲ୍ୟାଣ୍ଡ ପାଖରେ ଡେଭନ କନୱେ, ରାଚିନ ରବୀନ୍ଦ୍ର, ୱିଲ ୟଙ୍ଗ୍, ଡାରେଲ ମିଚେଲ ଭଳି ବ୍ୟାଟିଂ ଲାଇନଅପ ରହିଥିବା ବେଳେ ଭାରତ ପାଖରେ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲଙ୍କ ଭଳି ବ୍ୟାଟର ଅଛନ୍ତି ।

ତେବେ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ । ପାଣିପାଗ ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ସମୟରେ ୧୯ ପ୍ରତିଶତ ବର୍ଷା ହେବା ଆଶଙ୍କା ରହିଛି । ବିଶ୍ୱକପରେ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଥର ମୁକାବିଲା ହୋଇଥିବା ବେଳେ ତିିନି ଥର ନ୍ୟୁଜିଲାଣ୍ଡ ଦୁଇ ଥର ଭାରତ ବିଜୟୀ ହୋଇଛନ୍ତି । ଶେଷ ଥର ପାଇଁ ୨୦୦୩ ରେ ନ୍ୟୁଜିଲାଣ୍ଡକୁ ବିଶ୍ୱକପରେ ହରାଇଥିଲା ଭାରତ । ୨୦ ବର୍ଷ ପରେ ଆଜି ପୁଣି ଭାରତ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଶଂସକ ।